ପ୍ରମୂଖ ଖବର

ଶ୍ୟାମଳ ରଙ୍ଗକୁ ନେଇ କେରଳ ମୁଖ୍ୟ ସଚିବଙ୍କୁ କରାଯାଇଥିଲା ଟ୍ରୋଲ, ଫେସବୁକ୍ ପୋଷ୍ଟ ଜରିଆରେ ଦେଲେ କଡ଼ା ଜବାବ୍

Published By : Prameya | March 26, 2025 7:21 PM

ନୂଆଦିଲ୍ଲୀ,୨୬।୩: କେରଳର ମୁଖ୍ୟ ସଚିବ ଶାରଦା ମୁରଲୀଧରନ ତାଙ୍କ କଳା ରଙ୍ଗ ଉପରେ କରାଯାଇଥିବା ଅପମାନଜନକ ମନ୍ତବ୍ୟର ଦେଇଛନ୍ତି  କଡ଼ା ଜବାବ୍। ଫେସବୁକ୍‌ରେ  ପୋଷ୍ଟ କରି ସେ ଲେଖିଛନ୍ତି କିପରି ପିଲାଦିନରୁ ତାଙ୍କୁ ଶ୍ୟାମଳ ରଙ୍ଗ ପାଇଁ ଅପମାନର ସମ୍ମୁଖୀନ ହେବାକୁ ପଡୁଥିଲା। ସେ କହିଛନ୍ତି, ସମାଜରେ ଗୋରା ରଙ୍ଗକୁ ସୌନ୍ଦର୍ଯ୍ୟର ମାନଦଣ୍ଡ ଭାବରେ ବିବେଚନା କରାଯାଏ। କିନ୍ତୁ ଏବେ ସେ ଏହି ମାନସିକତାକୁ ବଦଳାଇବାକୁ ସଂକଳ୍ପ ନେଇଛନ୍ତି।  

ତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଲିଙ୍ଗ ଏବଂ ଜାତିଗତ ପକ୍ଷପାତ ବିଷୟରେ ଏକ ବିତର୍କ ଆରମ୍ଭ କରିଛି। ଲୋକମାନେ ତାଙ୍କର ସାହସ ଏବଂ ସ୍ପଷ୍ଟବାଦୀତାକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, "୫୦ ବର୍ଷରୁ ଅଧିକ ସମୟ ଧରି ମୁଁ ଏହି କାହାଣୀ ତଳେ ଦବି ରହିଥିଲି ଯେ,  ମୋର ରଙ୍ଗ ଭଲ ନୁହେଁ। କିନ୍ତୁ ଏବେ ମୁଁ ସେହି ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପ୍ରସ୍ତୁତ।

କ’ଣ କହିଲେ ଆଇଏଏସ୍ ଅଧିକାରୀ ଶାରଦା ମୁରଲୀଧରନ୍?  

ଶାରଦା ମୁରଲୀଧରନ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ ଯେତେବେଳେ ସେ କେରଳର ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ, ଲୋକମାନେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ ଭି ବେଣୁ (ଯିଏକି ପୂର୍ବରୁ ସମାନ ପଦବୀରେ ଥିଲେ)ଙ୍କୁ ତୁଳନା କରିବା ଆରମ୍ଭ କଲେ। ନିକଟରେ, ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ରଙ୍ଗ ଉପରେ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ସେ ଏବେ ଦେଇଛନ୍ତି କଡ଼ା ଜବାବ୍।   

'କଳା ରଙ୍ଗ ହେଉଛି ସବୁଠାରୁ ଶକ୍ତିଶାଳୀ ଶକ୍ତି'

"ଗତକାଲି ମୁଁ ମୁଖ୍ୟ ସଚିବ ଭାବରେ ମୋର କାର୍ଯ୍ୟକାଳ ବିଷୟରେ ଟିପ୍ପଣୀ ଶୁଣିଲି। ଯେଉଁଥିରେ କୁହାଯାଉଥିଲା, ମୁଁ ସେତିକି କଳା ଯେତିକି ମୋ ସ୍ବାମୀ ଗୋରା।   ଏହା ପରେ ସେ ପୋଷ୍ଟରେ ଲେଖିଛନ୍ତି, "କଳା କେବଳ ଏକ ରଙ୍ଗ ନୁହେଁ ବରଂ ସବୁଠାରୁ ଶକ୍ତିଶାଳୀ ଶକ୍ତିର ପ୍ରତୀକ। ଏହା ବ୍ରହ୍ମାଣ୍ଡର ସାର୍ବଜନୀନ ସତ୍ୟ। କଳା ରଙ୍ଗକୁ କାହିଁକି ବଦନାମ କରାଯାଏ? କଳା ଯେକୌଣସି ଜିନିଷକୁ ଅବଶୋଷିତ କରିପାରେ, ଏହା ସମସ୍ତଙ୍କୁ ଉପଯୁକ୍ତ କରେ, ଏହା ଆତ୍ମବିଶ୍ୱାସର ପରିଚୟ।"  

ମୁଁ ପିଲାବେଳେ ମୋ ମାଆଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲି

ଶାରଦା କହିଛନ୍ତି କିପରି ସମାଜର ମାନସିକତା ତାଙ୍କୁ ତାଙ୍କ ପିଲାଦିନରେ ହୀନ ଅନୁଭବ କରାଉଥିଲା। ସେ ଲେଖିଛନ୍ତି, "ଯେତେବେଳେ ମୁଁ ଚାରି ବର୍ଷ ବୟସର ଥିଲି, ମୁଁ ମୋ ମାଆଙ୍କୁ ପଚାରିଥିଲି ମୋତେ ପୁଣି ଥରେ ତୁମ ଗର୍ଭରେ ରଖି, ଗୋରା କରି ବାହାରକୁ ଆଣ।, "ମୁଁ ବର୍ଷ ବର୍ଷ ଧରି ମୋର କଳା ରଙ୍ଗକୁ ଗ୍ରହଣ କରିନଥିଲି, କିନ୍ତୁ ଏବେ ମୁଁ ବୁଝିପାରିଛି ଯେ କଳା ରଙ୍ଗରେ ଅନ୍ୟ ଯେକୌଣସି ରଙ୍ଗ ପରି ସୌନ୍ଦର୍ଯ୍ୟ ଏବଂ ମର୍ଯ୍ୟାଦା ଅଛି।"  

ଶାରଦା ମୁରଲୀଧରନ୍ କିଏ?  

- ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ  

- ସେପ୍ଟେମ୍ବର ୨୦୨୪ ରେ କେରଳର ମୁଖ୍ୟ ସଚିବ ହୋଇଥିଲେ।  

- ମହିଳା ସଶକ୍ତିକରଣ ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ 'କୁଡୁମ୍ବଶ୍ରୀ ମିଶନ'ର ନେତୃତ୍ୱ ନେଇଥିଲେ।  

- ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ।  

- ତ୍ରିଭେନ୍ଦ୍ରମର ଜିଲ୍ଲା ମାଜିଷ୍ଟ୍ରେଟ ରହିସାରିଛନ୍ତି।  

ସୋସିଆଲ ମିଡିଆରେ ଲୋକଙ୍କ ସମର୍ଥନ  

ଶାରଦାଙ୍କ ପୋଷ୍ଟ ପରେ, ତାଙ୍କୁ ସୋସିଆଲ ମିଡିଆରେ ବିପୁଳ ସମର୍ଥନ ମିଳୁଛି। ଅନେକ ଲୋକ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି।  ତାଙ୍କର ଏହି ପଦକ୍ଷେପ ସମାଜରେ ଥିବା ରଙ୍ଗଭେଦକୁ ଦୂର କରିବାରେ ସାହାଯ୍ୟ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.