ନୂଆଦିଲ୍ଲୀ, ୦୭/୦୭ : ଚରମ ସୀମାରେ ଟ୍ରମ୍ପ-ମସ୍କ କଳି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ବିବାଦ ପରେ ରାଜନୀତିରେ ପାଦ ଥାପିଛନ୍ତି ବିଶିଷ୍ଟ ଅରବପତି ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ୍ ମସ୍କ। ‘ଆମେରିକା ପାର୍ଟି’ ନାମରେ ଗଢ଼ିଛନ୍ତି ନୂଆ ରାଜନୈତିକ ଦଳ । ନିଜ ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ସେ ଏ ନେଇ ରବିବାର ଘୋଷଣା କରିଛନ୍ତି । ମସ୍କଙ୍କ ନୂଆ ଦଳ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ଜୋରଦାର୍ ବର୍ଷିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, 'ସବୁ ବକବାଜ୍, ମସ୍କ ତୃତୀୟ ଦଳ ଗଢିବା ହାସ୍ୟାସ୍ପଦ। ମସ୍କ ବିପଥଗାମୀ ହୋଇଛନ୍ତି। ୫ ସପ୍ତାହ ହେଲା ସେ ବେଲଗାମ୍ ହୋଇଯାଇଛନ୍ତି। ଆମେରିକାରେ ରିପବ୍ଲିକାନ୍ ପାର୍ଟି ଗଜବ ସଫଳତା ହାସଲ କରିଛି। ଡେମୋକ୍ରାଟ୍ସ ରାସ୍ତା ହୁଡ଼ିଛି। ଆମେରିକାରେ ସର୍ବଦା ବାଇ ପାର୍ଟି ସିଷ୍ଟମ ଚାଲି ଆସିଛି। ମୋତେ ଲାଗୁନି ତୃତୀୟ ପାର୍ଟି ଆସିଲେ ସଫଳ ହେବ। ତୃତୀୟ ଦଳ କେବଳ କନଫ୍ୟୁଜନ୍।'
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଏଲନ ମସ୍କଙ୍କର ବିବାଦ ଚରମ ସୀମାରେ ପହଞ୍ଚିଥିଲା । ବେଶ୍ କିଛିଦିନ ଧରି ଉଭୟ ପରସ୍ପରକୁ ଜୋରଦାର ଟାର୍ଗେଟ୍ କରିଥିଲେ । ରବିବାର ଏହି ବିବାଦ ନୂଆ ମୋଡ଼ ନେଇଛି । ବ୍ୟବସାୟୀରୁ ରାଜନେତା ବନିଛନ୍ତି ୫୪ ବର୍ଷୀୟ ମସ୍କ । ‘ଏକ୍ସ’ରେ ଦେଶବାସୀଙ୍କୁ ସମ୍ବୋଧନ କରି ମସ୍କ ଲେଖିଛନ୍ତି, ଆମେରିକା ପାର୍ଟି ଗଠନ କରାଯାଉଛି । ଯାହାଦ୍ୱାରା ଆପଣମାନେ ନିଜ ସ୍ୱାଧୀନତା ଫେରିପାଇବେ । ଦେଶରେ ଆପଣମାନଙ୍କ ମଧ୍ୟରୁ ୬୬% ଲୋକ ନୂଆ ରାଜନୈତିକ ଦଳ ଚାହୁଁଛନ୍ତି । ଏହା ଆପଣଙ୍କୁ ନିଶ୍ଚିତ ମିଳିବ । ଆମେରିକାକୁ ବରବାଦ କରିବା ଏବଂ ଦୁର୍ନୀତି କଥା ଯେତେବେଳେ ଉଠେ, ଉଭୟ ଦଳ (ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍) ଏକାଭଳି ଲାଗନ୍ତି । ଏବେ ଦେଶକୁ ଦ୍ୱିଦଳୀୟ ବ୍ୟବସ୍ଥାରୁ ମୁକ୍ତି ମିଳିବ।
ପ୍ରକାଶ ଥାଉକି, ଟେସ୍ଲା ସିଇଓ ଗତ ୪ ତାରିଖରେ ଆମେରିକାର ସ୍ୱାଧୀନତା ଦିବସ ଉପଲକ୍ଷେ ‘ଏକ୍ସ’ରେ ଏକ ଜନମତ ସର୍ଭେ ଆରମ୍ଭ କରିଥିଲେ । ଏଥିରେ ସେ ପଚାରିଥିଲେ, ‘ଆପଣମାନେ ଦୁଇ ଦଳ ବ୍ୟବସ୍ଥାରୁ ମୁକ୍ତି ଚାହାନ୍ତି କି? ମୁଁ ଆମେରିକା ପାର୍ଟି ଗଢ଼ିବା ଉଚିତ ହେବ କି?’ ଏହାର ଜବାବରେ ୬୫.୪% ଲୋକ ‘ହଁ’ ଏବଂ ୩୪.୬% ଲୋକ ‘ନା’ରେ ଭୋଟ ଦେଇଥିଲେ । ଏହାପରେ ଏଲନ୍ ମସ୍କ ନୂଆ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଆମେରିକାରେ ଦେଢ଼ଶହ ବର୍ଷ ହେଲା ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦଳର ଦବ୍ଦବା ରହିଆସିଛି । ରାଷ୍ଟ୍ରପତି ନିର୍ବାଚନଠାରୁ ପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ ସବୁଠାରେ ଏହି ଦୁଇଦଳର ପ୍ରଭାବ ରହିଛି । ଏହି ଦ୍ୱିଦଳୀୟ ବ୍ୟବସ୍ଥା ଦ୍ୱାରା ହିଁ ଆମେରିକା ଗଣତନ୍ତ୍ରରେ ସ୍ଥିରତା ବଜାୟ ରହିଥିବା କୁହାଯାଏ ।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍ଙ୍କ ‘ବିଗ୍ ବିୟୁଟିଫୁଲ୍ ବିଲ୍’କୁ ମସ୍କ ତୀବ୍ର ବିରୋଧ କରୁଥିଲେ । ଏହାଦ୍ୱାରା ଦେଶର ବିତ୍ତୀୟ ନିଅଣ୍ଟ ବଢ଼ିବ ଏବଂ ଲୋକଙ୍କ ଉପରେ ଏହାର ଚାପ ପଡ଼ିବା ନେଇ ସେ ଯୁକ୍ତି ବାଢ଼ିଥିଲେ । ସିନେଟ୍ରେ ଏହାକୁ ବିରୋଧ କରିବାକୁ ସେ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ସାଂସଦଙ୍କୁ ଆହ୍ୱାନ ଦେଇଥିଲେ । ଏମିତି କି ସିନେଟ୍ରେ ବିଲ୍ ଗୃହୀତ ହେଲେ ସେ ନୂଆ ଦଳ ଗଢ଼ିବା ନେଇ ଚେତାବନୀ ବି ଦେଇଥିଲେ । ସିନେଟ୍ରେ ବିଲ୍ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିବାରୁ ମସ୍କ ନିଜ କଥା ରଖି ନୂଆ ଦଳ ଗଢ଼ିଛନ୍ତି ।
ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା, ନାମ ରଖିଲେ 'ଆମେରିକା ପାର୍ଟି'