ଦାରିଙ୍ଗବାଡି,୩୧/୦୭: ଥାନା ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘର । ବେଆଇନ ଭାବେ ପକ୍କା ଘର ନିର୍ମାଣ କଲେ ହିତାଧିକାରୀ । ଥାନା ଜମିରେ ଘର କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ଉଠିଲା ପ୍ରଶ୍ନ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଜମି ଏହି ଘର ନିର୍ମାଣ ହୋଇଛି । ବର୍ତ୍ତମାନ ଥାନା ଜମି ଚାରିପାଖରେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି ।
ସୂଚନା ମୁତାବକ, ଦାରିଙ୍ଗବାଡି ଗାଁର ସୁରିଆ ମହାପାତ୍ର ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ । ସରକାରୀ ନିୟମ ପ୍ରକାରେ ନିଜ ପଟା ଜମିରେ ଘର ନିର୍ମାଣ କରିବାର ନିୟମ ରହିଛି । ହେଲେ ସୁରିଆ ବେଆଇନ ଭାବେ ଥାନା ଜମିରେ ଘର କରିଛନ୍ତି । ଗୃହ ନିର୍ମାଣ ବେଳେ ଦାରିଙ୍ଗବାଡି ଥାନା ପକ୍ଷରୁ ତାଙ୍କୁ ବାରମ୍ବାର ବିରୋଧ କରାଯାଇଥିଲା । ହେଲେ ପୁଲିସ ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ଜବରଦସ୍ତ ଗୃହ ନିର୍ମାଣ କରିଥିଲେ । ବର୍ତ୍ତମାନ ସୁରିଆଙ୍କ ପରିବାର ଉକ୍ତ ଘରେ ରହୁଥିବା ବେଳେ ଥାନା ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଯଦି ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ତାହାଲେ ଘରୁ ବାହାରିବା ତାଙ୍କ ପାଇଁ ଆଉ ସମ୍ଭବ ହେବ ନାହିଁ । ଦାରିଙ୍ଗବାଡି ପୁଲିସ ମନା କରିବା ସତ୍ତ୍ୱେ ଅମାନିଆ ହୋଇ ଘର ନିର୍ମାଣ କରିବା ସୁରିଆକୁ ବର୍ତ୍ତମାନ ମହାଙ୍ଗା ପଡ଼ିଛି ।
ଅନ୍ୟପଟେ ଥାନା ଜମିରେ ଘର ନିର୍ମାଣ କରିବା ବେଳେ ବ୍ଲକ୍ ପ୍ରଶାସନ ନିଭଳି ଜାଣି ପାରିଲା ନାହିଁ ଓ ନିର୍ମାଣ କରିବା ପାଇଁ କିଏ ଓ କେଉଁଭଳି ପରିସ୍ଥିତିରେ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଭଳି କି ଉକ୍ତ ଘର କାର୍ଯ୍ୟର ବିଲ୍ କିଭଳି ହେଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯଦି ବ୍ଲକ ପ୍ରଶାସନ ଏଥିପ୍ରତି ପୂର୍ବରୁ ଦୃଷ୍ଟି ଦେଇଥାନ୍ତେ, ତାହାଲେ ହୁଏତ ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।