ଖଣ୍ଡପଡ଼ା, ୨୯।୭ (ଆପ୍ର): ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା ପ୍ରଶାସନ। ଏହି ଘଟଣାରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଘଟଣା ଘଟିଥିଲା।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଗତ ୧୮ ତାରିଖରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରବି ନାରାୟଣ ଗୋଚ୍ଛି ମାଡ଼ ମାରି ସଂଜ୍ଞାହୀନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଖଣ୍ଡପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ହେଲ୍ପଲାଇନକୁ ଜଣାଇବା ସହ ନ୍ୟାୟ ଦାବି କରିଥିଲେ। ଖବର ପାଇ ସ୍କୁଲ ହେଲ୍ପଲାଇନ ସଦସ୍ୟ ମାନେ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିବା ପରେ ଘଟଣାରେ ସତ୍ୟାସତ୍ୟ ରହିଥିବା ଜାଣିବାକୁ ପାଇ ଘଟଣା ସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଏନେଇ ଏକ କମିଟି ଗଠନ କରିଥିଲେ। କମିଟି ବିଦ୍ୟାଳୟରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ବିଦ୍ୟାଳୟର ଏକାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ନେଇଥିଲେ। ପରେ ନୟାଗଡ଼ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୩୪୭/୨୮।୦୭।୨୦୨୫ରେ ସଂପୃକ୍ତ ଶିକ୍ଷକ ରବି ନାରାୟଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପର୍ଯ୍ୟନ୍ତ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଏପରିକି ବିନା ସୂଚନାରେ ମୁଖ୍ୟାଳୟ ନ ଛାଡ଼ିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।