ବଲାଙ୍ଗୀର, ୧୯/୦୫: କୁଶପାଲି ଓ ହଲନଭଟା ତିନି କୋଣିଆ ବୁଲାଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁଗଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ବ୍ଲକ୍ କର୍ମଚାରୀଙ୍କ ଜୀବନ ଯାଇଛି । ମୃତକ ପପୁ ବେନିଆ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କୁଶପାଲି ଓ ହଲନଭଟା ତିନି କୋଣିଆ ବୁଲାଣି ଛକରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ତୁରେକେଲା ଗାଁର ପପୁ ବେନିଆ ଓ ଅମିତ ପଟେଲ୍ ହଲନଭଟାରୁ ଫେରୁଥିଲେ । ଏହି ସମୟରେ କୁଶପାଲି ଓ ହଲନଭଟା ତିନି କୋଣିଆ ବୁଲାଣି ଛକରେ ତାଙ୍କ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁହେଁ ତଳେ ପଡ଼ିଯିବାରୁ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ଲକ୍ କର୍ମଚାରୀ ପପୁ ବେନିଆଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।