ବ୍ରହ୍ମପୁର,୦୬/୧୦: ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ମଥାରେ ଦେଇଥିଲେ ସିନ୍ଦୂର । ଉଭୟ ଉଭୟଙ୍କ ପାଇଁ ସୁଖ, ଦୁଃଖର ସାଥି ଥିଲେ । ସାତ ଜନ୍ମର ସାଥି ହେବେ ବୋଲି କଥା ଦେଇଥିଲେ । ହେଲେ କରୋନାରେ ପତ୍ନୀ ହାତ ଛାଡ଼ି ଆରପାରିକୁ ଚାଲିଗଲେ । ପ୍ରତ୍ୟେକ ଦିନ ତାଙ୍କୁ ମନେ ପକାଇ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ ପ୍ରଶାନ୍ତ ନାୟକ । ତାଙ୍କ ସ୍ମୃତିରେ ସିଲିକନ୍ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସେ ଆଉ ନାହାନ୍ତି ସତ ହେଲେ ପାଖରେ ଥିଲା ପରି ଲାଗୁଛି । ଏହି ମୂର୍ତ୍ତି ପତ୍ନୀଙ୍କ ଅନୁପସ୍ଥିତିକୁ ସାମାନ୍ୟ ଦୂରେଇ ଦେଇଥିବା କହିଛନ୍ତି ପ୍ରଶାନ୍ତ ।
ବ୍ରହ୍ମପୁର ଜଗବନ୍ଧୁ ସାହିର ବ୍ୟବସାୟୀ ପ୍ରଶାନ୍ତ ନାୟକ ୧୯୯୭ ମସିହାରେ କିରଣବାଳାଙ୍କୁ ବିବାହ କରିଥିଲେ । କୋଭିଡ ସମୟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପ୍ରଶାନ୍ତଙ୍କ ଦୁଇ ଝିଅ ମେଘନା ଓ ମେହେକ, ପୁଅ ଆୟାନ ମାଆଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ । ସାମାଜିକ ଗଣମାଧ୍ୟମରେ ସିଲିକନ ମୂର୍ତ୍ତି ଦେଖିଥିଲେ ଏବଂ ଏହା ଜୀବନ୍ତ ଦେଖାଯାଉଥିବାରୁ ପ୍ରଭାବିତ ହୋଇଥିଲେ ପରିବାର । ଝିଅ ଓ ପୁଅଙ୍କ ଅନୁରୋଧକ୍ରମେ ସେହି ବର୍ଷ ନଭେମ୍ବରରେ ମୂର୍ତ୍ତି ତିଆରି କରିବା ପାଇଁ ବେଙ୍ଗାଲୁରୁର ଜଣେ ଶିଳ୍ପୀଙ୍କୁ ଯୋଗାଯୋଗ କରିଥିଲେ ପ୍ରଶାନ୍ତ । ତାଙ୍କ ଘରେ ପହଞ୍ଚି ଶିଳ୍ପୀ ପୁରୁଣା ଫଟୋ ମଧ୍ୟରୁ ଗୋଟିଏ ଫଟୋ ଚୟନ କରିଥିଲେ । ତାହାକୁ ସେ ଜୀବନ୍ତ ରୂପ ଦେଇଥିଲେ । ୮ ମାସ ପରେ ଉକ୍ତ ମୂର୍ତ୍ତିକୁ ତିଆରି କରି ସ୍ୱତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଆଣିଛନ୍ତି। ମୂର୍ତ୍ତି ତିଆରି ପାଇଁ ୮ ଲକ୍ଷ ଟଙ୍କା ଶିଳ୍ପୀ ନେଇଛନ୍ତି । ସେହିପରି ଟ୍ରାନ୍ସପୋର୍ଟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘରେ ପ୍ରତିଦିନ ଉକ୍ତ ମୂର୍ତ୍ତିକୁ ସଜା ଯାଉଛି । ପ୍ରଶାନ୍ତଙ୍କ ସାନ ଝିଅ ମେହେକ ପ୍ରତିଦିନ ମାଆଙ୍କ ପ୍ରତିମୂର୍ତ୍ତିକୁ ଶାଢ଼ି, ସୁନା ଅଳଙ୍କାର ପିନ୍ଧାଇ ସଜାଉଛନ୍ତି । ବ୍ୟବସାୟ ସହିତ ସମସ୍ତ କ୍ଷେତ୍ରରେ ପତ୍ନୀ ତାଙ୍କୁ ସହଯୋଗ କରିବା ସହ ପ୍ରେରଣା ଦେଉଥିଲା । ତାଙ୍କ ମୃତ୍ୟୁ ପରେ ସଭିଏଁ ମର୍ମାହତ ହୋଇ ରହିଥିଲୁ । ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ତାଙ୍କର ଅନୁପସ୍ଥିତିକୁ ସାମାନ୍ୟ ଦୂର ଦେଇପାରିଛି ବୋଲି ପ୍ରଶାନ୍ତ କହିଛନ୍ତି ।