ଭୁବନେଶ୍ୱର ୧୩/୦୪(ଅନିଲକାନ୍ତ ଦାସ): ବିକାଶ ଏଠି ବାଟବଣା । ଆମେ ଆଗକୁ ମାଡି ଚାଲିଛୁ ହେଲେ ଲକ୍ଷ୍ୟ କଣ ଆମେ ଜାଣିନୁ । ବିକାଶ ନାଁରେ ବିନାଶକୁ ହାତ ଠାରି ଡାକୁଛି ରାଜଧାନୀ ଭୁବନେଶ୍ୱର । ଉପରକୁ ଚକାଚକ । ଯୁଆଡକୁ ଚାହିଁଲେ କିନ୍ତୁ ସମସ୍ୟାର ବୁଢିଆଣୀ ଜାଲ । ବିକାଶର ଗତି ସମ୍ପୂର୍ଣ୍ଣ ଲକ୍ଷ୍ୟହୀନ ଓ ଦିଗହୀନ । ଯୋଜନା ଅଛି, ତୃଣମୃଳ ସ୍ତରରେ କିନ୍ତୁ କାର୍ଯ୍ୟକାରୀ ହେଉନି । ଯୋଜନାର ନକ୍ସାକୁ ଗୋଡ଼ରେ ଏଡ଼ାଇ ଦେଇ ଆମେ ନିଜକୁ ସୁହାଇଲା ଭଳି ନିର୍ମାଣ କାମ କରୁଛୁ । ଅନ୍ଧଭଳି ପ୍ରଗତି ଆଳରେ ଆମେ ବିନାଶକୁ ନିମନ୍ତ୍ରଣ କରୁଛୁ । ଏମିତି ଯଦି ବେପରୁଆ ବିକାଶ ରାସ୍ତାରେ ଆମେ ଆଗକୁ ଯିବା, ଉତ୍ତରପିଢି ପାଇଁ ମନ୍ଦିରମାଳିନୀ ଏ ସହର ପାଲଟିଯିବ ସମସ୍ୟାର ଗନ୍ତାଘର ।
ପ୍ରାକୃତିକ ଜଳାଶୟ ଉପରେ ଅଟ୍ଟାଳିକା
ଗତ ଦୁଇରୁ ୩ ଦଶନ୍ଧି ଭିତରେ ଉଭାନ ହୋଇଗଲାଣି ଜଳାଶୟ । ପ୍ରାକୃତିକ ଜଳାଶୟକୁ ଗିଳି ଦେଳେଣି ମାଫିଆ । ରାତାରାତି ଜଳାଶୟ ଉପରେ ଠିଆ ହେଉଛି ଉଚ୍ଚ ଅଟ୍ଟାଳିକା । ପାଣି ନିଷ୍କାସନର ବାଟ ବନ୍ଦ ସହରକୁ ସର୍ବନାଶ ଆଡକୁ ଟାଣିନେଉଛି । ରାଜଧାନୀରେ ୧୪୦ଟି ଛୋଟ ବଡ଼ ଜଳାଶୟ ରହିଥିଲା । ପ୍ରାକୃତିକ ଜଳାଶୟ ଡ୍ରେନ୍କୁ ମାଡ଼ି ବେଧଡ଼କ ଘର ତୋଳା ଚାଲିଛି । ରାଜଧାନୀ ଜଳବନ୍ଦୀ ହେଲାଣି । ସହରୀ ବନ୍ୟା ଘରେ ପଶିଲାଣି । ନିର୍ମାଣ ପାଇଁ ନିୟମ ଅଛି । ହେଲେ ନିର୍ମାଣ ନକ୍ସାକୁ କିଏ ବା ମାନୁଛି? ମନଇଚ୍ଛା ବିଲ୍ଡିଂ ନିର୍ମାଣ ପାଇଁ ଅନୁମୋଦନ ଆଗକୁ ଭୁବନେଶ୍ୱରରେ ନାହିଁ ନଥିବା ପରିସ୍ଥିତି ଛିଡ଼ା କରାଇବ । ହେଲେ ଭବିଷ୍ୟତ ଚିନ୍ତା କାହାର ବା ଅଛି?
ଦେଶର ଉତ୍ତପ୍ତ ସହର
ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ରାଜଧାନୀର ଭିତ୍ତିପ୍ରସ୍ତର ଦେଇଥିଲେ । ଏ ସହରର ଭରପୁର ସବୁଜୀମା ଦେଖି ଏହାକୁ ସବୁଜ ସହରର ଆଖ୍ୟା ଦେଇଥିଲେ । ମାତ୍ର ଗତ କେଇ ଦଶନ୍ଧିରେ ସବୁ ଓଲଟପାଲଟ । ଶୀତଳ ରାଜଧାନୀ ଏବେ ତତଲା ତାୱା । ଆସ୍ତେ ଆସ୍ତେ ରାଜଧାନୀରୁ ଥଣ୍ଡା ପବନ ହଜି ଗଲାଣି । ଯୁଆଡ଼କୁ ଚାହିଁଲେ ଉଚ୍ଚ ଅଟ୍ଟାଳିକା ଓ ସିମେଣ୍ଟ କଂକ୍ରିଟରେ ନିର୍ମାଣ । ଏ ସହର ଏବେ ଉତ୍ତପ୍ତ ଦ୍ୱୀପରେ ପରିଣତ ହୋଇଗଲାଣି । ଘର ନିର୍ମାଣ ପାଇଁ ମନଇଚ୍ଛା ଗଛକଟା ହେଉଛି । ବୃକ୍ଷରୋପଣ ପାଇଁ କିନ୍ତୁ କୁନ୍ଥକୁନ୍ଥ । ବିଧାୟକଙ୍କ ଆଲିସାନ ବଙ୍ଗଳା ପାଇଁ ୧୦୦୦ ଅଧିକ ଗଛ କଟିଲା । ମନଇଚ୍ଛା ଗଳିକନ୍ଦିରେ ଫେବରବ୍ଲକ ପକାଇଲେ । ରାସ୍ତାଘାଟ ଖରାରେ ପାଚିଲା । ରାଜଧାନୀ ଦେଶର ଏବେ ଉତ୍ତପ୍ତ ସହର ପାଲଟିଲାଣି । ପାରଦ ୪୭ ଡିଗ୍ରୀ ଛୁଇଁଲାଣି । ଆଗକୁ ସ୍ଥିତି ଆହୁରି ସଂଗୀନ୍ ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି ।
ଭୂତଳ ଜଳସ୍ତର ତଳକୁ ତଳକୁ
ମାଟିତଳୁ ଜଳସ୍ତର ଖସି ଖସି ଚାଲିଛି । ଯିଏ ଯେଉଁଠି ପାଇଲା ମନଇଛା ବୋରେଓ୍ଲ ଖୋଳିଲା । ପାଣି ବ୍ୟବହାରରେ ଲଗାମ ନାହିଁ । ବଡ଼ ବଡ଼ ଆପାର୍ଟମେଣ୍ଟି ବୋରୱେଲ ଖୋଳିବା ବେଳେ ନୀତି ନିୟମକୁ ମାନୁ ନାହାନ୍ତି । ଆସ୍ତେ ଆସ୍ତେ ବେଙ୍ଗାଲୁର ଭଳି ଡ୍ରାଏ ସିଟିରେ ପରିଣତ ହେବାକୁ ଯାଉଛି ରାଜଧାନୀ ଭୁବନେଶ୍ୱର । ଜଳ ସଂକଟ ଆଗକୁ ଜଳଜଳ । ସହର ଭିତରେ ସିଆରପି ଅଞ୍ଚଳରେ ୨୬ ମିଟର ତଳକୁ ଖସିଲାଣି ଜଳସ୍ତର । ସେହିପରି କଳ୍ପନାରେ ୨୧ ମିଟର, ୟୁନିଟ୍୫ରେ ୨୨ ମିଟର, ରାଜଧାନୀ କଲେଜରେ ୧୭ ମିଟର, ରେଣ୍ଟାଲ କଲୋନୀରେ ୨୫ ମିଟର ତଳକୁ ଜଳସ୍ତର ଖସିଛି । ଭୂତଳ ଜଳସ୍ତର ହ୍ରାସ ସତର୍କ ଘଣ୍ଟି ବଜାଇଲାଣି । ହେଲେ କାହାର ଧ୍ୟାନ ନାହିଁ ।
ଜଗିଳି ଚାଲିଛି ଜବରଦଖଲ
ଅଧା ରାଜଧାନୀକୁ ଗିଳି ସାରିଲାଣି ଜବରଦଖଲ । ୫୫୨ ଏକର ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ । ଭୁବନେଶ୍ୱର ତହସିଲ୍ ଅଧିନରେ ୩୩୨ ଏକର ସରକାରୀ ଜମିକୁ ଲୋକ ମାଡି ବସିଛନ୍ତି । ୮୦ ଏକର ଗୋଚର ଜମି, ୧୦୦ ଏକର ଅନାବାଦି ଏବଂ ୯୦ ଏକର ଗ୍ରାମ୍ୟ ଜଙ୍ଗଲ ଏବଂ ୬୨ ଏକ ଜଙ୍ଗଲ ଜମି ଜବରଦଖଲକାରୀଙ୍କ ଦଖଲରେ । କେଉଁଠି ଦଖଲ ଜମିରେ ଘର ନର୍ମାଣ ହେଲାଣି । ଆଉ କେଉଁଠି ସରକାରୀ ଜାଗାକୁ ଦଲାଲ ବିକ୍ରି କଲେଣି । ହେଲେ ମାର ମାର ଭଣ୍ଡାରିଆକୁ ମାର୍ ଭଳି ବସ୍ତିବାସିନ୍ଦାଙ୍କ ଉପରେ ନାଲି ଆଖି ଦେଖାଉଛି ବିଏମ୍ସି ଓ ବିଡିଏ । ଉଠାଦୋକାନୀ ମାନଙ୍କ ଛୋଟ ଦୋକାନ ଭାଙ୍ଗି ମାଟିରେ ମିଶାଉଛି । ରାଜଧାନୀରେ ୪୩୯ ବେଆଇନ୍ ଆପର୍ଟମେଣ୍ଟ ରହିଛି । ଏହି ସବୁ ଜାଗା ନିୟମ ଫାଙ୍କିଛନ୍ତି । ହେଲେ ବିଡିଏ ହାତ ମାରି ପାରୁନି । ଏ ଜବରଦଖଲ ଆଗକୁ ବଡ଼ ସଂକଟ ଛିଡ଼ା କରାଇବ ।
ଭଙ୍ଗା ଗଢ଼ାର ସହର
ମାଷ୍ଟରପ୍ଳାନ ଅଛି । ହେଲେ କେହି ମାନୁ ନାହାନ୍ତି । ସକାଳ ପାଇଲେ ନୂଆ ନିର୍ମାଣ ଆଉ ଭଙ୍ଗା । ଆଜି ନିର୍ମାଣ ସଂପୂର୍ଣ୍ଣ ହୋଇଥିବ, ୬ ମାସ ପରେ ତାକୁ ଭଙ୍ଗାଯାଉଛି । ଯେଉଁଠି ପାଇଲେ ସରକାରୀ ବିଭାଗ ପୁଳାଏ ନିର୍ମାଣ କରୁଛନ୍ତି । ଦିନ କେଇଟା ପରେ ପୁଣି ମନଇଚ୍ଛା ଭାଙ୍ଗୁଛନ୍ତି । ସରକାରୀ ପଇସା ପାଣି ଭଳି ଖର୍ଚ୍ଚ ହେଉଛି । ଲୋକ ହନ୍ତସନ୍ତ ହେଉଛନ୍ତି । ଭଙ୍ଗା ଗଢାର ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଜନଗହଳିପୂର୍ଣ୍ଣ ଛକରେ ଫୁଟ୍ପାଥ ଏମିତି ହୋଇଛି ଯେ ଟ୍ରାଫିକ ଭିଡ ଜମୁଛି । ସିଆରପି ଛକରେ ଏମିତି ଫୁଟପାଥ୍ ଭଙ୍ଗା ହେବାକୁ ସଜବାଜ ଚାଲିଛି । ପୂର୍ତ୍ତ ରାସ୍ତା ତିଆରି କରୁଛି, ଆରଦିନ ସେହି ରାସ୍ତାକୁ ସ୍ୱେରେଜ ଭାଙ୍ଗୁଛି । କୁଆଡ଼କୁ ଏ ସହରର ଗତି? ପ୍ଲାନ କିଏ କରୁଛି ଆଉ କାହା ହାତରେ ନିୟନ୍ତ୍ରଣ ଚାବିକାଠି କେହି ଜାଣିପାରୁ ନାହାନ୍ତି ।