ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗାଳି ସହିନପାରି ଘର ଛାଡ଼ିଥିଲେ ବୃଦ୍ଧ, କଲଭର୍ଟ ଭିତରେ ବିତିଲା ୬୦ ରାତି, ଉଦ୍ଧାର କରି ଗାଁରେ ଛାଡ଼ିଲା ପୁଲିସ

Published By : Krishna Priya | December 4, 2024 2:23 PM

ଲହୁଣିପଡ଼ା/କୋଇଡ଼ା ୦୪/୧୨:  ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଟକରା ରେଙ୍ଗାଲାବେଢ଼ା ଗ୍ରାମ ନିବାସୀ ଜୋହାନ କାଣ୍ଡୁଲାନା (୬୦) ଦୀର୍ଘ ଦୁଇମାସ ଧରି ଏକ କଲଭର୍ଟ ତଳେ ରହିଥିଲେ । ତାଙ୍କୁ ସୋମବାର ବିଳମ୍ବିତ ରାତିରେ ଟେନ୍‌ସା ଫାଣ୍ଡି ପୁଲିସ୍‌ ଉଦ୍ଧାର କରିଛି । ପରିବାର ଲୋକଙ୍କ ଗାଳି ସହି ନପାରି ସେ ଘରୁ ପଳାଇ ଆସିଥିବା ପୁଲିସ୍‌କୁ କହିଛନ୍ତି । ଜୋହାନଙ୍କ ୨ ପୁଅ ଓ ୨ ଝିଅ । ଝିଅମାନେ ବିବାହ କରିସାରିଛନ୍ତି । ୧୦ ବର୍ଷ ପୂର୍ବେ ପତ୍ନୀଙ୍କ ପରଲୋକ ଘଟିଛି । ପତ୍ନୀଙ୍କ ମୃତ୍ୟୁ ପରେ ପୁଅମାନଙ୍କ ସହ ଜୋହାନ ଏଲାବେକା ଗ୍ରାମରେ ରହୁଥିବା ଭଉଣୀ ରାହିଲ ଓ ଭିଣୋଇ ଷ୍ଟିଫେନ ହରୋଙ୍କ ଘରକୁ ଚାଲି ଆସିଥିଲେ । ଗୁଜୁରାଣ ମେଣ୍ଟାଇବାକୁ ଜୋହାନ୍‌ ଟେନ୍‌ସାରେ ରହି ଛୋଟମୋଟ ମୂଲ ମଜୁରି କାମ କରୁଥିଲେ । ଗତ ମେ’ ମାସରେ ଘରକୁ ଆସିଥିଲେ ଓ ଗୋଟିଏ ଦିନ ରହି ପଳାଇ ଥିଲେ । ଆଉ ଘରକୁ ଆସିନଥିଲେ ।

୨ ମାସ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ କାମ କରୁଥିବା ସ୍ଥାନରେ ତାଙ୍କର ପତ୍ତା ମିଳିନଥିଲା । ପୁଲିସକୁ ନଜଣାଇ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ସୋମବାର ଟେନ୍‌ସାର ତାଳଡ଼ିହି ଲୌହଖଣି ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ କିଛି କର୍ମୀ ଟେନ୍‌ସା-ବାରସୁଆଁ ରାସ୍ତା ମଝିରେ ଥିବା କଲଭର୍ଟ ଆଡ଼କୁ ଆସିଥିଲେ । କଲଭର୍ଟ ତଳେ ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ବସିଥିବା ଦେଖିଥିଲେ । ଜୋହାନଙ୍କୁ ଏବିଷୟରେ ପଚାରିଥିଲେ ବି ସେ କିଛି ଉତ୍ତର ଦେଇନଥିଲେ । ତାଙ୍କୁ କର୍ମୀମାନେ ଏକ କମ୍ବଳ ଓ କିଛି ଖାଦ୍ୟ ଦେଇ ପଳାଇଥିଲେ । ଏ ନେଇ ଟେନ୍‌ସା ପୁଲିସ୍‌କୁ ସୂଚନା ଦିଆଯାଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ପୁଲିସ୍‌ ସେହି କଲଭର୍ଟରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କର ପରିଚୟ ପଚାରି ଥିଲା । ନିଜର ନାମ ଜୋହାନ କହିବା ସହ ସେ ରେଙ୍ଗାଲବେଢା ଗ୍ରାମର ବୋଲି କହିଥିଲେ । 

ପୁଲିସ୍‌ ତାଙ୍କୁ ଉଦ୍ଧାର କରି କେବେ ଠାରୁ ଏଠାରେ ରହୁଛ ବୋଲି ପଚାରିଥିଲା । ୨ ମାସ ହେଲା ଏହି କଲଭର୍ଟ ତଳେ ରହୁଥିବା ସେ କହିବା ସହ ଘରେ ଗାଳି ଦେବାରୁ ସେ ପଳାଇ ଆସିଥିବା କହିଥିଲେ । ସକାଳେ କଲଭର୍ଟରୁ ବାହାରି ରାସ୍ତାରେ ଯାଉଥିବା ଟ୍ରକ୍‌ ଚାଳକମାନଙ୍କୁ ଖାଇବାକୁ ମାଗୁଥିଲେ । ଯିଏ ଯାହା ଦେଉଥିଲା ତାକୁ ଖାଇ ପୁଣି କଲଭର୍ଟ ଭିତରକୁ ଚାଲି ଯାଉଥିଲେ । ମଙ୍ଗଳବାର ସକାଳେ ପୁଲିସ୍‌ ତାଙ୍କୁ ନେଇ ଗାଁ ପାଖରେ ଛାଡ଼ିଥିଲା । ହେଲେ ବର୍ତ୍ତମାନ ଯାଏ ଜୋହାନ ଘରେ ପହଞ୍ଚିନଥିବା ତାଙ୍କ ଭିଣୋଇ ଷ୍ଟିଫେନ କହିଛନ୍ତି । ଏହା ଜଣାପଡ଼ିବା ପରେ ପୁଲିସ୍‌ ତାଙ୍କୁ ପୁଣି ଖୋଜିବା ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.