ମାଲକାନଗିରି,୧୨/୧୧ (ଆପ୍) : ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଗତ କିଛିଦିନ ହେଲା ମହୁ ମାଛି ଆତଙ୍କ ଦେଖାଦେଇଛି। ମହୁ ମାଛି ଆକ୍ରମଣରେ କିଛି ଲୋକ ଆହତ ହେବା ସହିତ ରୋଗୀ ଓ ସମ୍ପର୍କୀୟ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଭୟଭୀତ ହୋଇପଡ଼ିଛନ୍ତି। ହସ୍ପିଟାଲ କାନ୍ଥ ,ଝରକା ତାଜାରେ ଥିବା ପ୍ରାୟ ୪୦ରୁ ଉର୍ଦ୍ଧ ମହୁ ମାଛି ବସାକୁ ହଟାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଵନ ବିଭାଗକୁ ଚିଠି କରାଯାଇଛି।
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସାତ ମହଲା ବିଶିଷ୍ଠ ଜିଲ୍ଲା ହସ୍ପିଟାଲର ବିଭିନ୍ନ କାନ୍ଥ, ଝରକା ତାଜାରେ ବହୁ ସଂଖ୍ୟାରେ ମହୁମାଛି ଫେଣା ରହିଛି। ସେହିପରି ମହୁମାଛି ମାନେ ଏଣେ ତେଣେ ବୁଲୁଥିବାର ଦେଖି ଲୋକେ ମେଡିକାଲକୁ ଆସିବାକୁ ଡରୁଛନ୍ତି। ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମହୁମାଛି ଆକ୍ରମଣର ଶିକାର ହେଉଛନ୍ତି। ବିଶେଷ କରି ହସ୍ପିଟାଲର ୨,୩, ୪, ୫, ୬ ତାଲାର କାନ୍ଥ, ପାଣି ପାଇପ ଓ ଝରକା ତାଜା ତଳେ ବଡ଼ ବଡ଼ ମହୁଫେଣା ବସା ବାନ୍ଧିଛନ୍ତି। ଏତେ ଉଚ୍ଚରେ ଚଢିକି ହସ୍ପିଟାଲ କର୍ମଚାରୀ କିମ୍ବା ସାଧାରଣ ଲୋକ ମହୁମାଛି ବସା ଭାଙ୍ଗିବା ସମ୍ଭବପର ନୁହଁ, ତେଣୁ ହସ୍ପିଟାଲ ପରିସରରୁ ଏହି ମହୁ ମାଛି ବସା ଗୁଡିକୁ ହଟାଇବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ପଠାଯାଇଛି। ମହୁ ମାଛି ହସ୍ପିଟାଲ ଭିତରକୁ ଯେପରି ପ୍ରବେଶ ନକରିବେ ସେଥିପାଇଁ ସବୁବେଳେ କାଚ ଝରକା ଗୁଡିକୁ ବନ୍ଦ ରଖା ଯାଉଛି, ଖୁବ ଶୀଘ୍ର ହସ୍ପିଟାଲ ପରିସର ରୁ ମହୁମାଛିଙ୍କୁ ହଟା ଯିବ, ଏଥି ପାଇଁ କିଏ ଭୟଭୀତ ହେବାର ନାହିଁ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶ କହିଛନ୍ତି।