ନୂଆଦିଲ୍ଲୀ: ହଲିଉଡର ପ୍ରସିଦ୍ଧ ଗାୟକ କ୍ରିସ ମାର୍ଟିନ ଓ ତାଙ୍କ ବାନ୍ଧବୀ ତଥା ହଲିଉଡ ଅଭିନେତ୍ରୀ ଡକୋଟା ଜନସନ ଶନିବାର ମୁମ୍ବାଇର ଏକ ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ଥିବା ପ୍ରସିଦ୍ଧ ଶୈବପିଠରେ ଉଭୟେ ଦର୍ଶନ ପାଇଁ ଯାଇଥିବା ସମୟର ଭିଡିଓ ଓ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଓ ଫଟୋରେ ୪୭ ବର୍ଷିୟ କ୍ରିସ ଏକ ନୀଳରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଡକୋଟା ଏକ ସୁଟ ପିନ୍ଧିଥିବା ନଜରକୁ ଆସିଛନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ମନ୍ଦିରକୁ ଆସିଥିବା କ୍ରିସ ନିଜ ଗଳାରେ ଏକ ରୁଦ୍ରାକ୍ଷ ମାଳା ପିନ୍ଧିଥିବା ବେଳେ ୩୫ ବର୍ଷିୟ ଡକୋଟା ନିଜ ମୁଣ୍ଡରେ ଓଢଣୀ ଦେଇ ମନ୍ଦିରରରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସରିବା ପରେ ଡକୋଟା ମନ୍ଦିର ପ୍ରାଙ୍ଗଣରେ ଥିବା ନନ୍ଦି କାନରେ କିଛି କହୁଥିବା ଦେଖାଯାଇଥିଲା। ତେବେ ଦୁଇଜଣ ପରସ୍ପର ସହ ୨୦୧୭ରୁ ଏକାଠି ଥିବା ବେଳେ ଗତବର୍ଷ ଶେଷ ଆଡକୁ ଉଭୟଙ୍କ ବ୍ରେକଅପ୍ ହୋଇଯାଇଥିବା ନେଇ ଗୁଜବ ଉଠିଥିଲା।
ସୂଚନା ମୁତାବକ, କ୍ରିସ ମାର୍ଟିନ ନିଜ ବ୍ୟାଣ୍ଡ କୋଲ୍ଡପ୍ଲେର ଏକ କନସର୍ଟରେ ଯୋଗଦେବାକୁ ବର୍ତ୍ତମାନ ଭାରତରେ ପହଞ୍ଚିଛନ୍ତି। ଇଂଲଣ୍ଡର ଏହି ବ୍ୟାଣ୍ଡ ନାଭି ମୁମ୍ବାଇରେ ଥିବା ଡିୱାଇ ପାଟିଲ ଷ୍ଟାଡିୟମରେ ଆସନ୍ତା ଜାନୁଆରୀ ୧୮, ୧୯ ଓ ୨୧ ତାରିଖରେ ନିଜ କନସର୍ଟ କରିବାକୁ ଯାଉଛି।
ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଅନ୍ୟଏକ ଭିଡିଓରେ କ୍ରିସ ଓ ଡକୋଟା ମୁମ୍ବାଇର ଆଖପାଖ ଅଞ୍ଚଳରେ ବୁଲୁଥିବା ଦେଖାଯାଇଥିଲା। ଏହି ଭିଡିଓରେ କ୍ରିସ ଏକ କାଜୁଆଲ ଧୂସର ରଙ୍ଗର ଟି-ସାର୍ଟ ସାଙ୍ଗକୁ ଏକ ଟ୍ରାଉଜର ପିନ୍ଧିଥିବା ବେଳେ ଡକୋଟା ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ନଜରକୁ ଆସିଥିଲା।
ମୁମ୍ବାଇ ପରେ କୋଲ୍ଡପ୍ଲେ ବ୍ୟାଣ୍ଡର ଗୁଜୁରାଟରେ ଆଉ ଦୁଇଟି ଶୋ ରହିଛି। ଏହି ଦୁଇଟି ଶୋ ଆସନ୍ତା ଜାନୁଆରୀ ୨୫ ଓ ୨୬ ତାରିଖରେ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଟିତ ହେବାକୁ ଯାଉଛି। ତେବେ ଏହି କନସର୍ଟକୁ ଡିଜନି ପ୍ଲସ ହଟଷ୍ଟାର ପ୍ଲାଟଫର୍ମରେ ସିଧାପ୍ରସାରଣ କରାଯିବ।