ଭୁବନେଶ୍ବର,୧୯/୧: ରାଜ୍ୟରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଅସମୟରେ ଜୀବନ ଦୀପ ଲିଭି ଯାଉଛି । ସଡ଼କ ସୁରକ୍ଷା ମାସ ପାଳନ ହେଉଛି, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି । କିନ୍ତୁ ରାଜଧାନୀର ରାସ୍ତାରେ ତାର କିଛି ପ୍ରଭାବ ପଡ଼ୁନି । ଘରୁ ଗୋଡ଼ କାଢ଼ିଲେ ବିପଦ । ସୁରକ୍ଷିତ ଜୀବନ ନେଇ ଫେରିବା ସ୍ୱପ୍ନ । ସଡ଼କ ସୁରକ୍ଷା ମାସରେ ୮ଜଣଙ୍କର ମୃତ୍ୟୁ ହୋଇଛି ।
ବର୍ଷ ଆରମ୍ଭରୁ ରାଜଧାନୀର ଡେଥ୍ ଜୋନ୍ ପାଲଟିଥିଲା ପଳାଶୁଣୀ । ଜଣେ କର୍ମଜୀବୀ ମହିଳାଙ୍କ ଜୀବନ ଚାଲିଯାଇଥିଲା । ରାପିଡୋ ବାଇକ୍ରେ ଯାଉଥିବା ଖୋର୍ଦ୍ଧା ବେଗୁନିଆର ପ୍ରଭାସିନୀ ପଣ୍ଡା ସହିଦନଗରସ୍ଥିତ ତାଙ୍କ କର୍ମକ୍ଷେତ୍ରରେ ପହଞ୍ଚି ପାରିଲେନି । ଏହାର ଦୁଇ ଦିନ ପରେ ଭଗବାନପୁର ଶିଳ୍ପାଞ୍ଚଳରେ ୪ ବର୍ଷୀୟ ଆନନ୍ଦ ଦିଗଲ ଦୁର୍ଘଟଣାର ଶିକାର ହେଲା । ଏକ ପିକ୍ଅପ ଭ୍ୟାନ ଧକ୍କାରେ ବାପା-ମା’ଙ୍କ ସାମ୍ନାରେ ଛଟପଟ ହୋଇ କୁନି ପୁଅଟି ମରିଗଲା । ଗତ ୧୩ରେ ଯାଁଳା ଫାଣ୍ଡି ସାମ୍ନାରେ କାର-ଟାଟା ଏସି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଶନିବାର ସନ୍ଧ୍ୟାରେ ରାଜଭବନ ଭଳି ହାଇ ସିକ୍ୟୁରିଟି ଜୋନ୍ରେ ଏକ କାର ସିରିଜ୍ ଦୁର୍ଘଟଣା ଘଟାଇଲା । ବାଇକ୍ରେ ଯାଉଥିବା ୨ ସମ୍ପର୍କୀୟ ଭାଇଙ୍କୁ ଦଳିଦେଲା । ଉଭୟେ କାମ ସାରି ଧଉଳିସ୍ଥିତ ଘରକୁ ଫେରୁଥିଲେ । ସତେ ଯେମିତି ରାସ୍ତାରେ ପାଦେ ପାଦେ ଜଗିଛି ଯମ । ସଡ଼କ ସୁରକ୍ଷା ମାସକୁ ୩ ସପ୍ତାହ ବିତିନି, ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଗଲାଣି ।
ସଡ଼କ ସୁରକ୍ଷା ମାସରେ ପରିବହନ ବିଭାଗ, ପୁଲିସ ପ୍ରଶାସନ ସବୁ ତତ୍ପର ହୋଇଉଠିଛନ୍ତି । ଦୁର୍ଘଟଣାକୁ ରୋକିବାକୁ ଚାରିଆଡ଼େ ସଚେତନତା ବାର୍ତ୍ତା ବଣ୍ଟାଯାଉଛି । ଟ୍ରାଫିକ୍ ନିୟମର କଡ଼ାକଡି଼ ଯାଞ୍ଚ ଚାଲିଛି । ହେଲେ "ସୁରକ୍ଷିତ ଭାବେ ଘରକୁ ଫେରିବା' ଥିମ୍ର ବିପରୀତ ଘଟୁଛି । ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା ଏକରକମ ଭୁଶୁଡ଼ି ପଡ଼ିଛି । ସନ୍ଧ୍ୟା ହେଲେ, ସହରର ଚାରିଆଡ଼େ ଚକାଜାମ୍ । କଟକ ରୋଡ୍, ଜନପଥ, ଲୁଇସ୍ ରୋଡ୍, ଜୟଦେବ ବିହାର- ନନ୍ଦନକାନନ ରାସ୍ତା, ସତ୍ସଙ୍ଗ ବିହାର- ପଳାଶୁଣୀ ରାସ୍ତାରେ ଟ୍ରାଫିକ୍ ଭିଡ଼ ଯମ ଯନ୍ତ୍ରଣା ଦେଉଛି । ରାଜଭବନ-ଏଜି ଛକ ଭଳି ପ୍ରଶସ୍ତ ରାସ୍ତାରେ ମଧ୍ୟ ଗାଡି଼ର ଲାଇନ୍ ଲମ୍ବୁଛି । ୧୬ନଂ ଏନ୍ଏଚ୍ରେ ଥିବା ଓଭରବ୍ରିଜ୍ର ସର୍ଭିସ ରାସ୍ତାରେ ନାହିଁ ନଥିବା ଭିଡ଼ ହେଉଛି । ପ୍ରାୟ ସବୁ ରାସ୍ତାରେ ଟ୍ରାଫିକ୍ ଜାମ୍ର ମୁଖ୍ୟ କାରଣ ହେଉଛି ବେଆଇନ ପାର୍କିଂ । ଶହ ଶହ କାର, ବାଇକ୍ ରାସ୍ତାକୁ ମଡ଼ାଇ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି । ଅଟୋରିକ୍ସାଗୁଡି଼କ ରାସ୍ତା ମଝିରେ ଅଟକି ଯାତ୍ରୀ ବୁହାଉଛନ୍ତି । ଅନେକ ବାଇକ୍ ଚାଳକ ହେଲ୍ମେଟ୍ ପିନ୍ଧିବା ମନରୁ ପାଶୋରି ଗଲେଣି ।
ଏହା ବି ପଢନ୍ତୁ....ରାଜଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା ; ଜଣେ ମୃତ , ୨ ଗୁରୁତର
ଦ୍ରୁତଗତି, ରଙ୍ଗ୍ ରୁଟ୍, ମଦ ପିଇ ଗାଡି଼ ଚାଳନା ଦୃଶ୍ୟ ଦେହସୁହା ହୋଇଗଲାଣି । ଲାଗୁଛି, ସତେ ଯେମିତି ଅମାନିଆମାନେ ଟ୍ରାଫିକ୍ ଛାଟ ଭୁଲିଗଲେଣି । ନା କେଉଁଠି ଟ୍ରାଫିକ୍ ପୁଲିସ ଚେକିଂ କରୁଛି, ନା ଆର୍ଟିଓର ଏନ୍ଫୋର୍ସମେଣ୍ଟ ଟିମ୍ର ଦେଖା ମିଳୁଛି । ସୂଚନାଯୋଗ୍ୟ, ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ୪୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରତିବର୍ଷ ୫ ହଜାର ଜଣ ଦୁର୍ଘଟଣାରେ ଆଖି ବୁଜୁଛନ୍ତି । ଚଳିତବର୍ଷ ସପ୍ତାହେ ବଦଳରେ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ ହେଉଛି । କିନ୍ତୁ ସଡ଼କ ସୁରକ୍ଷା ଉପରେ ଏହାର କିଛି ପ୍ରଭାବ ଥିଲା ପରି ମନେ ହେଉନାହିଁ ।