ଫୁଲବାଣୀ,୭/୭: ତଳକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର । ସଦର ଥାନା ଅନ୍ତର୍ଗତ ପୂତୁଡ଼ିଠାରେ ଚାଲିଥିବା ନିର୍ମାଣ କାମ ପାଇଁ ଇଟା ନେଇ ଯାଉଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଶ୍ରମିକ ଅଛନ୍ତି ।
ସ୍ଥାନୀୟ ଲୋକଙ୍କ ସୂଚନା ପରେ, ଫୁଲବାଣୀରୁ ଦମକଳ ବାହିନୀ, ପୋଲିସ ଓ ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଆହତମାନଙ୍କ ମଧ୍ୟରେ ତୁଡ଼ିପାଜୁ ପଞ୍ଚାୟତ ସେସାକେରା ଗ୍ରାମର ପ୍ରମୋଦିନୀ କହଁର, ଜସନ୍ତୀ କହଁର, ବନିତା କହଁର, କାମ ଦେଖୁଥିବା ଭଦ୍ରକର ସୁରେନ୍ଦ୍ର ସାମଲ, ମିଣିଆର ମିସ୍ତ୍ରୀ କୁନାଲ୍ ଭୁକ୍ତା, ପ୍ରମୁଖ ଗୁରୁତର ହୋଇଥିବା ଜଣାପଡ଼ିଛି । ସାମାନ୍ୟ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ସଦର ପୁଲିସ ଘଟଣାର ଛାନଭିନ୍ କରୁଛି ।