ମାଲକାନଗିରି,୧୭/୧ : ଧାନ ମଣ୍ଡି ଗୁଡିକ ରେ କଟନୀ ଛଟନୀ ରୋକିବା ଓ ଏଫଏକ୍ୟୁମାନର ଧାନ ପରୀକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ କୋଟିଏ ଟଙ୍କାର ପେଡ଼ି କ୍ଲିନର ଓ ଆନାଲାଇଜର୍ ମେସିନ୍ ମାଲକାନଗିରି ଜିଲ୍ଲାକୁ ଯୋଗାଇ ଦିଆଯାଇଛି । ଏହି ମେସିନ ଗୁଡ଼ିକ ଚାଷୀଙ୍କ କାମରେ ନ ଲାଗି ଖାଲି ପଡି ରହିଥିବା ଦେଖିବାକୁ ମିଳିଛି । ଅନେକ ଚାଷୀଙ୍କ ଏଫଏକ୍ୟୁମାନର ଧାନ ନ ଥିବାରୁ ମିଲର୍ସଙ୍କ ସହ ସଲାସୁତରା ହୋଇ ଚାଷୀ କଟନି ଛଟନି କରିବାକୁ ବାଧ୍ୟ ହେଉଥିବାବେଳେ ଅନ୍ୟ ଚାଷୀଙ୍କ ଧାନ ଏଫକ୍ୟୁ ମାନର ଥିଲେ ମଧ୍ୟ ସେମାନେ କୁଇଣ୍ଟାଲ ପ୍ରତି ୩କେଜି ଲେଖା ଧାନ କଟନୀ ଛଟନୀ କରିବା କୁ ବାଧ୍ୟ ହେଉଛନ୍ତି । କିଛି ବ୍ୟବହାର ନ ଥାଇ କୋଟିଏ ଟଙ୍କାର ମେସିନ ନିୟନ୍ତ୍ରିତ ବଜାର କମିଟି ପରିସରରେ ପଡ଼ି ରହିଛି ।
ଏ ସମ୍ପର୍କରେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ପଚାରିବାରୁ ମେସିନ୍ ଗୁଡ଼ିକ ଲ୍ୟାମ୍ପ ଓ ଏସ୍ଏଚଜି ଗ୍ରୁପ ନେଇ ମଣ୍ଡିରେ ଧାନ ସଫା କରିବା କଥା । କିଛି ମଣ୍ଡିରେ ଏହା କାର୍ଯ୍ୟ କାରି ହୋଇଛି । ଅନ୍ୟ ମଣ୍ଡି ଗୁଡିକରେ ଏହାର ଆବଶ୍ୟକତା ପଡ଼ି ନ ଥିବାରୁ ମେସିନ୍ ଗୁଡ଼ିକୁ ନିୟନ୍ତ୍ରିତ ବଜାର କମିଟି ପରିସରରେ ସୁରକ୍ଷିତ ଭାବେ ରଖାଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଫଏକ୍ୟୁମାନର ଧାନ ଯାଞ୍ଚ ପାଇଁ ମାଲକାନଗିରି ଆରଏମସିରେ ଦୁଇଟି ପେଡି କ୍ଲିନର ମେସିନ୍ ଓ ତିନୋଟି ଗ୍ରେଇନ ଆନାଲାଇଜର ମେସିନ କିଣାଯାଇଥିବା କହିଛନ୍ତି।
ଗୋଟିଏ ପେଡି କ୍ଲିନର ମେସିନର ଦାମ ୨୭ଲକ୍ଷ ଟଙ୍କା ହୋଇଥିବାବେଳେ ୫୪ଲକ୍ଷ ଟଙ୍କାର ଦୁଇଟି ପେଡି କ୍ଲିନର ମେସିନ୍ ଆରଏମସି କାର୍ଯ୍ୟାଳୟରେ ପଡ଼ି ରହିଛି। ସେହିପରି ତିନୋଟି ଗ୍ରେଇନ ଆନାଲାଇଜର ମେସିନ ମଧ୍ୟ ଆରଏମସିକୁ ପ୍ରଦାନ କରାଯାଇଥିବାବେଳେ ଏହା କୌଣସି ମଣ୍ଡିକୁ ପ୍ରାୟ ପଠା ଯାଉନଥିବାର ଜଣାପଡିଛି । ଏହି ମେସିନ୍ ଧାନ, ମୁଗ, ମାଣ୍ଡିଆ ଇତ୍ୟାଦି ଶସ୍ୟର ମାନ ନିର୍ଦ୍ଧାରଣ ସହିତ କେତେ ପରିମାଣ ଭଲ ଅଛି କେତେ ପରିମାଣ ଖରାପ ଅଛି ତାହା ନିର୍ଦ୍ଧାରଣ କରିଥାଏ । ଗୋଟିଏ ଆନାଲାଇଜର ମେସିନ୍ର ଦାମ ୧୪ ଲକ୍ଷ ଟଙ୍କା ହୋଇଥିବା ବେଳେ ତିନୋଟି ମେସିନର ଦାମ ୪୨ଲକ୍ଷ ଟଙ୍କାରେ କ୍ରୟ ହୋଇଛି।
ମାଲକାନଗିରି ଆରଏମସି କାର୍ଯ୍ୟାଳୟରେ ମୋଟ ୫ଟି ମେସିନ ଯାକ ଚାଷୀଙ୍କ କାମରେ ନ ଲାଗି ଖାଲି ପଡ଼ି ରହି ଜଙ୍କ ଲାଗିଗଲାଣି। ସରକାର କା ମାଲ ଦରିଆ ମେ ଡାଲ ପରିସ୍ଥିତି ଦେଖା ଦେଇଛି।