ନୂଆଦିଲ୍ଲୀ ୨୭/୧୦: ୩୦୦ କୋଟି ବର୍ଷ ତଳେ ୪ଟି ଏଭରେଷ୍ଟ ଶୃଙ୍ଗ ଆକାରଯୁକ୍ତ ଏକ ବିଶାଳକାୟ ଗ୍ରହାଣୁ ପୃଥିବୀରେ ମାଡ଼ ହୋଇଥିଲା । ଏହାର ପ୍ରଭାବ ଆମ ଗ୍ରହ ପାଇଁ ଲାଭକର ପ୍ରମାଣିତ ହୋଇଥିଲା । ପୃଥିବୀରେ ଜୀବଜଗତର ପ୍ରାରମ୍ଭିକ ବିକାଶରେ ଏହି ଗ୍ରହାଣୁର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା ବୋଲି ସଦ୍ୟତମ ଅନୁସନ୍ଧାନରୁ ଜଣାପଡ଼ିଛି ।
ସାଧାରଣତଃ ପୃଥିବୀରେ ଯେତେବେଳେ ଏକ ବିଶାଳ ମହାକାଶ ଶିଳା ମାଡ଼ ହୁଏ, ତା’ର ପ୍ରଭାବ ବିନାଶକାରୀ, ବିଧ୍ୱଂସକାରୀ ହୋଇଥାଏ । ୬.୬ କୋଟି ବର୍ଷ ତଳର ଗ୍ରହାଣୁ ମାଡ଼ ଏହାର ଉଦାହରଣ । ୟୁକାଟାନ୍ ଉପଦ୍ୱୀପ(ବର୍ତ୍ତମାନର ମେକ୍ସିକୋ) ରେ ଏହି ଗ୍ରହାଣୁ ମାଡ଼ ହୋଇଥିଲା । ଏହା ଯୋଗୁ ଡାଇନୋସର ବଂଶ ଲୋପ ପାଇଥିବା ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼େ ।
ଅଧ୍ୟୟନର ମୁଖ୍ୟ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଆର୍ଥ୍ ଆଣ୍ଡ ପ୍ଲାନେଟାରୀ ସାଇନ୍ସେସ୍ର ଆସିଷ୍ଟାଣ୍ଟ୍ ପ୍ରଫେସର ନାଦ୍ଜା ଡ୍ରାବୋନ୍ କହିଛନ୍ତି, ୩୨୬ କୋଟି ବର୍ଷ ତଳେ ପୃଥିବୀରେ ମାଡ଼ ହୋଇଥିବା ଏସ୍-୨ ଗ୍ରହାଣୁ ଡାଇନୋସର ବଂଶ ବିନାଶକାରୀ ଗ୍ରହାଣୁ ତୁଳନାରେ ୫୦-୨୦୦ ଗୁଣ ବିଶାଳ ଥିଲା । ସେତେବେଳେ ପୃଥିବୀ ତା’ର ପ୍ରାରମ୍ଭିକ ସମୟରେ ଥିଲା । ଅଧ୍ୟୟନ ମାଧ୍ୟମରେ ଡ୍ରାବୋନ୍ ଏସ୍-୨ ଉଲ୍କାର ପ୍ରଭାବକୁ ବର୍ଣ୍ଣନା କରିଛନ୍ତି । ପୃଥିବୀରେ ଏହା ମାଡ଼ ହେବା ପରେ କ’ଣ ଘଟିଥିଲା ତାହା ଦର୍ଶାଇଛନ୍ତି । ଅଧ୍ୟୟନର ତଥ୍ୟ ପ୍ରୋସିଡିଙ୍ଗ୍ସ ଅଫ୍ ଦ ନ୍ୟାସ୍ନାଲ ଏକାଡେମୀ ଅଫ୍ ସାଇନ୍ସେସ୍ରେ ପ୍ରକାଶ ପାଇଛି ।
ଡ୍ରାବୋନ୍ଙ୍କ ଅନୁସାରେ, ସେତେବେଳେ କୌଣସି ଜଟିଳ ଜୀବର ବିକାଶ ହୋଇନଥିଲା । ବ୍ୟାକ୍ଟେରିଆ ଓ ଆର୍କିଆ ରୂପେ କେବଳ ଏକକୋଷୀ ଜୀବ ଥିଲେ । ମହାସାଗରରେ ସମ୍ଭବତଃ କିଛି ଜୀବ ଥିଲେ, କିନ୍ତୁ ବର୍ତ୍ତମାନ ଯେଉଁ ମାତ୍ରାରେ ଅଛନ୍ତି ସେମିତି ନ ଥିଲେ । ଏହାର କାରଣ ପୋଷକତତ୍ତ୍ୱର ଅଭାବ । କିଛି ଲୋକ ଆର୍କିଆନ୍ ମହାସାଗରଗୁଡ଼ିକୁ ‘ଜୈବ ମରୁଭୂମି’ ରୂପେ ବର୍ଣ୍ଣନା କରନ୍ତି । ‘ଆର୍କିଆନ୍ ଆର୍ଥ୍’ କିଛି ଦ୍ୱୀପଯୁକ୍ତ ଜଳଜଗତ ଥିଲା । ଏହା ଏକ ବିଚିତ୍ର ଦୃଶ୍ୟ ହୋଇଥିବ, କାରଣ ଲୌହ-ସମୃଦ୍ଧ ଗଭୀର ଜଳ ଯୋଗୁ ମହାସାଗରଗୁଡ଼ିକର ରଙ୍ଗ ସମ୍ଭବତଃ ସବୁଜ ଥିଲା ବୋଲି ଡ୍ରାବୋନ୍ କହିଛନ୍ତି ।
ଏସ୍-୨ ଗ୍ରହାଣୁ ମାଡ଼ ଏକ ବୈଶ୍ୱିକ ଅରାଜକତା ଥିଲା । କିନ୍ତୁ ଏହାର ପ୍ରଭାବରେ ଏଭଳି କିଛି ଉପାଦାନ ମିଶିଥିଲା, ଯାହା ବୋଧହୁଏ ବ୍ୟାକ୍ଟେରିଆ ଜୀବନକୁ ସମୃଦ୍ଧ କରିଥିଲା ବୋଲି ଡ୍ରାବୋନ୍ କହିଛନ୍ତି । ପୃଥିବୀ ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ ମହାକାଶର ଶିଳା ମାଡ଼ ପ୍ରତି ପୃଥିବୀ ଓ ଏହାର ପ୍ରାରମ୍ଭିକ ଜୀବଙ୍କର କିଭଳି ପ୍ରତିକ୍ରିୟା ଥିଲା, ତାହା ବୁଝିବାର ମାର୍ଗକୁ ଏହି ତଥ୍ୟ ବଦଳାଇପାରେ ।
ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ପୃଥିବୀ ଇତିହାସର ପ୍ରାରମ୍ଭରେ ଯୁବ ଗ୍ରହରେ ବାରମ୍ବାର ମହାକାଶ ଶିଳା ମାଡ଼ ହୋଇଥିଲା । ଆକଳନ ଅନୁସାରେ, ଅତିକମ୍ରେ ପ୍ରତି ୧.୫ କୋଟି ବର୍ଷରେ ୧୦ କିମିରୁ ଅଧିକ ବିଶାଳ ମହାକାଶ ଶିଳା ପୃଥିବୀରେ ମାଡ଼ ହୋଇଥିଲା । ଅର୍ଥାତ୍ ଆର୍କିଆନ୍ ଅବଧି(୪୦୦ କୋଟିରୁ ୨୫୦ କୋଟି ବର୍ଷ)ରେ ଅତିକମ୍ରେ ୧୬ଟି ବିଶାଳ ଗ୍ରହାଣୁ ପୃଥିବୀରେ ମାଡ଼ ହୋଇଥିଲା ।
କିନ୍ତୁ ଏଗୁଡ଼ିକର ପ୍ରଭାବ ସମ୍ପର୍କରେ ବିସ୍ତୃତ ଅଧ୍ୟୟନ କରାଯାଇନାହିଁ । ପୃଥିବୀର ସର୍ବଦା-ପରିବର୍ତ୍ତିତ ଭୂବିଜ୍ଞାନ, ଯେଉଁଥିରେ ଆଗ୍ନେୟଗିରି ଗତିବିଧି ଓ ଟେକ୍ଟୋନିକ୍ ପ୍ଲେଟ୍ର ଗତିବିଧି ଦ୍ୱାରା ବିଶାଳ ଗର୍ତ୍ତଗୁଡ଼ିକ ଆବୃତ୍ତ ହୋଇଛି । ସେଥିଯୋଗୁ କୋଟି କୋଟି ବର୍ଷ ତଳେ କ’ଣ ଘଟିଥିଲା, ତାହା ଖୋଜିବା କଷ୍ଟକର ହେଉଛି । ପ୍ରଥମ ମହାଦେଶ ଗଠନ ପୂର୍ବରୁ ପୃଥିବୀର ଦୃଶ୍ୟ କିପରି ଥିଲା ଏବଂ ଭୟାନକ ଉଲ୍କାର ପ୍ରଭାବ କିଭଳି ଗ୍ରହରେ ଜୀବଜଗତ ବିକାଶକୁ ପ୍ରଭାବିତ କରିଥିଲା, ତାହା ବୁଝିବାକୁ ଡ୍ରାବୋନ୍ ଓ ତାଙ୍କ ସାଥୀ ଅନୁସନ୍ଧାନକାରୀ ପ୍ରୟାସ ଜାରି ରଖିଛନ୍ତି ।
ଡ୍ରାବୋନ୍ କହିଛନ୍ତି, ଗ୍ରହାଣୁ ମାଡ଼ ଘଟଣା ନିଶ୍ଚିତ ଭାବେ ପୃଥିବୀରେ ଜୀବଜଗତର ଉତ୍ପତ୍ତି ଓ ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିବ । ଏ ବିଷୟରେ ତଥ୍ୟ ସଂଗ୍ରହ ଲାଗି ଡ୍ରାବୋନ୍ ଓ ତାଙ୍କ ସାଥୀ ଦକ୍ଷିଣ ଆଫ୍ରିକାର ବାରବର୍ଟୋନ ମଖୋଞ୍ଜୱାର ପର୍ବତର ପଥରରେ ସୁରାକ ଖୋଜିଥିଲେ । ସେଠାରେ ପର୍ବତ ପଥରରେ ୩୬୦ କୋଟିରୁ ୩୨୦ କୋଟି ବର୍ଷ ମଧ୍ୟରେ ଘଟିଥିବା ୮ ଗ୍ରହାଣୁ ମାଡ଼ ଘଟଣାର ଭୂବୈଜ୍ଞାନିକ ପ୍ରମାଣ ଦେଖିବାକୁ ମିଳେ । ଗ୍ରହାଣୁ ମାଡ଼ର ପ୍ରଭାବରେ ‘ସ୍ପିୟରୁଲ୍ସ’ ନାମରେ ପରିଚିତ କ୍ଷୁଦ୍ର ଗ୍ରହାଣୁ କଣିକା ସେମାନେ ଚିହ୍ନଟ କରିଥିଲେ ।
ବିଶାଳ ଗ୍ରହାଣୁ ପୃଥିବୀରେ ମାଡ଼ ହେଲେ, ସ୍ଫଟିକ ରୂପକ କ୍ଷୁଦ୍ର ଓ ଗୋଲାକାର କଣିକା ସୃଷ୍ଟି ହୁଏ । ଏଗୁଡ଼ିକ ପଥରରେ ପରସ୍ତ ସୃଷ୍ଟି କରନ୍ତି, ଯାହାକୁ ସ୍ପିୟରୁଲ୍ ବେଡ୍ସ କୁହାଯାଏ । ଅଧ୍ୟୟନକର୍ତ୍ତା ବହୁ ନମୁନା ସଂଗ୍ରହ କରିଥିଲେ ଏବଂ ପଥରଗୁଡ଼ିକର ସଂରଚନା ଓ ଭୂରସାୟନବିଜ୍ଞାନର ବିଶ୍ଳେଷଣ କରିଥିଲେ । ଏସ୍-୨ ଗ୍ରହାଣୁ ପ୍ରାୟ ୩୭-୫୮ କିମି ଚଉଡ଼ା ଥିଲା । ଏହାର ପ୍ରଭାବ ଅତ୍ୟନ୍ତ ତୀବ୍ର ଓ ଭୟାନକ ଥିଲା ବୋଲି ଡ୍ରାବୋନ୍ କହିଛନ୍ତି ।