ନୀଳଗିରି,୦୫/୦୬ : କୂଳଡିହା ଇକୋ ସେନସିଟିଭ୍ ଜୋନ୍ର ସୁରକ୍ଷା ଦାବିରେ ଧାରଣା । କମଲ ମହାପ୍ରଭୁ ନାମକ ବାବା ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଏକାଧିକ ସମସ୍ୟାର ସମାଧାନ ପାଇଁ ଦାବି କରି ଗୁରୁବାର ଧାରଣାରେ ବସିଛନ୍ତି ବାବା କମଲ ମହାପ୍ରଭୁ ।
ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୂଳଡିହା ଅଭୟାରଣ୍ୟ ଇକୋ ସେନସିଟିଭ୍ ଜୋନ୍ରେ ବେଆଇନ ଭାବେ ଗଢି ଉଠିଥିବା ଚିମିନି ଇଟାଭାଟିଗୁଡିକ ହାଇକୋର୍ଟ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି । ବର୍ଷ ବର୍ଷ ଧରି ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଫଳରେ ଶୋଷଣର ଶିକାର ହେଉଛନ୍ତି ପର୍ଯ୍ୟଟକ । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଦାବି ହୋଇଛି । ଅନ୍ୟପଟେ ନୀଳଗିରିଠାରୁ ବଉଳଗଡିଆ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲିଟିଥିବାରୁ ଶୈବପୀଠର ଉନ୍ନତିକରଣ କାମ ବ୍ୟାଘାତ ହେଉଥିବା ଅଭିଯୋଗ ହୋଇଛି । ଏସବୁ ଦେଖି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ ।
ସେହିପରି ମୋରମ ଓ ମାଟି ମାଫିଆଙ୍କ ଦୌରାମ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇଛି ଏବଂ ଚୋରା କାରବାର ଯୋଗୁ କୋଟି କୋଟି ଟଙ୍କା ରାଜସ୍ୱ ଲୁଟ୍ ହେଉଛି । ଏସବୁ ସମସ୍ୟାର ସମାଧାନ ସହ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ବାବା କମଲ ମହାପ୍ରଭୁ । ଏହାସହିତ ସେ ମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରଦାନ କରିଛନ୍ତି ।