ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପରେ, ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଶିବସେନା (UBT)ର ବରିଷ୍ଠ ନେତା ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ତାଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଉତ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟରେ ଆନ୍ନା ହଜାରେ ଖୁସି । ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଲେ ମଧ୍ୟ ହଜାରେ କାହିଁକି ନୀରବ ରହିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସଞ୍ଜୟ ରାଉତ କହିଛନ୍ତି, ‘ମୋଦୀଙ୍କ ଶାସନରେ ଦୁର୍ନୀତି ହେଉଥିବା ସମୟରେ ଆନ୍ନା ହଜାରେ କେଉଁଠି ଥିଲେ ? କେଜ୍ରିୱାଲଙ୍କ ପରାଜୟରେ ହଜାରେ ଖୁସି, କିନ୍ତୁ ଯେତେବେଳେ ଦେଶର ରାଜକୋଷ ଲୁଟ ହେଉଛି ଏବଂ ସମସ୍ତ ଟଙ୍କା ଜଣେ ଶିଳ୍ପପତିଙ୍କ ହାତରେ ଯାଉଛି, ସେତେବେଳେ ହଜାରେଙ୍କ ନୀରବତା ପଛରେ କ'ଣ ରହସ୍ୟ ଥାଇପାରେ?’ ସେ କହିଛନ୍ତି, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଆନ୍ନା ହଜାରେ ମଧ୍ୟ ନୀରବ ରହିଥିଲ । ହରିୟାଣାରୁ ମଧ୍ୟ ସମାନ ଅଭିଯୋଗ ଆସିଛି ।
ସଞ୍ଜୟ ରାଉତ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଭବିଷ୍ୟତରେ ବିହାର ନିର୍ବାଚନରେ ମଧ୍ୟ ଏପରି ସମସ୍ୟା ଦେଖାଦେଇପାରେ। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ନିର୍ବାଚନ ପ୍ରକ୍ରିୟାରେ ହେରଫେର ହୋଇଥିବା ଅଭିଯୋଗ କରି ସଞ୍ଜୟ ରାଉତ କହିଛନ୍ତି, ‘ନିର୍ବାଚନରେ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଉନାହିଁ । ହେରଫେର ଏବଂ ଟଙ୍କା ବଳରେ ଆସନ ଜିତିବା ପ୍ରକ୍ରିୟା ଚାଲିଛି। ସଞ୍ଜୟ ରାଉତ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟର ମୁଖ୍ୟ କାରଣ ହେରଫେର ଏବଂ ଟଙ୍କାର ବ୍ୟବହାର ଥିଲା । ଏହି ନିର୍ବାଚନରେ, ବିଜେପି ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତି ସରକାର ଗଢ଼ିବାକୁ ଯାଉଛି । ସେପଟେ ଆପ୍ ସମେତ ଦଳର ସୁପ୍ରିମୋ କେଜ୍ରିୱାଲ ଉଭୟ ପରାଜୟର ସାମ୍ନା କରିଛନ୍ତି ।