ବ୍ରହ୍ମପୁର, ୧୬।୫: ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ସ୍ଥଗିତ । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ରେ କାର୍ଯ୍ୟକାରୀ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଥିବା କର୍ମଚାରୀମାନଙ୍କ ପାଇଁ ଜରୁରୀ ଘୋଷଣା । ଗତ ୨୦୧୬ ମସିହା ଜାନୁଆରୀ ପହିଲାରୁ ବକେୟା ଥିବା ସପ୍ତମ ବେତନ କମିଶନର ପ୍ରାପ୍ୟ ଆସନ୍ତା ୧୯ ତାରିଖ ସୁଦ୍ଧା ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ପଦାଧିକାରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ତାହାକୁ ସମ୍ମାନ ଜଣାଇ ପ୍ରସ୍ତାବିତ ଧାରଣା ସ୍ଥଗିତ ରଖାଗଲା ବୋଲି ବରିଷ୍ଠ ନାଗରିକ ତଥା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନୀଳକଣ୍ଠ ଦାଶ ସୂଚନା ଦେଇଛନ୍ତି ।
ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ଯୋଗ୍ୟ ବିବେଚିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ତ ପ୍ରଦାନ ପାଇଁ ବହୁବାର ବିଭାଗୀୟ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ, କୌଣସି ସୁଫଳ ନ ମିଳିବାରୁ ଶେଷରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ବାଧ୍ୟ ହୋଇ ଦୀର୍ଘଦିନର ଦାବି ପୂରଣପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଶୁକ୍ରବାରଠାରୁ ବ୍ୟାଙ୍କର ମୁଖ୍ୟ ଫାଟକ ଆଗରେ ଧାରଣା ଦେବାକୁ ନିଷ୍ପତି ନେବା ସାଙ୍ଗକୁ ଏ ସଂକ୍ରାତରେ ରାଜ୍ୟ ଏବଂ ଜିଲ୍ଲା ଓ ସମବାୟ ବିଭାଗର ପଦାଧିକାରୀଙ୍କୁ ଅବଗତ ବି କରାଯାଇଥିଲା । ବରିଷ୍ଠ ନାଗରିକ ତଥା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ସଂଘର ସଦସ୍ୟ କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାମେଶ୍ୱର ରାଉତ, ନିରଞ୍ଜନ ପୃଷ୍ଟି, ସୀତାରାମ ପ୍ରଧାନ, ପ୍ରଫୁଲ ଜେନା, ସତ୍ୟ ନାରାୟଣ ପଶୁପାଳକ, ଗୋବିନ୍ଦ ପ୍ରଧାନ, ପିତାମ୍ବର ସାହୁ, ପ୍ରଫୁଲ୍ଲ ଚୌଧୁରୀ, ଚନ୍ଦ୍ରମଣି ବେହେରା, ସୁରେନ୍ଦ୍ର ଡାକୁଆ, ରତିକାନ୍ତ ବସନ୍ତକୁମାର ସାବତ, ତାରିଣୀ ଚରଣ ପାଣିଗ୍ରାହୀ, ବିଘ୍ନରାଜ ନାୟକ, ସୁବାସ ଚନ୍ଦ୍ର ଦାଶଙ୍କ ସମେତ ବହୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ବହୁ ଅବସରପ୍ରାପ୍ତ କର୍ମଚାରୀ ବିଭାଗୀୟ ପଦାଧିକାରୀଙ୍କ ସହ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ତ ପ୍ରଦାନ ସଂକ୍ରାନ୍ତରେ ବିସ୍ତୁତ ଭାବେଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ପଦାଧିକାରୀ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଥିବା ସପ୍ତମ ବେତନ କମିଶନର ପ୍ରାପ୍ୟ ଆସନ୍ତା ୧୯ ତାରିଖ ସୁଦ୍ଧା ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ତାହାକୁ ସମ୍ମାନ ଜଣାଇ ଧାରଣା ସ୍ଥଗିତ ରଖିଥିବା ଜଣାପଡ଼ିଛି |