ମାଲକାନଗିରି/ଚିତ୍ରକୋଣ୍ଡା, ୨୯/୪ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏଥିରେ ଏସପି ବିନୋଦ ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଏବଂ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ସମୁଦାୟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।
ଏଥିରେ ଚିତ୍ରକୋଣ୍ଡା ସଦର ମହକୁମାରେ ୧୦ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ଠିକ୍ ଭାବେ ପାନୀୟ ଜଳ ଯୋଗାଯାଉନାହିଁ। ବିଶୁଦ୍ଧ ପାଣି ପାଇଁ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଦୀର୍ଘ ୧୦ବର୍ଷ ହେବ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ନିକଟରେ ଆରଡବ୍ଲୁଏସ୍ଏସ୍ ପକ୍ଷରୁ ବିଶୁଦ୍ଧ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପିଇବା ପାଣି ମିଳିପାରୁନଥିବା ନେଇ ଚିତ୍ରକୋଣ୍ଡାବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏପରି କି ପ୍ରତ୍ୟକ ଅଭିଯୋଗ ଶୁଣାଣି ଶିବିରରେ ଚିତ୍ରକୋଣ୍ଡାରେ ପାଣି ଓ ରାସ୍ତାଘାଟ ସମସ୍ୟା ନେଇ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସମାଧାନ କରାଯାଉନାହିଁ । ତୁରନ୍ତ ପ୍ରଶାସନ ଏହି ସବୁ ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଚିତ୍ରକୋଣ୍ଡାବାସୀ ଦାବି କରିଥିଲେ । ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକରେ ଜନ ଶୁଣାଣି କରିବା ପରେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ସେତୁ ଯୋଜନାରେ ଜୀବନ ଜୀବିକା ପାଇଁ କରାଯାଇଥିବା ପରିବା ଚାଷ ବୁଲି ଦେଖିବା ସହ ମହିଳା ହିତାଧିକାରୀଙ୍କ ସହ କିପରି ଉନ୍ନତ ମାନର ପନିପରିବାଚାଷ କରି ସ୍ୱାଭିଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।