ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୋଡ଼ା ସଂସ୍କୃତି ଆଣେ ବିପତ୍ତି

Published By : Swapna Ray | December 1, 2024 1:45 PM

ଭୁବନେଶ୍ୱର, ୧।୧୨/ଅଶ୍ୱିନୀ କୁମାର ରଥପାଠ: ପଢ଼ାଇସାରି ଘରକୁ ଫେରୁ ଫେରୁ ସନ୍ଧ୍ୟା ଛଅଟା ଉପରେ । ପବନ ନଥାଏ କି ଝାଳବୁହା ଗରମ ବି ନଥାଏ । ମୋ ସାଙ୍ଗରେ ଆସୁଥିବା ଆଉ ଜଣେ ସାର୍‌ଙ୍କୁ କେଞ୍ଚାକେଞ୍ଚି ସହରଠୁ ଟିକିଏ ବାହାରେ ତାଙ୍କ ଘରେ ଛାଡ଼ିଦେଇ ବାଇକରେ ଆସିବାବେଳେ, ପବନ ଘଷିହୋଇ କିନ୍ତୁ ବେଶ୍‌ ଭଲ ଲାଗୁଥାଏ ଦେହକୁ । କାଁ ଭାଁ ଗାଡ଼ି ମଟରଟିଏ ଯାଉଥାଏ ସେ ରାସ୍ତାରେ । ଚଳଚଞ୍ଚଳ ସହରର ପରିଧିକୁ ଆସିଲେ ଇ' ଜଣାପଡ଼େ ଗାଁ ଆଉ ସହରର ତଫାତ୍‌ । ମଝିଲି ଆକାରର ଏକ ବ୍ୟସ୍ତ ସହରର ଗୋଟିଏ କୋଣକୁ ଆମ ଘର । ପ୍ରାୟ ତିନି ଦଶନ୍ଧି ଆଗରୁ ଏଠାକୁ ଆସିବା ସମୟରେ ଏହା ଏକ ଗାଁଠୁ କୌଣସି ଗୁଣରେ କମ୍‌ ନଥିଲା । ଏବେ ଏହା କଂକ୍ରିଟ୍‌ର ଜାଲ ଭିତରେ ଛନ୍ଦି ହୋଇଯାଇଛି ନିଶ୍ଚୟ, ତେବେ ମୂଳ ରାସ୍ତାଠୁ ବେଶ୍‌ ଖଣ୍ଡେ ବାଟ ଭିତରକୁ ଥିବାରୁ ଆଜି ବି ଗାଁ ଗାଁ ଲାଗେ ଏହାର ପରିବେଶଟି ଅନେକ ସମୟରେ । ଧୁଆଧୋଇ ହୋଇ ଆସିଲା ବେଳକୁ ଦେଖେ ତ କବାଟ ଝରକା ସବୁ ବନ୍ଦ । ଘରଟାଯାକ କେମିତି ପ୍ଲାଷ୍ଟିକ ପୋଡ଼ା ଗନ୍ଧ । ବିନା ରୋଷେଇରେ ରୋଷେଇଘର ଚିମିନି ଆଉ ବାଟଘର ଏକଝଷ୍ଟ୍‌ ଫେନ୍‌ ଦି'ଟା ଯାକ ଏକବାରେ ବୁଲୁଥାନ୍ତି ଘାଇଁ ଘାଇଁକିନା । 

ନାକକୁ ଉପରକୁ ଟେକି ଶ୍ରୀମତୀ କହିଲେ- ଏ ଅବେଳଟାରେ କିଏ ପୁଣି ବାହାର ମଇଳାଗଦାରେ ନିଆଁ ଲଗାଇ ଦେଲାଣି । ପନ୍ଦର କୋଡ଼ିଏ ମିନିଟ ଏପରି ରହିବାପରେ ଘର ଭିତର ଗନ୍ଧଟି ପୂରା ଠିକ୍‌ ନହେଲେ ହେଁ, ଟିକିଏ କମ୍‌ ପଡ଼ିଆସିଲା ଭଳି ଜଣା ଯାଉଥାଏ । ଯଥାରୀତି ଖିଆପିଆ ସରିଲା, ଆଉ ମୁଁ ଚାଲିଲି ଆମ ଛାତ ଉପରକୁ ସାଙ୍ଗରେ ପୁଅକୁ ଧରି । ‘ଆଫ୍‌ଟର୍‌ ସପର୍‌ ୱାକ୍‌ ଏ ମାଇଲ୍‌' ନ୍ୟାୟରେ ସବୁଦିନ ରାତିରେ କିଛି ସମୟ ଛାତରେ ଟହଲିବା ମୋର ପୁରୁଣା ଅଭ୍ୟାସ । ସେଦିନ କିନ୍ତୁ କଥାଟା ଟିକିଏ ଅଲଗା । ଉପରକୁ ଯାଉ ଯାଉ ବାପପୁଅ ଦିହେଁ ରବର-ପ୍ଲାଷ୍ଟିକ୍‌ ପୋଡ଼ା ଗନ୍ଧରେ ଅତିଷ୍ଠ ହୋଇପଡ଼ିଲୁ । ଚାରିଆଡ଼ ଧୂଆଁଳିଆ ଜଣାପଡୁଥାଏ ଘର ଆଗ ଲାଇଟ୍‌ଗୁଡ଼ାଙ୍କୁ ଆହୁରି ନିଷ୍ପ୍ରଭ କରିଦେଇ । ଆମଘରଠୁ ୧୦୦ ମିଟର ଦୂରରେ ସାହିର ଏକ ରାସ୍ତାକଡ଼ ଡମ୍ପିଙ୍ଗୟାର୍ଡ । ସମୟାନ୍ତରରେ ଏଥିରେ ନିଆଁ ଲଗାଇଦେଇ ସଫା କରିବା ଲୋକଟି ତା’ ଦାୟିତ୍ୱ ବୋଲିବା ଜିନିଷଟିକୁ ବାୟୁ ଦେବତାଙ୍କୁ ଅର୍ପଣ କରିଦିଏ ବିନା ଦ୍ୱିଧାରେ । ମୋ ପରି ଛିଙ୍କି ଛିଙ୍କି ନୟାନ୍ତ ହୋଇଯାଉଥିବା ଲୋକଙ୍କ କଥା ଛାଡ଼, ସେଇ କିଛି ଘଣ୍ଟା ନିହାତି ଅସହ୍ୟ ହୋଇଉଠେ ଛୁଆଠୁ ବୁଢ଼ା ପର୍ଯ୍ୟନ୍ତ ସବୁ ଲୋକଙ୍କ ପାଇଁ । ଦିନ ହେଲେ କଥାଟି ଚଳିଯାଏ କୌଣସି ପ୍ରକାରେ, ହେଲେ ରାତିରେ, ବିଶେଷତଃ ଶୀତ ସନ୍ଧ୍ୟା କି ରାତିରେ ଏହାର ପ୍ରଭାବ ବହୁଗୁଣରେ ବଢ଼ିଯାଏ ଭଳି ଲାଗେ ଆମେ ଧୂଆଁଶୁଙ୍ଘା ପଡ଼ୋଶୀ ଯେତେକଙ୍କୁ । କବାଟ ତାଟି ବନ୍ଦ କଲେ ଯାହା ନିସ୍ତାର ମିଳେ କିଛିମାତ୍ରାରେ । ନହେଲେ ଓଷଦ ଆଶ୍ରାରେ ଚଳିବାକୁ ହୁଏ ଅନ୍ତତଃ ସେଇ ଦିନଟି । 

ଆଜି ବି ସେମତି କିଛି ହୋଇଥିବାର ଅନୁମାନ କରି ଅନେଇଲି ସେ ଡମ୍ପିଙ୍ଗୟାର୍ଡ ପଟେ । ଜଳିବାର ଶେଷ ପର୍ଯ୍ୟାୟରେ ମୋଟା ଧଳା ଧୂଆଁର ଖଣ୍ଡିଆଭୂତଟି ମତେ ଖତେଇ ହେଉଥିବା ଭଳି ଜଣାଯାଉଥାଏ ଆସ୍ତେ ଆସ୍ତେ ବାହୁ ମେଲୁଥିବା ସେ ଅନ୍ଧାରରେ । ତା’ କଡ଼କୁ ଲଗାଲଗି ହୋଇ ଏକ ନଭଶ୍ଚୁମ୍ବୀ ଟେଲିଫୋନ୍‌ ଟାୱାର, ତା’ ଉପରେ ବସା ବାନ୍ଧି ରହନ୍ତି ହଳେ ଚିଲ ଦମ୍ପତି । ରାତିରେ ଥିର ହୋଇ ବସୁଥିବା ଏ ପକ୍ଷୀରୁ ଜଣେ କିନ୍ତୁ ଆସି ବସିଥାଏ ଆମ ପାଖ ଘରର ଟିଣ ସିଲିଂ ଉପରେ ମୁନିଆଁ ଥଣ୍ଟକୁ ତା’ ପେଟ ଭିତରେ ଗୁଞ୍ଜିଦେଇ । ଆର ଜଣକ ବିକଳ ହୋଇ ଚକ୍କର କାଟୁଥାଏ ତା’ ବସା ଠେଇଁ ଧାଉଥିବା ଧୂଆଁ ଚାରିପଟେ ବେଢ଼ା ବୁଲିଲା ପରି, ସ୍ୱାର୍ଥପର ମନୁଷ୍ୟ ଜାତିର ଅବିମୃଶ୍ୟତାକୁ ଗାଳି କରି କରି । ସେତେବେଳକୁ ପୁଅ ଅତର୍ଚ୍ଛା ରଡୁଥାଏ, ଆଉ ମତେ ବି ଛିଙ୍କ ଦେଖାଉଥାଏ ନାକ ପାଣି ପାଣି ହୋଇ । ବେଗାବେଗି ତଳକୁ ଚାଲିଆସିଲୁ ଛାତ କବାଟ କିଳିଦେଇ । ଏହି ପରିସ୍ଥିତିରେ ପୋଡ଼ା-ସଂସ୍କୃତି ମାଧ୍ୟମରେ ଆମର ଏ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଟିକିଏ ନକହି ମୁଁ ଆଜି ରହିପାରୁନି । 

ଆମ ସଭିଙ୍କ ଘରୁ ବାହାରୁଥିବା ମଇଳାକୁ ଯଦି ଭଲକରି ଦେଖିବା ତେବେ ହୁଏତ ଏମାନେ ଦୁଇ ପ୍ରକାରେ ଭାଗ ହୋଇଯିବେ, ଅଣୁଜୀବ ଦ୍ୱାରା ବିଘଟିତ ହୋଇପାରୁଥିବା ଏବଂ ସେମାନଙ୍କ ଦ୍ୱାରା ବିଘଟିତ ହୋଇପାରୁନଥିବା ରୂପରେ । ପ୍ରଥମଟିରେ ଉଦ୍ଭିଦ ଓ ପ୍ରାଣୀ ଆଦି ଜୀବମାନଙ୍କ ଦେହାବଶେଷ ଅବା କାଗଜ, ରନ୍ଧାଖାଦ୍ୟ ଭଳି ସେଥିରୁ ତିଆରି ଜିନିଷର ଅଂଶବିଶେଷ ରହିଥିବାବେଳେ, ଦ୍ୱିତୀୟଟିରେ ରବର, ପ୍ଲାଷ୍ଟିକ ଅବା ପଲିଥିନ, ଦୃଢ଼ କାଚ, ଇଟା ବା ସିମେଣ୍ଟ ଖଣ୍ଡ, ପୋଡ଼ା ମାଟିର ପାତ୍ର, ଧାତୁ ତିଆରି ଦ୍ରବ୍ୟ ପରିକା ମାନବର ଉର୍ବର ମସ୍ତିଷ୍କସମ୍ଭୂତ ଚିଜଗୁଡ଼ିକର ମାଳ ମାଳ ତାଲିକା ଆପେ ଆପେ ମନକୁ ଚାଲିଆସେ । ଏଥିରୁ ଅଣୁଜୀବମାନଙ୍କ ଦ୍ୱାରା ଭାଙ୍ଗିଯାଇ ପୁଣି ପ୍ରକୃତିରେ ମିଶି ଯାଇପାରୁଥିବା ଯେତେକ ମଇଳା ପରିବେଶ ପାଇଁ ସେତେ ଘାତକ ହୋଇନଥାନ୍ତି, ଯଦିଓ ଏଗୁଡ଼ିକ ସମୟ ଅସମୟରେ ଆମ ପାଇଁ କିଛିଟା ଅସ୍ୱସ୍ତିକର ପରିବେଶ ସୃଷ୍ଟି କରିଥାନ୍ତି । ହେଲେ, ମାଟିପାତ୍ର ପରି ଗୋଟିଏ କି ଦୁଇଟିକୁ ଛାଡ଼ି ବାକି ଯେତକ ଏ ଗ୍ରହର ପରିବେଶକୁ ନଷ୍ଟ କରିଦେବାର ସମସ୍ତ ବ୍ୟବସ୍ଥା କରିଦେଇଥାନ୍ତି ବ୍ୟବହାରଯୋଗ୍ୟ ନରହି ଫିଙ୍ଗାହୋଇ ଆସିବା ମାତ୍ରକେ । 

ଏ ପରିପ୍ରେକ୍ଷୀରେ ବିଶିଷ୍ଟ ସାମୁଦ୍ରିକ ବିଜ୍ଞାନୀ କେପ୍‌ଟେନ୍‌ ଚାର୍ଲସ୍‌ ଜେ ମୋରେ ଯଥାର୍ଥରେ କହନ୍ତି "କେବଳ ଆମେ ମଣିଷମାନେ ଏପରି ବର୍ଜ୍ୟବସ୍ତୁ ତିଆରି କରିଥାଉ, ଯାହାକୁ ପ୍ରକୃତି ଜମାରୁ ହଜମ କରିପାରେନାହିଁ’ । ସଭ୍ୟତାରୂପୀ ଲରିରେ ବସି ଅହରହ ଧାଉଁଥିବା ଆମ ମାନବ ସମାଜର ଭୋକିଲା ମନକୁ ଭରିବା ପାଇଁ ବିଭିନ୍ନ ପ୍ରକାର ଆବର୍ଜନା ବହୁ ପରିମାଣରେ ସୃଷ୍ଟିହେବା ନିହାତି ସ୍ୱାଭାବିକ । ଏଣୁ, ସେସବୁର ସୁପରିଚାଳନା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଉଚିତ ବୋଲି ପାଠ କହେ । ୟୁରୋପିଏନ୍‌ କମିଶନ ପ୍ରଦତ୍ତ ଏକ ରିପୋର୍ଟର ସପ୍ତମ ଅଧ୍ୟାୟରେ କଠିନ ବର୍ଜ୍ୟବସ୍ତୁ ସବୁର ପରିଚାଳନାକୁ ନେଇ ଏକ ସୁନ୍ଦର ଧାରଣା ଦିଆଯାଇଛି । ଏଥିରେ ଡାକ୍ତରଖାନା, ଖାଦ୍ୟ ବିକ୍ରୟ ତଥା ବିତରଣ ସ୍ଥାନ, ଖାଇବା ସ୍ଥଳ, ବଜାର, ଗୋଦାମ, ବିଭିନ୍ନ ସଂସ୍ଥାର ଚଉହଦି, ଘର ଆଦିକୁ ଏଗୁଡ଼ିକର ପ୍ରଧାନ ଉତ୍ସ ଭାବରେ ନିଆଯାଇଛି । ଆହୁରି ମଧ୍ୟ ଜୈବିକ (ଚୋପା), ଦହନଶୀଳ (କାଗଜ, ଶୁଖିଲା ପତ୍ର), ଦହନ ଅଯୋଗ୍ୟ (ଧାତୁ, କାଚ), ପାଉଁଶ ବା ଗୁଣ୍ଡ (ଚୁଲି ପାଉଁଶ), କ୍ଷତିକାରକ ବସ୍ତୁ (ତେଲ, ବେଟେରିର ଅମ୍ଳ) ପରି ନାନା ସ୍ତରରେ ଏହାର ପ୍ରକାରଭେଦ କରାଯାଇ ଏଥିରୁ ନିସ୍ତାର ପାଇଁ ପୋତିବା ବା ଖାଲଖମା ଭରିବା, କମ୍ପୋଷ୍ଟିଂ, ସୁଚାରୁ ଢଙ୍ଗରେ ପୋଡ଼ିବା ଓ ପୁନଃବ୍ୟବହାରକ୍ଷମ କରିବା ଆଦିକୁ ଆପଣେଇବା କଥା କୁହାଯାଇଛି ବିଶଦ ଭାବରେ । 

ସେହିପରି ସରକାରୀ ମେଡିକାଲ କଲେଜ ଚଣ୍ଡିଗଡର ଡ. ନଭପ୍ରିତ୍‌ଙ୍କ ଏକ ଆଲେଖ୍ୟରୁ ମଧ୍ୟ ଏହା ଉପରେ ଅନେକ କଥା ଜଣାପଡ଼େ । ଦହନଯୋଗ୍ୟ ଆବର୍ଜନାର ପରିଚାଳନା ପାଇଁ ଦହନ ଏକ ଅତି ସରଳ ଉପାୟ ମନେ ହେଉଥିଲେ ହେଁ ଏ ନେଇ କେତେ ସତର୍କତା ଅବଲମ୍ବନ କରିବାକୁ ହୁଏ ତାହା ଏଥିରେ ବର୍ଣ୍ଣନା କରାଯିବା ସଙ୍ଗେ ସଙ୍ଗେ ଆମ ଦେଶ ପାଇଁ ଏହି ଉପାୟଟି କାହିଁକି ଯେ ଅନୁପଯୋଗୀ ତାହା ମଧ୍ୟ ସରଳ ଭାବରେ ବୁଝାଇ ଦିଆଯାଇଛି । ହେଲେ ବିଡ଼ମ୍ବନାର ବିଷୟ ଯେ, ପିଛା ଛଡ଼ାଇବା ଧ୍ୟାନରେ ନିଆଁ ଲଗାଇ ଆବର୍ଜନା ସବୁକୁ ପୋଡ଼ିଦେଇ ବିପଦ ବରଣ କରିବାର ଅଭ୍ୟାସଗତ ଭୁଲ୍‌ ଆମ ପାଇଁ ଏବେ କିପରି କାଳ ହେଉଛି ସେକଥା ଟିକିଏ ବିସ୍ତୃତ ଭାବରେ ଜାଣିପାରିଲେ ଭଲହେବ ବୋଲି ଭାବୁଛି । ୟୁନାଇଟେଡ ନେସନ୍‌ସ ଏନ୍‌ଭିରନ୍‌ମେଣ୍ଟ ପ୍ରୋଗ୍ରାମର ସୂଚନା ଅନୁଯାୟୀ, ୨୦୨୩ ମସିହାରେ ପୃଥିବୀର କଠିନ ଆବର୍ଜନା ୨.୧ ବିଲିୟନ ଟନ୍‌ ହୋଇଥିବା ବେଳେ ୨୦୫୦ ମସିହା ବେଳକୁ ଏହା ୩.୮ ବିଲିୟନ ଟନ୍‌ ହେବାର ଆକଳନ କରାଯାଇଛି । 

ଆମ ଭାରତ କଥା ବିଚାରକୁ ନେବା ସମୟରେ ଇଣ୍ଟରନାସନାଲ ଟ୍ରେଡ ଏଡମିନିଷ୍ଟ୍ରେସନର ଏକ ଆଲେଖ୍ୟ କଥା ମନକୁ ଆସେ । ଏଥିରେ ‘ଟେରି' ସଂସ୍ଥାର ରିପୋର୍ଟକୁ ଆଧାର କରି କୁହାଯାଇଅଛି ଯେ, ବାର୍ଷିକ ୬୨ ମିଲିୟନ ଟନ କଠିନ ମ୍ୟୁନିସିପାଲ ଆବର୍ଜନା ତିଆରି ହେତୁ ଭାରତ ଏ କ୍ଷେତ୍ରରେ ବିଶ୍ୱର ପ୍ରଥମ ଦଶଟି ଦେଶ ଭିତରେ ରହିଛି । ଯେଉଁଥିରୁ ପ୍ରାୟ ୭୦ ପ୍ରତିଶତ ସଂଗ୍ରହ କରାଯାଇପାରୁଥିବା ବେଳେ, ମାତ୍ର ୨୦ ପ୍ରତିଶତ ହିଁ ଠିକ୍‌ ଉପାୟରେ ପରିଚାଳନା କରାଯାଇପାରୁଛି । ସେହିପରି ‘ଡାଉନ୍‌ ଟୁ ଆର୍ଥ’ରେ ପ୍ରକାଶିତ ରିଚା ସିଂଙ୍କ ଲେଖାରୁ ଆମ ଦେଶର ୩୧୫୯ଟି ଡମ୍ପିଙ୍ଗୟାର୍ଡରେ ପ୍ରାୟ ୧୩ରୁ ୩୨ ମିଲିୟନ ଟନ୍‌ ଦହନଯୋଗ୍ୟ ଆବର୍ଜନା ଥିବାର କଥା ଜଣାଯାଏ । ସାଥୀ ଗବେଷକଙ୍କ ସହ ୱିଦିନମାୟର୍‌ (୨୦୧୪) ହୁଅନ୍ତୁ କି ଶର୍ମା (୨୦୧୯) ଅବା ଚୌଧୁରୀ (୨୦୨୧), ସମସ୍ତେ ଏକସ୍ୱରରେ କହିଯାଇଛନ୍ତି ଯେ, ଆମ ଦେଶର ପବନର ଗୁଣବତ୍ତାକୁ ବିଗାଡ଼ିଦେବାରେ ବାହାରେ ସିଧା ସିଧା ନିଆଁ ଲଗାଇ ଆବର୍ଜନା ପୋଡ଼ିବା ସଂସ୍କୃତିଟି ମୁଖ୍ୟ ଭୂମିକା ନେଇଥାଏ । ଦିଲ୍ଲୀର ଚାରିପାଖରେ ଥିବା ବିଲଗୁଡ଼ିକରେ ଫସଲର ରହିଯାଇଥିବା ଅଂଶ ପୋଡ଼ିବାବେଳେ କି ଅବସ୍ଥା ଭୋଗିବାକୁ ହୁଏ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ ଜାଣିଛି । ଜୈବିକ ଆବର୍ଜନା ମୁଖ୍ୟତଃ କ୍ଷୁଦ୍ରକଣିକା (ପି. ଏମ୍‌ ୨.୫), ଅଙ୍ଗାରକାମ୍ଳ, ସବୁଜ କୋଠରୀ ଓ କାର୍ବନ ମନୋକ୍ସାଇଡ ପରି ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ । ଏହାପରେ ଜଳୀୟ ବାଷ୍ପ ସହ ମିଶି ସ୍ମଗ୍‌ରେ ପରିଣତ ହୁଏ ଏବଂ ଏହା ପ୍ରଭାବରେ ଆମ ଶ୍ୱସନତନ୍ତ୍ରଟି ବିଶେଷ ରୂପେ ପ୍ରଭାବିତ ହୋଇଥାଏ । ହେଲେ ଏହାଠୁ କାହିଁ କେତେ ଗୁଣରେ ଘାତକ ହୋଇଥାଏ ପ୍ଲାଷ୍ଟିକ, ରବର, ଏନାମେଲ ବା ରଙ୍ଗ ଆଦି ମୁକ୍ତଭାବରେ ପୋଡ଼ିଲେ । ଏଥିରୁ କ’ଣ କ’ଣ ଯେ ନବାହାରେ । ବାବାରେ! କ୍ଷୁଦ୍ରକଣିକା (ପି.ଏମ୍‌-୨.୫ ଓ ପି.ଏମ.-୧୦), ଅଙ୍ଗାରକାମ୍ଳ, ସବୁଜ କୋଠରୀ ବାଷ୍ପ, ଯବକ୍ଷାରଜାନର ଅକ୍ସାଇଡ, କାର୍ବନ ମନୋକ୍ସାଇଡ, ମିଥେନ୍‌, ଏମୋନିଆ, ସଲଫରର ଯୌଗିକ, ମିଥେନ୍‌ ହୋଇନଥିବା ହାଲୁକା ଜୈବିକ ପଦାର୍ଥ, ଭାରୀ ଧାତୁ, ଡାୟୋକ୍ସିନ, ଫ୍ୟୁରାନ୍‌ ପରି ଘାତକ ରାସାୟନିକ ପଦାର୍ଥଗୁଡ଼ିକର ତାଲିକା ବେଶ୍‌ ଲମ୍ବା । ଏସବୁ ଲେଖିଲା ବେଳକୁ ଏନ୍‌ଭିରନ୍‌ମେଣ୍ଟାଲ୍‌ ଡିଫେନ୍‌ସର ପ୍ଲାଷ୍ଟିକ୍‌ ପ୍ରୋଗ୍ରାମ୍‌ ମେନେଜର କେରେନ୍‌ ୱିର୍‌ସିଗ୍‌ଙ୍କ ଗୋଟିଏ କଥା ଏଠାରେ କହିବାକୁ ଉଚିତ ମନେ କରୁଛି- “ଆମେ ଭାବୁ ଯେ, ପୋଡ଼ିଦେଲେ ଆବର୍ଜନାଗୁଡ଼ିକର ସୁପରିଚାଳନା ହୋଇଯାଏ ବୋଲି, ହେଲେ ଏଥିରୁ ୩୦ ପ୍ରତିଶତ ଏହି ମାଟି ଉପରେ ରହିଯାଏ ଖାର ବା ସ୍ଲାଗ ରୂପରେ” । 

ଏହିସବୁ ବିଷାକ୍ତ ପଦାର୍ଥ ସିଧାସଳଖ ବା ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରି ଆମ ଶ୍ୱସନତନ୍ତ୍ର, ହୃଦୟତନ୍ତ୍ର, ସ୍ନାୟୁ ସଂସ୍ଥାନ ଆଦି ସମସ୍ତ ଅଙ୍ଗକୁ ବିଗାଡ଼ିଦେବାର ସାମର୍ଥ୍ୟ ରଖନ୍ତି । ଏଥିସହ କର୍କଟ ପରି ମାରାତ୍ମକ ରୋଗ ହେବାର ବାଟକୁ ପ୍ରଶସ୍ତ କରିଦିଅନ୍ତି । ଯେଉଁଥିରେ କି ଶିଶୁ ଏବଂ ବୟସ୍କମାନେ ଅତିମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ତଥା ସେହି ପରିବେଶର ସମସ୍ତ ଜୀବ ଏଥିରେ ଘାଣ୍ଟି ହୁଅନ୍ତି । ଏହା ସତ ଯେ, ଲୋକସଂଖ୍ୟା ଅବା ଲୋକଙ୍କ କ୍ରୟ କରିବାର ସାମର୍ଥ୍ୟ ବଢ଼ିଲେ, ବିକ୍ରୟ ବୃଦ୍ଧିପାଇ, ଆବର୍ଜନା ମଧ୍ୟ ବୃଦ୍ଧିହେବା ଦେଖାଯାଇଥାଏ । ଏଣୁ, ପରିସ୍ଥିତି ଅଣାୟତ୍ତ ହୋଇ ନିଦାନ ଲୋକଙ୍କ ପାଖକୁ ଆସିବା ଆଗରୁ ବ୍ୟବସ୍ଥା କରିବା ନିହାତି ଜରୁରି ହୋଇପଡ଼େ । ପରିସ୍ଥିତିକୁ ଦେଖି ସରକାରୀ ସ୍ତରରେ ଏହାର ପ୍ଲାନିଂ ବହୁ ଆଗରୁ କରାଯାଇ ଏ ଦିଗରେ ଦେହ ଲଗାଇ କାମ କରିବା ସଙ୍ଗେ ସଙ୍ଗେ ତୃଣମୂଳସ୍ତରରେ ଜନସଚେତନତାକୁ ପ୍ରାଧାନ୍ୟ ଦେଇପାରିଲେ, ସମସ୍ୟାଟିର ଏକ ସହଜ ସମାଧାନ ହୁଏତ ହୋଇପାରିବ ବୋଲି ଲେଖକର ମନ ତାକୁ ବାରମ୍ବାର କହିଚାଲିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.