ଗାଜା: ଗାଜା ପଟ୍ଟୀରେ ଚଳିତ ବର୍ଷ ବକରୀ-ଈଦ (ଈଦ-ଉଲ-ଅଜହା) ମହଙ୍ଗା ମାଡ ଓ ଯୁଦ୍ଧର ଛାୟାରେ ପାଳନ କରାଯାଉଛି। ଇଜ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ବିବାଦ ଓ ନାକାବନ୍ଦୀ ହେତୁ ଖାଦ୍ୟ ସାମଗ୍ରୀର ଯୋଗାଣ ସଙ୍କଟ ଗମ୍ଭୀର ହୋଇପଡ଼ିଛି। ଏହାର ପ୍ରଭାବ ଏତେ ଅଧିକ ରହିଛି ଯେ ଚିକେନର ଦର ପ୍ରତି କିଲୋ ୬୦୦୦ ଟଙ୍କାରେ ପହଞ୍ଚିଛି। ପଶୁମାନଙ୍କର ଅଭାବ ହେତୁ ଲୋକମାନେ ପାରମ୍ପରିକ ଭାବେ ଛେଳି କୁରବାନୀ ବଦଳରେ ମହଙ୍ଗା ଚିକେନ ସହିତ ବକରୀ-ଈଦ ପାଳନ କରୁଛନ୍ତି।
ଜାତୀୟ ଗଣମାଧ୍ୟମ ଟିଭି୯ ହିନ୍ଦୀରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କିଛି ଦୋକାନରେ ଇଜ୍ରାଓଲୀ କୋଶର ଚିକେନ ମଧ୍ୟ ବିକ୍ରି ହେଉଛି। କିନ୍ତୁ ଏହାର ମୂଲ୍ୟ ମଧ୍ୟ ଅତ୍ୟନ୍ତ ଅଧିକ ରହିଛି। ଯୁଦ୍ଧ ଓ ନାକାବନ୍ଦୀ ହେତୁ ଗାଜାରେ ମାନବୀୟ ସହାୟତା ସୀମିତ ପରିମାଣରେ ପହଞ୍ଚୁଛି। ଯାହା ଖାଦ୍ୟ ଅସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି। ଗାଜାରେ ଥିବା ଗହମ ଭଣ୍ଡାର ମଧ୍ୟ ଶେଷ ହୋଇଯାଇଛି। ତେବେ ବିଭନ୍ନ ଦେଶରୁ ଆସିଥିବା ସହାୟତା ଟ୍ରକ ଗୁଡ଼ିକ ଇଜ୍ରାଏଲୀ ଅନୁମତିର ଅପେକ୍ଷାରେ ଅଟକି ରହିଛି।
ଗାଜାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଏହି ଯୁଦ୍ଧରେ ଗାଜାର ୯୬% ପଶୁଧନ ଓ ୯୯% କୁକୁଡା ଚାଷ ନଷ୍ଟ ହୋଇଯାଇଛି। ଯାହା ଗାଜାରେ ଖାଦ୍ୟ ସଙ୍କଟକୁ ଆହୁରି ଜଟିଳ କରିଛି। ଗାଜାରେ ଏକ ପ୍ଲେଟ ଚିକେନ ଓ ଭାତର ଦର ଦୁଇ ଦିନରେ ୧୧.୫ ଡଲାରରୁ ବଢି ୧୭ ଡଲାରକୁ ବୃଦ୍ଧି ପାଇଛି। ଏମିତିକି ଏକ ପାଉଣ୍ଡ ଚିକେନର ମୁଲ୍ୟ ୩୨.୪୪ ରେ ପହଞ୍ଚିଛି। ହିସାବ ରଲେ ଜଣାଯାଏ ଯେ ଏକ କିଗ୍ରା ଚିକେନ ଦର ଗାଜାରେ ବର୍ତ୍ତମାନ ୬,୧୧୧ ଟଙ୍କା ରହିଛି। ଏହା ସହିତ, ବ୍ୟାଙ୍କଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଛି ଏବଂ ରେମିଟାନ୍ସରେ ୩୫% କାଟ ହେଉଛି, ଯାହା ଲୋକମାନଙ୍କୁ ମୌଳିକ ଆବଶ୍ୟକତା ଥିବା ଜିନିଷ କିଣିବାରେ ଅସୁବିଧା ସୃଷ୍ଟି କରୁଛି।
ବାରମ୍ୱାର ଆକ୍ରମଣ ଓ ମାନବୀୟ ସହାୟତାର ଅପହଞ୍ଚତା ଯୋଗୁ ଗାଜ୍ରେ ଖାଦ୍ୟ ସଂକଟ ବେକାବୁ ହେବାରେ ଲାଗିଛି। ଏମିତିକି ଗାଜାରେ ଥିବା ଅନେକ ଛୋଟ ଶିଶୁ କୁପୋଷଣର ଶିକାର ମଧ୍ୟ ହୋଇଛନ୍ତି। ଗାଜାର ଲୋକମାନେ ପ୍ରତିଦିନ ଯୁଦ୍ଧ, ବିସ୍ଥାପନ, ବେରୋଜଗାରି ଓ ମହଙ୍ଗା ମାଡର ସାମ୍ନା କରୁଛନ୍ତି।
ସଂଯୁକ୍ତ ରାଷ୍ଟ୍ରର UNRWA ଏବଂ WHO ପରି ସଂସ୍ଥାଗୁଡ଼ିକ ଗାଜାରେ ସ୍ୱାସ୍ଥ୍ୟ ଓ ଖାଦ୍ୟ ସଙ୍କଟ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ୨୦ ଲକ୍ଷରୁ ଅଧିକ ଫିଲିସ୍ତିନୀ ଗମ୍ଭୀର ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଏହାକୁ ମାନବୀୟ ବିପର୍ଯ୍ୟୟ ବୋଲି ଅଭିହିତ କରିଛନ୍ତି। ସାଉଦୀ ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଏବଂ ଅନ୍ୟ ଅରବ ନେତାମାନେ ଗାଜାରେ ଶାନ୍ତି ଓ ମାନବୀୟ ସହାୟତା ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ, ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରେ ଅକ୍ଟୋବର ୨୦୨୩ରୁ ଏପର୍ଯ୍ୟନ୍ତ ଯାଏଁ ୫୪,୭୭୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଯେଉଁମାନଙ୍କ ନଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଏହି ସଙ୍କଟ ନିରବଚ୍ଛିନ୍ନ ଯୁଦ୍ଧ ଓ ମାନବିୟ ସହାୟତାରେ ଅବରୋଧ ହେତୁ ଆହୁରି ଗମ୍ଭୀର ହେବାରେ ଲାଗିଛି।