ଚନ୍ଦନେଶ୍ଵର, ୨୮/୦୫; ବାଂଲାଦେଶୀ ଦେହଜୀବୀଙ୍କୁ ଓଡ଼ିଶା ସୀମାନ୍ତରେ ସ୍ଥାନ ନାହିଁ । ଗାଁରୁ ତଡ଼ିବାକୁ ଅଣ୍ଟା ଭିଡ଼ିଲେ ଲୋକେ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ଗାଁର ପୁରୁଷ ଓ ମହିଳା ମାନେ ବାଂଲାଦେଶୀ ରୂପଜୀବୀଙ୍କୁ ହଟାଇବାକୁ ତତ୍ପରତା ଦେଖାଇଛନ୍ତି । ସାମୁଦ୍ରିକ ଥାନାର ପୁଲିସ୍ ଚୁପ ବସିବା ପରେ ଗାଁ ପରିବେଶକୁ ସ୍ବଚ୍ଛ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୁଧବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ଦେହଜୀବୀଙ୍କୁ ଏକ ସପ୍ତାହ ମଧ୍ୟରେ ଗାଁ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ, ସାହାବାଜିପୁରରେ ଥିବା ପୂର୍ବାସା ହୋଟେଲ ଏବଂ ଗାଁର ୬ରୁ ୭ ପରିବାର ଶତାଧିକ ବାଂଲାଦେଶୀ ଓ ପଶ୍ଚିମବଙ୍ଗର ରୂପଜୀବୀଙ୍କୁ ଅର୍ଥ ରୋଜଗାର ଲୋଭରେ ଆଶ୍ରୟ ଦେଇଛନ୍ତି । ଗାଁରେ ରହି ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ସହ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶାଦ୍ରବ୍ୟ ବେପାର କରୁଛନ୍ତି । ବିଶେଷକରି ଗାଁର ଯୁବକ ମାନେ ଫାଶରେ ପଡ଼ି ବହୁ ନିଶା ସେବନ କରୁଥିବା ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଗାଁ ଲୋକେ ବାରମ୍ବାର ତାଳସାରୀ ସାମୁଦ୍ରିକ ଥାନାକୁ ଅବଗତ କରି ଆସୁଥିଲେ ମଧ୍ୟ କିଛି ସୁଫଳ ହେଉନାହିଁ । ତେଣୁ ଗ୍ରାମବାସୀ ବାଂଲାଦେଶୀ ରୂପଜୀବୀଙ୍କୁ ସ୍ଥାନୀୟ ଅଞ୍ଚଳରୁ ହଟାଇବାକୁ ଅଣ୍ଟା ଭିଡ଼ିଛନ୍ତି । ଗାଁର ବିଶିଷ୍ଟ ସମାଜସେବୀ ବ୍ରଜକିଶୋର ସାମଲଙ୍କ ନେତୃତ୍ବରେ ସାହାବାଜିପୁର ସମିତି ସହସ୍ୟ ତରଣୀକାନ୍ତ ସେନାପତି, ଗାଁର ହରେକୃଷ୍ଣ ପ୍ରଧାନ, ପ୍ରଦୀପ କୁମାର ବେହେରା ପ୍ରମୁଖ ଦେହଜୀବୀଙ୍କୁ ଶୀଘ୍ର ଗାଁ ଛାଡିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଛନ୍ତି । ଏକ ସପ୍ତାହ ଭିତରେ ଗାଁ ନଛାଡ଼ିଲେ ସେମାନଙ୍କୁ ରାଜରାସ୍ତାକୁ ଆଣି ପୁଲିସ ହାତରେ ଟେକି ଦିଆଯିବ ବୋଲି ଧମକ ଦେଇଛନ୍ତି ।