ଧିମେଇଲା ଏୟାରଟେଲ୍ ନେଟୱର୍କ । ଦେଶର ଲୋକପ୍ରିୟ ଟେଲିକମ୍ ସଂସ୍ଥା ଏୟାରଟେଲ ସର୍ଭିସ୍ ଡାଉନ ହୋଇଥିବା ସକାଳୁ ଅନେକ ୟୁଜର୍ସ ଅଭିଯୋଗ କରିଥିଲେ । ସକାଳ ୧୦ଟା ୨୫ ସୁଦ୍ଧା ଏୟାରଟେଲ୍ ନେଟୱର୍କରେ ଏଭଳି ଅସୁବିଧା ଦେଖାଦେଇଥିଲା । ୱେବ୍ସାଇଟ୍ ଉପରେ ନଜର ରଖୁଥିବା ଡାଉନ ଡିକ୍ଟେଟର ଅନୁସାରେ, ସକାଳ ୧୧ଟା ସୁଦ୍ଧା ଅଭିଯୋଗ ସଂଖ୍ୟା ୨ ହଜାର ଅତିକ୍ରମ କରିଥିଲା । ୟୁଜର୍ସମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଅଭିଯୋଗ କରିଥିଲେ ।
ଇଣ୍ଟରନେଟ ସଂଯୋଗରେ ବ୍ୟାଘାତ, କଲ୍ ଡ୍ରପ ଏବଂ ବ୍ଲାକଆଉଟ ନେଇ ୟୁଜର୍ସମାନେ ଦର୍ଶାଇଛନ୍ତି । ଏପିରିକି ୟୁଜର୍ସ କଲ୍ କିମ୍ୱା ମେସେଜ୍ ମଧ୍ୟ କରିପାରିନଥିଲେ । ଇଣ୍ଟରନେଟ୍ ସେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗ୍ରାହକ । ଏହି ବିଭ୍ରାଟ ଏୟାରଟେଲର ବ୍ରଡ୍ବ୍ୟାଣ୍ଡ ସେବା ଉପରେ ନିର୍ଭର କରୁଥିବା ବ୍ୟବସାୟଗୁଡ଼ିକର କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିଲା । ୱାର୍କ ଫ୍ରମ୍ ହୋମ୍ କରୁଥିବା ଅନେକ କର୍ମଚାରୀ ଭର୍ଚ୍ଚୁଆଲ୍ ମିଟିଂ ସହିତ ସଂଯୋଗ କରିପାରି ନଥିଲେ କିମ୍ବା କ୍ଲାଉଡ୍-ଆଧାରିତ କାମଗୁଡ଼ିକୁ ଆକ୍ସେସ୍ କରିପାରି ନଥିଲେ । ଷ୍ଟ୍ରିମିଂ ସେବା ଏବଂ ପିଲାମାନଙ୍କ ଅନଲାଇନ୍ କ୍ଲାସଗୁଡ଼ିକ ମଧ୍ୟ ହଠାତ୍ ବନ୍ଦ ହୋଇଯାଇଥିଲା । ତେବେ ଗ୍ରାହକଙ୍କ ଏଭଳି ଅଭିଯୋଗ ପରେ ଏବେ ସୁଦ୍ଧା କମ୍ପାନୀ କୌଣସି ପ୍ରତିକ୍ରିୟା ଦେଇନାହିଁ ।