ଭୁବନେଶ୍ୱର,୦୪/୧୧: କିଛି ଦିନ ତଳେ ଜଣେ ବ୍ୟକ୍ତି ପତ୍ନୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଟିକଟ କାଉଣ୍ଟର୍ରେ ଭିଡ଼ ଥିବାରୁ ସେ ପାଖରେ ଥିବା ଓପିଡି ଟିକଟ ମେସିନ୍ ପାଖକୁ ଯାଇଥିଲେ । ହେଲେ ମେସିନ୍କୁ ସେ କେମିତି ଚଳାଇବେ ଜାଣିପାରିନଥିଲେ । ଏପରିକି ସେ ମୋବାଇଲ୍ ବାହାର କରି ପାଖରେ ଥିବା ବୋର୍ଡ ଦେଖି ନିୟମ ଅନୁସାରେ କାମ କରିଥିଲେ ହେଁ ଲାଭ ମିଳିନଥିଲା । ପରେ ସେ ହେଲ୍ପ ଡେସ୍କ ପାଖକୁ ଆସିଥିଲେ । ମାତ୍ର ସେଠାରେ କେହିନଥିଲେ । ବାଧ୍ୟ ହୋଇ ସେ ଯାଇ କାଉଣ୍ଟର୍ରେ ଧାଡ଼ିରେ ଠିଆ ହୋଇଥିଲେ । କେବଳ ଓପିଡି ଟିକଟ ମେସିନ୍ ନୁହଁ ଏହି ଡାକ୍ତରଖାନାରେ ଲାବ୍ ରିପୋର୍ଟ ପ୍ରିଣ୍ଟିଂ ମେସିନ୍ ମଧ୍ୟ ଅଛି । ଏହାବାଦ୍ ସିଟି ସ୍କାନ୍ ଓ ଏମ୍ଆର୍ଆଇ ରିପୋର୍ଟ ପାଇବାର ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଅଧିକାଂଶ ରୋଗୀ ଏହା ଜାଣିନାହାନ୍ତି । ଏ ସଂପର୍କରେ ରୋଗୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଡାକ୍ତରଖାନାର ହେଲ୍ପ ଡେସ୍କ୍ରେ ଅନେକ ସମୟରେ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ଫଳରେ ରୋଗୀ ହଇରାଣ ହେବା ସାର ହେଉଛି ।
ପୂର୍ବ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିଲା ‘ଆମ ହସ୍ପିଟାଲ୍’ ଯୋଜନା । ଏହି ଯୋଜନାରେ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକୁ ସାମିଲ କରାଯାଇଥିଲା । ସେ ସମୟରେ କ୍ୟାପିଟାଲ ହସ୍ପିଟାଲକୁ ଡିଜିଟାଲାଇଜେସନ୍ କରିବାର ଲକ୍ଷ୍ୟ ନେଇ ହସ୍ପିଟାଲକୁ ଓପିଡି ଟିକଟ ପ୍ରିଣ୍ଟିଂ ମେସିନ୍, ଲାବ ରିପୋର୍ଟ ପ୍ରିଣ୍ଟିଂ ମେସିନ୍ ଅଣାଯାଇଥିଲା । ମଳମୂତ୍ର ପରୀକ୍ଷା କରାଇବାକୁ ରୋଗୀକୁ ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ । ଡିଜିଟାଲାଇଜେସନ୍ ହେବା ପରେ ସେମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିବନି । ଏହି ଲକ୍ଷ୍ୟ ନେଇ ମେସିନ୍ ସବୁ ଅଣାଯାଇଥିଲା । ହେଲେ ଏହି ମେସିନ୍ ଥାଇ ଯାହା ନ ଥାଇ ତାହା । ଏବେ ଡାକ୍ତରଖାନାରେ ଟିକଟ ମେସିନ୍ ସହ ପ୍ରସୂତି, ଶିଶୁ ବିଭାଗ ଓ ପାଥୋଲୋଜିରେ ଅନ୍ଲାଇନ୍ ଟିକଟ ଓ ପରୀକ୍ଷା ରିପୋର୍ଟ ପ୍ରିଣ୍ଟିଂ ମେସିନ୍ ବି ରହିଛି । ସେହିପରି ସଂପ୍ରତି ସିଟି ସ୍କାନ ଓ ଏମ୍ଆର୍ଆଇ ମେସିନ୍ରେ କ୍ୟୁଆର୍ କୋଡ୍ ସ୍କାନିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାବାଦ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ଇ-ସ୍ୱାସ୍ଥ୍ୟ’ ୱେବସାଇଟ୍ ଯୋଗେ ଲାବ୍ ରିପୋର୍ଟ ଓ ଓପିଡି ଟିକଟ ମଧ୍ୟ କରିହେଉଛି । ହେଲେ ପ୍ରାୟ ଲୋକ ଜାଣିନାହାନ୍ତି ।
ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ଡାକ୍ତରଖାନା ପକ୍ଷରୁ ମୋବାଇଲ୍ରେ ରୋଗୀଙ୍କ ପାଖକୁ ରିପୋର୍ଟ ପଠାଇବାର ବ୍ୟବସ୍ଥା ହୋଇନାହିଁ ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ହଇରାଣ ହେଉଛନ୍ତି । ଏପରିକି ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ଼, ପୁରୀ ଆଦି ଜିଲ୍ଲାରୁ ଆସୁଥିବା ରୋଗୀ ରିପୋର୍ଟ ନେବା ପାଇଁ ଦିନ ଦିନ ଧରି ଡାକ୍ତରଖାନାରେ ଅପେକ୍ଷା କରୁଛନ୍ତି । ତେଣୁ ଡିଜିଟାଲ ସେବା ବାବଦରେ ବ୍ୟାପକ ସଚେତନତା ଆବଶ୍ୟକ । ଏଥିପାଇଁ ଡାକ୍ତରଖାନା ପରିସରରେ ହୋର୍ଡିଂ ଲଗାଯାଉ ନଚେତ କର୍ମଚାରୀ ରୋଗୀ ସଂପର୍କୀୟଙ୍କୁ ଏ ବିଷୟରେ ବୁଝାଇଲେ ଡିଜିଟାଲ ବ୍ୟବସ୍ଥାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଅନ୍ୟପକ୍ଷରେ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଲୋକଙ୍କୁ ଜଣାଇବା ପାଇଁ ହେଲ୍ପଡେସ୍କ ରହିଛି । ସେଠାରେ କର୍ମଚାରୀ ରହୁଛନ୍ତି । ଯେଉଁମାନେ ଜାଣିପାରୁନାହାନ୍ତି ସେମାନେ ହେଲ୍ପଡେସ୍କ କର୍ମଚାରୀଙ୍କୁ ପଚାରିପାରିବେ ବୋଲି ସେ କହିଛନ୍ତ