ପୁରୀ ୨୪/୦୬: ଅନବସରରେ ମହାପ୍ରଭୁଙ୍କୁ ଲାଗି ହେବାକୁ ଥିବା ଦଶମୂଳ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦଶମୂଳ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଇନମନ୍ତ୍ରୀ କହିଛନ୍ତି ଯେ, କିଛି ସେବାୟତ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ହେବ ଏବଂ ସତ୍ୟତା ସାମ୍ନାକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।
ଆଇନମନ୍ତ୍ରୀ ଆହୁରି କହିଛନ୍ତି, ମହାପ୍ରଭୁଙ୍କ ଗୁପ୍ତ ସେବାରେ ଲାଗି ହେଉଥିବା ଦଶମୂଳ ମୋଦକ କେବେ ଗଣତି ହୁଏ ନାହିଁ। ମହାପ୍ରଭୁଙ୍କୁ ଲାଗି ପୂର୍ବରୁ ମୋଦକ ଚୋରିକୁ ଖଣ୍ଡନ କରିଛନ୍ତି। ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଆଇନମନ୍ତ୍ରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ିଙ୍କୁ ରିପୋର୍ଟ ତଲବ କରିଥିଲେ। ତଦନ୍ତ ପରେ ମହୌଷଧି ଚୋରି ହୋଇନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।
ଅରବିନ୍ଦ ପାଢୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ଆନୁସାରେ, ସତ୍ୟ ଆଧାରିତ ନୁହେଁ । ଏହି ଅଭିଯୋଗର ଆହୁରି ତଦନ୍ତ ହେବ । ବୈଦ୍ୟ ସେବକ ମହାପ୍ରଭୁଙ୍କ ଦଶମୂଳ ମୋଦକ ଦେବା ବେଳେ ଶ୍ରୀମନ୍ଦର କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏହାକୁ ଗାରଦରେ ଗଣନ୍ତି ନାହିଁ କି ଛୁଅନ୍ତି ନାହିଁ । ପରବର୍ତ୍ତୀ ସମୟରେ ଦଇତାପତି ନିଯୋଗର ସେବାୟତ ମାନେ ଏହାକୁ ନେଇକି ଯାଇଥାନ୍ତି ।
ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଯେଇଁ ଅଭିଯୋଗ ଆଣିଛନ୍ତି, ତାହାର ପ୍ରାରମ୍ଭିକ ତଦନ୍ତ ହୋଇଛି । ସେଥିରୁ ଯାହା ଜଣାପଡ଼ୁଛି, ଅଭିଯୋଗ ସତ୍ୟ ଆଧାରିତ ନୁହେଁ । ବୈଦ୍ୟ ସେବକ ଯେଉଁ ଦଶମୂଳ ମୋଦକ ଆଣିଥିଲେ, ତାହା ଟିପା ଖାତାରେ ୩୧୩ଟି ଉଲ୍ଲେଖ ରହିଛି। ଯେଉଁ ସେବାୟତ ଏହାକୁ ନେଇଥିଲେ , ତାଙ୍କର କିଛି ଅଭିଯୋଗ ନାହିଁ । ହେଲେ ପ୍ରଭୁ ବଳଭଦ୍ରଙ୍କ ବାଡ଼ଗ୍ରାହୀ ଏହି ଅଭିଯୋଗ ଆଣିଛନ୍ତି । ଏହାକୁ ଗୁରୁତ୍ବ ଦିଆଯାଇ ଆହୁରି ତଦନ୍ତ କରାଯିବ । ସିସିଟିଭି କ୍ୟାମେରା ଚେକ୍ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ କହିଛନ୍ତି ।
ତେବେ ମହାପ୍ରଭୁଙ୍କ ମୋଦକ ଚୋରିକୁ ନେଇ ଏଠି କିଏ କହୁଛି ସତ ? ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ନା ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ । ଅଣସର ନୀତିରେ ଶ୍ରୀଜିଉ ସୁସ୍ଥ ହେବା ଲାଗି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହୋଇଥାଏ । ଏହା ମହାପ୍ରଭୁଙ୍କର ଏକ ଗୁପ୍ତ ସେବା । ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବା ନେଇ ଶ୍ରୀମନ୍ଦିର ଗରଦରେ ୩୧୩ ମୋଦକ ରଖାଯାଇଥିଲା । ମାତ୍ର ସେଥିରୁ ୭୦ଟି ମୋଦକ କମ୍ ଥିଲା । ତେବେ ମାରା ହୋଇଥିବା ମୋଦକକୁ କିଭଳି ଶ୍ରୀଜିଉଙ୍କୁ ଭୋଗ ସମର୍ପିତ କରାଗଲା ? ଏହି ଅପରାଧ ନୁହେଁ କି ? ଏଭଳି କିଛି ପ୍ରଶ୍ନ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଡ଼ ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏହି ଚିଠିର ଏକ ନକଲ ସହ ଶ୍ରୀମନ୍ଦିର କମାଣ୍ଡର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।