ବରଗଡ, ୨୨।୧୦ : ମୃତକଙ୍କ ପରିବାରରୁ ୩ ହଜାର ଟଙ୍କା ନେବା ପଡ଼ିଲା ମହାଙ୍ଗା । ଚାକିରିରୁ ନିଲମ୍ବିତ ହେଲେ ବରଗଡ ଧନୁଯାତ୍ରାର କଂସ ହୃଷିକେଶ ଭୋଇ l ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l
ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବରେ କାମ କରନ୍ତି । କିଛିଦିନ ତଳେ ମହାପ୍ରୟାଣ ଗାଡି ଭଡା ବାବଦକୁ ଗାଇସିଲାଟ ବ୍ଲକ ଅଂଚଳର ଜଣେ ମୃତକଙ୍କ ପରିବାରଠାରୁ ୩ ହଜାର ଟଙ୍କା ଲାଞ୍ଚ ଆଣିଥିଲେ । ତାକୁ ନେଇ ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରି ଏହାସହ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା l ତଦନ୍ତ ପରେ ହୃଷିକେଶ ଭୋଇଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l