ଭୁବନେଶ୍ୱର,୧୮/୦୧: ସମଗ୍ର ଓଡ଼ିଶାରେ ପକ୍ଷୀ ଗଣନା ଚାଲିଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଆନୁକୂଲ୍ୟ ଚିଲିକାରେ ଚାଲିଛି ପକ୍ଷୀଗଣନା । ବାଲୁଗାଁ, ସାତପଡ଼ା, ରମ୍ଭା, ଚିଲିକା ଓ ଟାଙ୍ଗୀ ଆଦି ପାଞ୍ଚଟି ରେଞ୍ଜରେ ୨୧ଟି ଟିମ୍ର ମୋଟ ୧୧୫ ଜଣ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବ । ଗଣନାକାରୀ ଟିମ୍ରେ ଜଣେ ଜଣେ ପକ୍ଷୀ ବିଶାରଦ, ୩ରୁ ୫ ଜଣ ପକ୍ଷୀ ବିଶେଷଜ୍ଞ ଓ ଗାଇଡ୍ ରହିଛନ୍ତି । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇ ୪୮ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ଆଜି ରାଜ୍ୟର ସମସ୍ତ ଜଳାଶୟରେ ପକ୍ଷୀଗଣନା କାର୍ଯ୍ୟ କରାଯାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ଚନ୍ଦ୍ରାପୁଟସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ରରେ ପକ୍ଷୀ ଗଣନାକାରୀଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ । ଫ୍ଲେମିଙ୍ଗୋ ପକ୍ଷୀଙ୍କ ଉଡ଼ାଣ ମାର୍ଗ ଓ ପ୍ରକୃତ ବାସସ୍ଥାନ ଜାଣିବା ପାଇଁ ଏଥର ୧୦ଟି ଫ୍ଲେମିଙ୍ଗୋ ପକ୍ଷୀ ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ ଲଗାଯିବା ପାଇଁ ବନବିଭାଗ ଯୋଜନା କରିଛି । ଗତ ସପ୍ତାହରେ ପ୍ରାଥମିକ ଭାବେ ୨ଟି ଫ୍ଲେମିଙ୍ଗୋ ଗୋଡ଼ରେ ଏହି ସାଟେଲାଇଟ୍ ଟ୍ରାକିଙ୍ଗ୍ ରିଙ୍ଗ ଲଗାଯାଇଛି । ଏହି ପକ୍ଷୀ ନିଜ ଇଲାକାକୁ ଫେରିବା ବେଳେ ପକ୍ଷୀମାନଙ୍କର ଗତିବିଧିକୁ ଟ୍ରାକ କରାଯିବ । ସେହିପରି ଜାନୁଆରୀ ୨୦ ତାରିଖରେ ଚିଲିକାରେ ଇରାୱାଡ଼ି ଡଲ୍ଫିନ୍ ଗଣନା ହେବ । ସେଥିପାଇଁ ୧୯ ତାରିଖରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ବାଲୁଗାଁ ଓ ସାତପଡ଼ାଠାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ୧୮ଟି ଦଳ ଡଲ୍ଫିନ୍ ଗଣନା କାର୍ଯ୍ୟରେ ସାମିଲ ହେବେ । ପକ୍ଷୀ ଓ ଡଲ୍ଫିନ୍ ଗଣନାରେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଡଙ୍ଗାଚାଳକ ସଂଘକୁ ଅନୁରୋଧ କରିଛନ୍ତି । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମଶଙ୍କର ଝା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ମନୋଜ ଭି. ନାୟାର, ଚିଲିକା ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଶନିବାର ସକାଳୁ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏନେଇ ସମସ୍ତ ପ୍ରସ୍ତୁତି ପୂର୍ବରୁ ସରିଥିବା ବେଳେ ଶନିବାରଠାରୁ ଆରମ୍ଭ ହୋଇଛି ଗଣନା । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସନ୍ଧ୍ୟା ୫ ଟାରେ ସରିବ । ଏନେଇ ୨୧ଟି ସେକ୍ଟର କରାଯାଇଥିବା ବେଳେ ଜଳଭଣ୍ଡାରରେ ୫୩୩ ବର୍ଗ କିଲୋମିଟର ଯାଏଁ ଏହି ଗଣନା କରାଯିବ । ସେହିପରି ପାଓ୍ୱାର କେନାଲର ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ବର୍ଷ ଛତିଶଗଡ ବର୍ଡରର ସୁଖାସୋଢା ଓ ଅନ୍ତରାଡି ଯାଏଁ ଏହି ଗଣନା କରାଯାଉଛି । ଏନେଇ ୩୨ ଟି ବୋଟ୍ ମାଧ୍ୟମରେ ୩୨ ଟି ଗ୍ରୁପ କରାଯାଇଥିବା ବେଳେ ୭୦ ଜଣ ସାମିଲ ହୋଇଛନ୍ତି । ତେବେ ଚଳିତ ଥର ପକ୍ଷୀ ସଂଖ୍ୟା ବଢିଛି ନା କମିଛି ତାହା ଅନୁଧ୍ୟାନ କରାଯିବ । ୨୦୨୧ ମସିହାରେ ୯୮ ପ୍ରଜାତିର ୧ଲକ୍ଷ ୨୪ ହଜାର ପକ୍ଷୀ, ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ପକ୍ଷୀ ଓ ୨୦୨୩ ମସିହାରେ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ପକ୍ଷୀ ଆସିଥିବା ଜଣାପଡିଛି । ତେବେ ଚଳିତ ୨୦୨୫ ରେ ଏହି ସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।
ସେହିପରି ପୁରୀ ବନ୍ୟ ପ୍ରାଣୀ ଡିଭିଜନରେ ଆଜି ଆରମ୍ଭ ହୋଇଛି ପକ୍ଷୀ ଗଣନା । ୫ଟି ରେଞ୍ଜର ପକ୍ଷୀ ଗଣନା ଗଣନା କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ୨୫ଟି ଟିମ୍ ସାମିଲ ହୋଇଛନ୍ତି । ବ୍ରହ୍ମଗିରି ରେଞ୍ଜରେ ଭୋର ସାଢେ ୫ଟା ରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଗଣନା କର୍ଯ୍ୟରେ ୪ ଟି ଟିମ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ରେ ୪ ରୁ ୫ ଜଣ ସାମିଲ ହୋଇଛନ୍ତି । ସେପଟେ ପାଟଣା ରେଞ୍ଜରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ଖିରେଇଟାଙ୍ଗିରୀ ସେକ୍ସନ ବଡ଼ବନ୍ଧ ଏବଂ ରାଜନଗର ବୈତରଣୀ ନଦୀର ଚଢ଼େଇକୁଦର ଘାଟରେ ଚାଲିଛି ପକ୍ଷୀ ଗଣନା କାର୍ଯ୍ୟ । ପକ୍ଷୀ ଗଣନା ପାଇଁ ଦୁଇଟି ଟିମ୍ ଗଠନ କରି ପକ୍ଷୀ ଗଣନା କରାଯାଉଛି ।