ନୂଆଦିଲ୍ଲୀ,୦୭/୦୭: ଟାରିଫ୍ ଲାଗୁ ନେଇ ପୁଣି ଚେତାବନୀ ମୁଡରେ ଟ୍ରମ୍ପ । ବ୍ରିକ୍ସ ଦେଶକୁ ଟାରିଫ୍ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସରେ ସାମିଲ ଦେଶ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । 'ଆଣ୍ଟି ଆମେରିକା' ପଲିସି ଆଧାରରେ ଅତିରିକ୍ତ ଶୁଳ୍କ ଲାଗୁ ହେବା ନେଇ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଭାରତ ବି ବ୍ରିକ୍ସର ଅଂଶ ରହିଛି । ଯଦି ଅତିରିକ୍ତ ଶୁଳ୍କ ଲାଗୁଛି ତେବେ ଆମେରିକା ଓ ଭାରତ ମଧ୍ୟରେ ହେବାକୁ ଥିବା ବଡ଼ ବାଣିଜ୍ୟିକ ଡିଲ୍ ଅଟକି ଯାଇପାରେ ।
କଣ କହିଲେ ଟ୍ରମ୍ପ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି, ଯେଉଁ ବ୍ରିକ୍ସ ଦେଶ ଆମେରିକା ବିରୋଧୀ ନୀତି ସହିତ ଯୋଡି଼ ହେବ, ଆଣ୍ଟି ଆମେରିକା ନୀତିର ସମର୍ଥନ କରିବ ସେହି ଦେଶ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗିବ । ଏହି ନୀତିରେ କୌଣସି ବ୍ୟତିକ୍ରମ୍ ହେବ ନାହିଁ । ଏହି ମାମଲାରେ ଧ୍ୟାନ ଦେଉଥିବାରୁ ଧନ୍ୟବାଦ ।
ବ୍ରାଜିଲରେ ୧୭ତମ BRICS ୨୦୨୫ ଶିଖର ସମ୍ମିଳନୀରେ ଅନୁଷ୍ଠିତ ହୋଇଛି । ବ୍ରାଜିଲ, ଚୀନ୍, ମିଶର, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷିଆନ୍ ଫେଡେରେସନ, ଦକ୍ଷିଣ ଆଫ୍ରିକା, ସଂଯୁକ୍ତ ଆରବ ଏମିରେଟ୍ସ - ୧୦ ସଦସ୍ୟ ଦେଶ ସାମିଲ ହୋଇଛନ୍ତି । ସମ୍ମିଳନୀରେ ଇରାନର ପରମାଣୁ ଏବଂ ସାମରିକ ପ୍ରତିଷ୍ଠାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଆକ୍ରମଣକୁ ବେଆଇନ ବୋଲି କହିଥିଲେ 'ବ୍ରିକ୍ସ' ସଦସ୍ୟ ।
ଅଟକି ଯିବ କି ଭାରତ-ଆମେରିକା ଡିଲ୍ ? ଟ୍ରମ୍ପଙ୍କ ଅତିରିକ୍ତ ୧୦ ପ୍ରତିଶତ ଟାରିଫ୍ ଚେତାବନୀ ଭାରତ ଉପରେ ପ୍ରଭାବ ପକାଇପାରେ । ଆମେରିକା ଓ ଭାରତ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ ହୁଏ, ତେବେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟିକ ଡିଲ୍ ଅଟକି ଯାଇପାରେ । ଭାରତ-ଆମେରିକା ଡିଲ୍ ନେଇ ଆସନ୍ତା ୨୪ରୁ ୩୦ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯିବାର ଆଶା ରହିଛି । ବାଣିଜ୍ୟ ଚୁକ୍ତି ପୂର୍ବରୁ ଟ୍ରମ୍ପ ପୁଣି ଥିରେ ବ୍ରିକ୍ସ ଦେଶଗୁଡିକୁ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ବର୍ତ୍ତମାନ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ । କେବେ କେଉଁ ସ୍ତରରେ ହେବ ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।
କହି ରଖୁଛୁ କି ଏପ୍ରିଲ ୨ ତାରିଖରୁ ଭାରତୀୟ ଜିନିଷ ଉପରେ ଆମେରିକା ୨୬ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଥିଲା । ହେଲେ ୯୦ ଦିନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଜୁଲାଇ ୮ ତାରିଖ ଥିଲା ଡେଡଲାଇନ୍ । ଆମେରିକା ଲଗାଇଥିବା ୧୦ ପ୍ରତିଶତ ଟାରିଫ୍ ଏବେ ବି ଲାଗୁ ରହିଛି । ଭାରତ ୨୬ ପ୍ରତିଶତ ଶୁଳ୍କ ଛାଡ ଚାହେଁ ।