ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

କଲମ୍ବିଆ ବିଶ୍ୱବିଦ୍ୟାଳୟର ବଡ଼ ସଫଳତା, ଏଆଇ ସାହାଯ୍ୟରେ ଗର୍ଭଧାରଣ କଲେ ମହିଳା

Published By : Prameya | June 13, 2025 3:08 PM

ନୂଆଦିଲ୍ଲୀ ୧୩/୦୬: ଦୀର୍ଘ ଦୁଇ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ  ପଡ଼ିଛି । କଲମ୍ବିଆ ବିଶ୍ୱବିଦ୍ୟାଳୟ ଫର୍ଟିଲିଟି  ସେଣ୍ଟର୍‌ର ଡାକ୍ତରମାନେ ଏଆଇ ଜରିଆରେ ପ୍ରଥମ  ଥର ଜଣେ ମହିଳାଙ୍କର ଗର୍ଭଧାରଣ କରାଇଥିବା ସ୍ପଷ୍ଟ କରିଛନ୍ତି । ଦୀର୍ଘ ୧୯ ବର୍ଷ ଧରି ଗର୍ଭଧାରଣ  ପାଇଁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଦମ୍ପତି  ଏକ ନୂଆ ଏଆଇ ସିଷ୍ଟମ୍‌ ଜରିଆରେ ସନ୍ତାନ ସୁଖ  ପାଇବାକୁ ଯାଉଛନ୍ତି ।  

ପ୍ରଜନନ ଚିକିତ୍ସାରେ ଏହା ଏକ ବଡ଼  ମାଇଲଖୁଣ୍ଟ । ଷ୍ଟାର୍‌ (ସ୍ପର୍ମ ଟ୍ରାକିଂ ଆଣ୍ଡ୍‌ ରିକଭରୀ)  ନାମକ ଏଆଇ-ଆଧାରିତ ପ୍ରକ୍ରିୟା ପ୍ରୟୋଗ  କରି ସନ୍ତାନ ସୁଖରୁ ବଞ୍ଚିତ ଜଣେ ମହିଳାଙ୍କର  ଗର୍ଭଧାରଣରେ ଉକ୍ତ ବିଶ୍ୱବିଦ୍ୟାଳୟର ଡାକ୍ତର  ସଫଳତା ପାଇଛନ୍ତି । ପୁରୁଷ ବନ୍ଧ୍ୟାଦୋଷର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ଏହି ଅତ୍ୟାଧୁନିକ  ଟେକ୍ନୋଲୋଜି ଆଶାର ନୂଆ ଆଲୋକ ପ୍ରଦାନ  କରିଛି । ଖାସ୍‌କରି ‘ଆଜୋସ୍ପର୍ମିଆ’ ସମସ୍ୟାରେ  ପୀଡ଼ିତଙ୍କ ପାଇଁ ଏହା ବରଦାନ ହୋଇଛି । ପୁରୁଷଙ୍କ  ସିମେନ୍‌ରେ ଶୂକ୍ରାଣୁର ସମ୍ପୂର୍ଣ୍ଣ ଅନୁପସ୍ଥିତିକୁ ଏହା  ଦର୍ଶାଏ । 

ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପୁରୁଷ  ବନ୍ଧ୍ୟାଦୋଷର ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହା  ଯୋଗୁ ପ୍ରାକୃତିକ ରୂପେ ଗର୍ଭଧାରଣ କଷ୍ଟକର ହୋଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତି  ସନ୍ତାନ ଜନ୍ମ କରିପାରିବେ ନାହିଁ । ଅନ୍ୟ ପ୍ରଜନନ  ଟେକ୍ନୋଲୋଜି ଏଥିରେ ସହାୟକ ହୋଇପାରେ ।  ଅବ୍‌ଷ୍ଟ୍ରକ୍‌ଟିଭ ଆଜୋସ୍ପର୍ମିଆ ପ୍ରଜନନ ମାର୍ଗକୁ  ଅବରୋଧ କରି ସିମେନ୍‌ରେ ଶୂକ୍ରାଣୁକୁ ରୋକିଥାଏ ।  ସଂକ୍ରମଣ, ସର୍ଜରି କିମ୍ବା ଜନ୍ମଜାତ ସମସ୍ୟା,  ଜିନ୍‌ଗତ ସମସ୍ୟା, ହରମୋନ ଅସନ୍ତୁଳନ ଯୋଗୁ  ଏହା ହୋଇପାରେ । 

ଏବେ ଆଜୋସ୍ପର୍ମିଆ ହାରାହାରି ୧୦ ପ୍ରତିଶତ  ପୁରୁଷ ବନ୍ଧ୍ୟାଦୋଷ ମାମଲା ପାଇଁ ଦାୟୀ । ଏହି  ସ୍ଥିତିରେ ପାରମ୍ପରିକ ପଦ୍ଧତି ସିମେନ୍‌ ନମୁନାରେ  ମୂଲ୍ୟବାନ ଶୂକ୍ରାଣୁ ଚିହ୍ନଟ କରିବାରେ ସକ୍ଷମ  ନୁହନ୍ତି । କଲିମ୍ବିଆ ବିଶ୍ୱବିଦ୍ୟାଳୟର ଷ୍ଟାର୍‌ ସିଷ୍ଟମ୍‌ରେ  ଏକ ଉଚ୍ଚ ଶକ୍ତିସମ୍ପନ୍ନ ଇମେଜିଂ ଟେକ୍ନୋଲୋଜି ଓ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମିଶ୍ରଣ ରହିଛି,  ଯାହା ପୂରା ସିମେନ୍‌ ନମୁନାକୁ ସ୍କାନ୍‌ କରେ ।  ଏହା ଘଣ୍ଟାକୁ ପ୍ରାୟ ୮୦ ଲକ୍ଷ ଛବି ଉତ୍ତୋଳନ  କରେ । ଏହି ଏଆଇ ଆଲ୍‌ଗୋରିଦମ ଛବିଗୁଡ଼ିକର  ବିଶ୍ଳେଷଣ କରେ ଏବଂ ଭ୍ରୂଣ ବିଶେଷଜ୍ଞ ଚିହ୍ନଟ  କରିପାରିନଥିବା ବିରଳ ଶୂକ୍ରାଣୁ କୋଷିକାଗୁଡ଼ିକୁ  ଅଲଗା କରେ ।  

ଶୂକ୍ରାଣୁ ଚିହ୍ନଟ ହେବା ପରେ ମାଇକ୍ରୋଫ୍ଲୁଇଡିକ୍‌  ଚିପ୍‌ ସେଗୁଡ଼ିକୁ ଏକ ଅଲଗା ଚ୍ୟାନେଲ୍‌କୁ ଯିବାକୁ  ଦିଏ । ସେଣ୍ଟ୍ରିଫ୍ୟୁଗେସନ୍‌ କିମ୍ବା ଅନ୍ୟ ସମ୍ଭାବ୍ୟ  ହାନିକାରକ ପ୍ରକ୍ରିୟାର ଆବଶ୍ୟକ ବିନା ଏହି ଶୂକ୍ରାଣୁ  ଅଲଗା ହୁଅନ୍ତି । ଏହି ପ୍ରକ୍ରିୟା ମୂଲ୍ୟବାନ ଶୂକ୍ରାଣୁଙ୍କ  ସଂରକ୍ଷଣକୁ ସୁନିଶ୍ଚିତ କରେ ଏବଂ ପ୍ରଜନନ ପାଇଁ  ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ । ଏହା  ସର୍ଜରି ଓ ରସାୟନ-ମୁକ୍ତ ବିକଳ୍ପ ପ୍ରଦାନ କରେ । 

ଚିକିତ୍ସା ବିଜ୍ଞାନ ଓ ଉନ୍ନତ ଟେକ୍ନୋଲୋଜିର  ଏହା ସମନ୍ୱୟ । ଦୀର୍ଘ ଦୁଇ ଦଶନ୍ଧି ଧରି ଗର୍ଭଧାରଣ  ପାଇଁ ଚେଷ୍ଟା କରୁଥିବା ଉକ୍ତ ଦମ୍ପତିଙ୍କ ସଫଳ  କାହାଣୀ ଏହାର ସଦ୍ୟ ପ୍ରମାଣ । ଦମ୍ପତି ୧୫  ଥର ଆଇଭିଏଫ୍‌ରେ ଗର୍ଭଧାରଣ କରି ବିଫଳ  ହୋଇଥିଲେ । ଷ୍ଟାର୍‌ ସିଷ୍ଟମ୍‌ ଉପଯୋଗର ଏକ  ଚିକିତ୍ସକୀୟ ପରୀକ୍ଷଣରେ ଅଂଶଗ୍ରହଣ କରିବା  ପରେ ସେମାନଙ୍କ ଭାଗ୍ୟ ବଦଳିଲା । ଏହି ଏଆଇ  ସିଷ୍ଟମ୍‌ ସଫଳତାପୂର୍ବକ ବ୍ୟକ୍ତିଙ୍କ ମୂଲ୍ୟବାନ ଶୂକ୍ରାଣୁ  ଚିହ୍ନଟ କଲା, ଯାହା ସଫଳ ଗର୍ଭଧାରଣର ମାର୍ଗ  ପ୍ରଶସ୍ତ କଲା ।  

ବିଭିନ୍ନ ପ୍ରଜନନ ସମସ୍ୟାର ସମାଧାନରେ  ଏଆଇର ସାମର୍ଥ୍ୟକୁ ନେଇ ଆଶାବାଦୀ ହୋଇଛନ୍ତି  କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଜନନ କେନ୍ଦ୍ରର ନିର୍ଦ୍ଦେଶକ ଓ ଷ୍ଟାର୍‌ ପ୍ରୋଜେକ୍ଟର ମୁଖ୍ୟ ଡା.  ଜେଭ୍‌ ୱିଲିୟମ୍ସ । ଆଜୋସ୍ପର୍ମିଆର ମୁକାବିଲା ଲାଗି  ଷ୍ଟାର୍‌ ସିଷ୍ଟମ୍‌ ବିକଶିତ ହୋଇଥିବାବେଳେ ସମାନ  ପ୍ରକାର ଏଆଇ ଟେକ୍ନୋଲୋଜି ପ୍ରଜନନ ଚିକିତ୍ସାର  ଅନ୍ୟ ଦିଗଗୁଡ଼ିକର ପ୍ରୋତ୍ସାହନ ଲାଗି ଉପଯୋଗ ହୋଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.