ନୂଆଦିଲ୍ଲୀ,୧୬/୦୬: ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଷୋଡ଼ଶ ଜନଗଣନା ହେବ । ଦେଶରେ ୨ଟି ପର୍ଯ୍ୟାୟରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତି ଜନଗଣନା ହେବ । ସମ୍ପୂର୍ଣ୍ଣ ଡିଜିଟାଲ ଜରିଆରେ ଗଣନା ହେବ । ଏ ନେଇ ମୋବାଇଲ ଆପ୍ ପ୍ରସ୍ତୁତ କରାଯିବ । ଜନଗଣନା ସହିତ ଜଡ଼ିତ ସମସ୍ତ ତଥ୍ୟ ୧୬ ଭାଷାର ଆପ୍ରେ ଉପଲବ୍ଧ ହେବ । ଜନଗଣନାରେ ୩୪ ଲକ୍ଷ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିବେ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଦେଶରେ ୨ଟି ଫେଜ୍ରେ ୨୦୨୭ ମାର୍ଚ୍ଚ ୧ରୁ ଜନଗଣନା ହେବ । ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ରଶାଷିତ ଅଞ୍ଚଳରେ ଆଗୁଆ ଗଣନା ହେବ । ଲଦାଖ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ହେବ । ଏହାପରେ ବଳକା ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ । ୨୦୨୭ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । ଜନଗଣନା ସହ ଜାତି ଜନଗଣନା ହେବ । ଗଣନା ପାଇଁ ପାଖାପାଖି ୨୧ ମାସ ଲାଗିବ ।
Central Government declares that a census of the population of India shall be taken during the year 2027, gazette notification issued. pic.twitter.com/FUipgkLdYz
— ANI (@ANI) June 16, 2025
ଜନସଂଖ୍ୟା ଓ ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪ ଲକ୍ଷ ଗଣନାକାର ତଥା ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯିବ । ଦେଶ ଆରମ୍ଭରୁ ଏହା ୧୬ତମ ତଥା ୧୯୪୭ରେ ସ୍ୱାଧୀନତା ଲାଭ କରିବା ପରେ ଏହା ଅଷ୍ଟମ ଜନଗଣନା ହେବ । ମୋବାଇଲ ଆପ୍ ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ଜନଗଣନା କରାଯିବ । ସେହିଭଳି ଜନଗଣନା ସମୟରେ ଲୋକମାନଙ୍କ ତଥ୍ୟ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା ହାଉସ୍ ଲିଷ୍ଟିଂ ଅପରେସନ (ଏଚ୍ଏଲ୍ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ) ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ ପରିବାରର ପ୍ରତିଟି ବ୍ୟକ୍ତିଙ୍କ ସଂଖ୍ୟା, ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଏହି ସମୟରେ ଜାତିଗତ ଜନଗଣନା ମଧ୍ୟ ପ୍ରସ୍ତୁତ କରାଯିବ । ଗତକାଲି (ରବିବାର) କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଦେଶରେ ହେବାକୁ ଥିବା ଜାତିଗତ ଜନଗଣନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ଏହା ପରେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।