ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଆସ, ପୁଣି ଚିଠିଟିଏ ଲେଖିବା

ଭୁବନେଶ୍ୱର, ମଞ୍ଜୁଲତା ସିଂହ/୧।୧୨: ଏବେ ସ୍ମାର୍ଟ ଫୋନଟିଏ ସମସ୍ତଙ୍କ ହାତରେ ଥିବାବେଳେ କାହାକୁ ଯଦି ଚିଠିଟିଏ ଲେଖିବା କଥା କୁହାଯାଏ ତେବେ ସେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବ । କାରଣ ଏ ଇଣ୍ଟରନେଟ ଓ ସ୍ମାର୍ଟଫୋନ ଯୁଗରେ ପୁଣି ଚିଠି ଲେଖିବାକୁ କିଏ ବା କାହିଁକି ଚାହିଁବ? ତା’ ଛଡ଼ା ଏବେ କାହା ପାଖରେ ଏତେ ଧୈର୍ଯ୍ୟ ଆଉ ସମୟ ଅଛି ଯେ କାଗଜ କଲମ ଧରି ବସି କାହା ପାଖକୁ ଚିଠି ଲେଖିବ? ଏବେ ସ୍ମାର୍ଟଫୋନ ବା ମୋବାଇଲ ନାମକ ଏହି ବାର୍ତ୍ତା ପ୍ରେରଣ ଯନ୍ତ୍ରଟିଏ ଯେବେଠାରୁ ମଣିଷର ନିତିଦିନିଆ ଜୀବନ ସହ ସଂଶ୍ଳିଷ୍ଟ ହୋଇସାରିଲାଣି ସେବେଠାରୁ ସେ ଚିଠିର ଯୁଗ ଅତୀତ ହୋଇସାରିଲାଣି । କାଗଜ କଲମର ମୋହକୁ ମଣିଷ ଭୁଲିବାକୁ ବସିଲାଣି । ଯେଉଁଠି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କ୍ଷିପ୍ର ଅଗ୍ରଗତି ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଛି ଏବଂ ବୌଦ୍ଧିକ ବିକାଶର ଉତ୍କର୍ଷତା ମଣିଷକୁ ସଭ୍ୟତାର ଚରମ ସୀମାରେ ପହଞ୍ଚାଇ ସାରିଛି ସେଠି ଏହି ହାତଲେଖା ଚିଠିର କଳ୍ପନା ଏକ ଅର୍ଥହୀନ ଅବତାରଣା ମନେହୁଏ ।

ବିଜ୍ଞାନ ଆଜି ମଣିଷର ଜ୍ଞାନ ଓ ବୁଦ୍ଧିକୁ ଏତେ ପ୍ରଖର କରିଦେଇଛି ଯେ ତାହାଦ୍ୱାରା ଉଦ୍ଭାବିତ ଏହି ସ୍ମାର୍ଟ ବାର୍ତ୍ତା ପ୍ରେରଣ ଯନ୍ତ୍ରଟିର କାର୍ଯ୍ୟଶୈଳୀ ଦେଖିଲେ ତାର ବୁଦ୍ଧିମତ୍ତାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ପଡ଼ିବ । ଜଟିଳରୁ ଜଟିଳ କାର୍ଯ୍ୟକୁ ଖୁବ୍‌ କମ୍‌ ସମୟ ମଧ୍ୟରେ କିପରି ସଫଳତାର ସହ ସମ୍ପାଦନ କରିଦେଇପାରୁଛି ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । କ୍ଷଣକ ମଧ୍ୟରେ ସାତ ସାଗର ତେର ନଈ ଡେଇଁ ପହଞ୍ଚାଇ ଦେଇପାରୁଛି ନିଜ ପ୍ରିୟ ପରିଜନ, ଆତ୍ମୀୟ ସ୍ୱଜନଙ୍କ ନିକଟରେ ଅନେକ ବାର୍ତ୍ତା ସହ ଉତ୍ତୋଳିତ ଛବି । ତା’ ସହ ପ୍ରତିଦିନ ପାଳିତ ହେଉଥିବା କେତେ କେତେ ଦିବସର ଅଭିନନ୍ଦନ ସହ ଜନ୍ମଦିନ, ବିବାହ ବାର୍ଷିକୀ, ନବବର୍ଷର ଶୁଭେଚ୍ଛା ବାର୍ତ୍ତା । କେବଳ ଏତିକି ନୁହେଁ, ଭିଡିଓ କଲିଂ ମାଧ୍ୟମରେ ଆମେ ଶହ ଶହ ମାଇଲ ଦୂରରେ ରହି ମଧ୍ୟ ନିଜ ଲୋକମାନଙ୍କ ସହ ବର୍ତ୍ତାଳାପ ସହ ସେମାନଙ୍କୁ ଦେଖିପାରୁଛୁ ଓ ପାଖରେ ପାଇବାର ଅନୁଭବ ମଧ୍ୟ କରିପାରୁଛୁ । ପୃଥିବୀ ଏବେ ମଣିଷ ପାଇଁ ଖୁବ୍‌ ଛୋଟ ଭୂଖଣ୍ଡଟିଏ ପାଲଟି ଯାଇଛି ଯେପରି । 

ଦେଶ ଦେଶ ଭିତରେ ଥିବା ଦୂରତ୍ୱକୁ ଅନୁଭବି ହେଉନାହିଁ । ଏସବୁ ଦେଖିଲେ ବିଜ୍ଞାନର ଅଦ୍ଭୁତ କରାମତି ସହ ତାର ଅମୂଲ୍ୟ ବରଦାନକୁ ଅସ୍ୱୀକାର କରାଯାଇନପାରେ । ଏହି ଯନ୍ତ୍ରଟି ଆଜି ସମସ୍ତ ପ୍ରକାର ଯୋଗାଯୋଗର ମାଧ୍ୟମଟିଏ ପାଲଟିବା ସହ ଜୀବନର ଏକ ଅଭିନ୍ନ ଅଂଶ ହୋଇସାରିଛି । ଏହା ବିନା ମିନିଟିଏ ମାତ୍ର ସମୟ ଅତିବାହିତ କରିବା ଆଜିର ମଣିଷ ପାଇଁ ଏକାନ୍ତ ଅସମ୍ଭବ ହୋଇପଡିଛି । ଏପରି ସମୟରେ କିଏ କାହିଁକି ଚିଠି ଭଳି ଏକ ନିର୍ଜୀବ କାଗଜ ଖଣ୍ଡକର ଆବଶ୍ୟତାକୁ ଅନୁଭବ କରିବ ? ଚିଠି ଆଜି ସମସ୍ତଙ୍କ ପାଇଁ ଏକ ଅଲୋଡ଼ା ଅଧ୍ୟାୟ । ହରାଇ ସାରିଛି ତାର ଗୁରୁତ୍ୱ । ଆଜି ଚିଠିର ଯୁଗ ହୁଏତ ସମାପ୍ତ ହୋଇଛି ସତ, ହେଲେ ଛାଡ଼ିଯାଇଛି ତାର ଅମ୍ଳାନ ସ୍ମୃତି ଆଉ ଭାବିବାକୁ ଅନେକ କିଛି । ଯେଉଁମାନେ କେବେ ଚିଠିଟିଏ ଲେଖିଛନ୍ତି କିମ୍ବା କାହାଠାରୁ କେବେ ଚିଠିଟିଏ ପାଇଛନ୍ତି ସେମାନେ ଅନୁଭବି ପାରିବେ ଚିଠିର ଆତ୍ମୀୟ ପଣକୁ । ଏବେବି ଚିଠି ସ୍ମୃତିଟିଏ ହୋଇ ସାଇତା ହୋଇ ରହିଥିବ କାହାରି ମନ ସିନ୍ଦୁକର କେଉଁ ଏକ ନିଭୃତ କୋଣରେ । ତେବେ ଚାଲନ୍ତୁ ନା, ଥରେ ଫେରିଯିବା ସେଇ ଚିଠିର ସମୟକୁ କିଛି ମୁହୂର୍ତ୍ତ ପାଇଁ । ସାଉଣ୍ଟିବା କିଛି ମିଠା ମିଠା ସ୍ମୃତିକୁ । ଚିଠି- ଦୁଇଟି ଅକ୍ଷର, ଗୋଟିଏ ଶବ୍ଦ, କୋଟିଏ ପ୍ରାଣର ସ୍ପନ୍ଦନ । ସୃଜନର ଆଦ୍ୟଲିପି । ସୁଖଦୁଃଖ, ହସକାନ୍ଦ, ଲୁହକୋହର ସମ୍ମିଳିତ ଇସ୍ତାହାର । ଚିଠିକୁ ନେଇ କେତେ କଥା, କେତେ ଗୀତ, କେତେ କାହାଣୀ, କେତେ କବିତା ତାର ହିସାବ କରିବା ଅସମ୍ଭବ । ଚିଠିର ଇତିହାସ ଜୀବନର ଏକ ଅଲିଭା ଅଧ୍ୟାୟ । ଏବେ କେବେ ଚିଠିର ସ୍ମୃତି ମନକୁ କଲବଲ କଲେ ମନ ଫେରିଯାଏ ଦୂର ଅତୀତକୁ । ସାଇକେଲର ଘଣ୍ଟି ଟିଂ ଟିଂ ଶବ୍ଦ କରି ଡାକବାଲା ଆସେ । ମନ ଉଚ୍ଚାଟ ହୋଇଉଠେ ସେ ଘଣ୍ଟିର ଶବ୍ଦ ଶୁଣି । ଆସିଥିବକି ଚିଠିଟିଏ କାହା ପାଖରୁ! ଉତ୍କଣ୍ଠିତ ମନ ଅଧିର ହୋଇପଡ଼େ ଡାକବାଲାର ଆସିବାଯାଏଁ । ଏପାଖ ସେପାଖ ହେଉଥାଏ ଆଖି । 

ଏହା ଭିତରେ ଅପେକ୍ଷାର ଅନ୍ତ ଘଟାଇ ଡାକବାଲା ପହଞ୍ଚିଯାଏ, ଆଉ ଯେତେବେଳେ ହାତକୁ ବଢ଼ାଇଦିଏ ନୀଳ ଲଫାପାଟିଏ, କେବେ ପୋଷ୍ଟକାର୍ଡଟିଏ ତ କେବେ ହାଲ୍‌କା ଅକାଶୀ ରଙ୍ଗର ଇନ୍‌ଲାଣ୍ଡ ଲେଟର ଚିଠିଟିଏ । ସେତେବେଳେ ଲାଗେ ଯେମିତି ଇପ୍ସିତ ଖୁସିରୁ କିଛି ମିଳିଗଲା ହାତମୁଠାରେ । କେତେ କଳ୍ପିତ ସ୍ୱପ୍ନ, କେତେ କାହାର ଅନୁରାଗ, ସ୍ନେହ, ସରାଗ, ହସ ଲୁହର କାହାଣୀକୁ ନେଇ ଚିଠି ଆସିଥାଏ କେତେଦୂର ନଈ, ନାଳ, ପାହାଡ଼ ଡେଇଁ । କେବେ ସାତ ସାଗର ତେର ନଈ ପାରି ହୋଇ । ଆଉ କେତେ ଆକର୍ଷଣ ଥାଏ ସେଇ ନିର୍ଜୀବ କାଗଜ ଖଣ୍ଡ ଭିତରେ! କେତେ କେତେ ଖବରରେ ଭରା କାଗଜର ପୃଷ୍ଠାଟିଏ । ସେଥିରେ ଥାଏ କେବେ ଗାଁର କଥା, ମାଆର କଥା, ସାଙ୍ଗସାଥୀ ବନ୍ଧୁ ପରିଜନଙ୍କ କଥା, ପୁଅଝିଅଙ୍କ ବିବାହ ବ୍ରତର କଥା, ପୁନେଇଁ ପର୍ବ, ଓଷାବାରର କଥା, ବିଲବାଡ଼ି ଚାଷବାସର କଥା, ଚାନ୍ଦଗାଈ ଜନ୍ମ କରିଥିବା ତାର ଗୁଲୁଗୁଲିଆ ଧୋବ ଫରଫର କଅଁଳା ବାଛୁରୀର କଥା । ଜୀବନର କାହାଣୀକୁ ଛାଡ଼ି ଚିଠିଟିଏ ବି କ’ଣ ଲେଖିହୁଏ ? ଚିଠି ପୁଣି ନେଇ ଆସିଥାଏ ଅସରନ୍ତି ଆତ୍ମୀୟତାର ଛଳଛଳ ଆବେଗ, ଯାହା ସଞ୍ଚରିଯାଏ ମନରୁ ମନକୁ, ହୃଦୟରୁ ହୃଦୟକୁ । ଚିଠିର କିଛି ସାନ୍ତ୍ୱନାଭରା ଶବ୍ଦ କେବେ ପୋଛିନିଏ ମନରେ କୁହୁଳୁଥିବା କିଛି ଅନ୍ତର୍ଦାହକୁ । ଶୀତଳ କରିଦିଏ ସନ୍ତୁଳି ହେଉଥିବା ମନକୁ । ମନ ବି ସାଉଣ୍ଟିନିଏ ସେଇ ଚିଠିରୁ କିଛି ଉଛୁଳା ସ୍ନେହ, ଶ୍ରଦ୍ଧା, ଆତ୍ମୀୟତାର ମଧୁର ପଣକୁ । 

ଚିଠି କେବେ କାହାପାଇଁ ସ୍ନେହ ପ୍ରେମରେ ଭିଜା ଭାବର ବନ୍ଧନଟିଏ, କେବେ ପ୍ରୀତିର ପାର୍ବଣଟିଏ, କେବେ ପୁଣି ଆନନ୍ଦର ଆର୍ଦ୍ରଭୂମିରେ ସବୁଜ ଡାଳପତ୍ର ମେଲି ଲଟେଇଥିବା ଚିହ୍ନା ଚିହ୍ନା ଲତାଟିଏ, କେବେ ବି ଦୁଃଖର ଦଲିଲଟିଏ । ଯାହାର ପ୍ରତିଟି ଶବ୍ଦରେ ଖୋଜି ପାଇହୁଏ ଜୀବନକୁ । କେଜାଣି କେତେଥର ଖୋଲାଯାଏ ଆଉ ପଢ଼ାଯାଏ ସେ ଚିଠି । ତଥାପି ମନ ପୂରେନା । ସେ ଚିଠି ପୁଣି ସାଇତା ହୋଇ ରହେ ବର୍ଷ ବର୍ଷ ଧରି ଟ୍ରଙ୍କରେ, ବାକ୍ସରେ, ଆଲମାରୀରେ କେଡ଼େ ସଯତ୍ନରେ । ମଧୁର ସ୍ମୃତିଟିଏ ହୋଇ ରହେ ହୃଦୟର କେଉଁ ଏକ ନିଭୃତ କୋଣରେ । କେତେ ହସଖୁସି, ଲୁହକୋହର ସ୍ମୃତିମୟ ସଞ୍ଜ ସକାଳ ସାଇତା ହୋଇ ରହିଥାଏ ଏହି ଚାଖଣ୍ଡେ କାଗଜରେ । ଏବେ ଖୁବ୍‌ ଚଳଚଞ୍ଚଳ ଆଜିର ଦୁନିଆ । ଚିଠିର ମନ୍ଥର ଯୁଗକୁ ଉପହାସ କରି କାହିଁ କେତେ ପଛରେ ଛାଡ଼ିଦେଇ ଦ୍ରୁତଗତିରେ କେତେ ଆଗକୁ ଚାଲିଆସିଛି ଆଜିର ସମୟ ଆଉ ସମ୍ପର୍କ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ପଛକୁ ଫେରି ଚାହିଁଲେ ସେ ଦୂରତ୍ୱକୁ ଭେଦି ପାରୁନାହିଁ ଆଖି । ତଥାପି ସେହି ମନ୍ଥର ଦିନର ସ୍ମୃତି ବେଶ୍‌ ସତେଜ ଆଜିର ଚଳଚଞ୍ଚଳ ମନତଳେ । ସେ ସ୍ମୃତି ଆଜି ବି ଆକ୍ତାମାକ୍ତା କରୁଛି ହୃଦୟକୁ । ତୀବ୍ର ଆଧୁନିକତାର ସ୍ପର୍ଶରେ ବଦଳି ଯାଉଥିବା ସମୟ ଆଉ ମଣିଷର ଚିନ୍ତାଧାରା ଭିତରେ କେଜାଣି କେମିତି ବଦଳିଗଲା ଅନେକ କିଛି । ହଜିଗଲା ସ୍ମୃତିମୟ ହାତଲେଖା ଚିଠିର ଯୁଗ । 

ଆଜି ହାତରେ କ୍ଷଣକରେ ସନ୍ଦେଶ ପ୍ରେରଣ କରିବାର ଅତ୍ୟାଧୁନିକ ଯନ୍ତ୍ରଟିଏ ଥିଲେବି ମନ କାହିଁକି କେଜାଣି ଆକୁଳ ହୋଇ ଝୁରିହେଉଛି ସେହି ନିର୍ଜୀବ କାଗଜ ଖଣ୍ଡର ସ୍ପର୍ଶକୁ । ଏକ ଗଭୀର ଆତ୍ମୀୟତାର ଅନୁଭବ ଭିତରେ ସେଇଠି ତ ମଣିଷ ଦିନେ ଭେଟୁଥିଲା ଜୀବନକୁ, ନିଜର ପ୍ରିୟ ପରିଜନଙ୍କୁ । ବାନ୍ଧି ହୋଇଯାଉଥିଲା ନିରୁତା ଆପଣାପଣର ଅଛିଣ୍ଡା ଡୋରିରେ, ଯାହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲା ଏ ଚିଠି । ଚିଠିକୁ ଚିହ୍ନିଥିବା ମଣିଷ ହିଁ ଅନୁଭବ କରିପାରିବ ଏହି ହଜିଲା ଦିନକୁ ଆକୁଳରେ ଖୋଜି ହେବାର ଅସୀମିତତାକୁ । ମଣିଷ ଏବେ ଏମିତି ଏକ ଆବେଗହୀନ ଯାନ୍ତ୍ରିକ ଦୁନିଆର ଅଂଶବିଶେଷ ପାଲଟି ଯାଇଛି, ଯେଉଁଠି ହଜିସାରିଛି ମଣିଷ-ମଣିଷ ଭିତରେ ଥିବା ଆବେଗ ଆଉ ଭାବପ୍ରବଣତା । ଶିଥିଳ ହୋଇଯାଉଛି ସମ୍ପର୍କର ବନ୍ଧନ । ବଦଳି ଯାଇଛି ସମ୍ପର୍କର ପରିଭାଷା । ସ୍ୱାର୍ଥର ଅନ୍ଧଗଳିରେ ସମ୍ପର୍କ ଆଜି ବାଟବଣା । ଏହା ସତ୍ୟ ଯେ, ଏହି ଉପାଦେୟ ଯନ୍ତ୍ରଟି ଯୋଗୁଁ ଜୀବନ ହୋଇଛି ସହଜ, ସରଳ । କିନ୍ତୁ ଛଡ଼ାଇ ନେଇଛି ମଣିଷର ସେଦିନର ପ୍ରେମଭିଜା ସ୍ୱଚ୍ଛ ମନକୁ । ଶିଶୁର ସୃଜନଶୀଳତାକୁ । କାଗଜ କଲମର ମୋହକୁ । କିଛି ସୃଜନର ସୁନ୍ଦର ପ୍ରୟାସକୁ । ଏବେ ଆଉ ଆସୁନି ଡାକବାଲା । ଆସୁନି ବି କେତେ ଆବେଗ ଉଚ୍ଛ୍ୱାସ, ସ୍ନେହଶ୍ରଦ୍ଧାର ଶବ୍ଦକୁ ସାଉଣ୍ଟିନେଇ ସେଦିନର ସେଇ ଚିଠି ।

ଯେତେବେଳେ ଆଖିର ପଲକ ମାତ୍ରକେ ପହଞ୍ଚି ଯାଉଛି ଶହ ଶହ ମେସେଜ, ଉତ୍ତୋଳିତ ଛବି, ଶୁଭେଚ୍ଛା ବାର୍ତ୍ତା ସେତେବେଳେ ଚିଠି ଏହି ନୂତନ ପିଢ଼ିର ମଣିଷମାନଙ୍କ ପାଇଁ ଏକ ଅର୍ଥହୀନ ଅଧ୍ୟାୟ । ଯେଉଁମାନେ ଏ ମୁହୂର୍ତ୍ତ ସବୁକୁ ଅନୁଭବ କରିଥିବେ ସେମାନେ କେବେ ମନରୁ ପାସୋରି ଦେଇପାରିନଥିବେ ସେ ସମୟର ସୁଖଦ ମୁହୂର୍ତ୍ତକୁ । ହଜିଗଲା ଚିଠି, ହଜିଗଲା ଡାକବାଲା । ତା’ ସହ ହଜିଗଲା ନିରୁତା ଆତ୍ମୀୟତାର ଅନୁଭବ, ଯାହା ଆଜି ମନତଳେ ସାଇତା ଅଭୁଲା ଏକ ସ୍ମୃତି । ଚିଠି କେବେ ଥିଲା ସମ୍ପର୍କର ସ୍ୱର୍ଣ୍ଣିମ ସେତୁଟିଏ ଓ ନିର୍ଜୀବ କାଗଜ ଖଣ୍ଡରେ ଜୀବନ୍ମୟ ଅନୁଭବଟିଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.