ଅସ୍ତରଙ୍ଗ, ୧୪।୬ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ପଞ୍ଚାୟତ ଅସନ ବାତ୍ୟା ଆଶ୍ରୟସ୍ଥଳୀ ମରାମତିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଆପତ୍ତକାଳୀନ ବିପର୍ଯ୍ୟୟ ପାଣ୍ଠିରୁ ୬ ଲକ୍ଷ ବ୍ୟୟ ଅଟକଳରେ ବାତ୍ୟା ଆଶ୍ରୟସ୍ଥଳୀ ମରାମତି କରିବାକୁ ବ୍ଲକ ପ୍ରଶାସନ ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥାନୀୟ କମିଟି ସଭାପତି ତଥା ଆଳସାହି ସରପ ଶ୍ରୀୟା ବରାଳ ୱାର୍ଡ ସଭ୍ୟାକୁ ମରାମତି କରିବାକୁ କହିଥିଲେ । ଏହାକୁ ନେଇ କିଛିଦିନ ତଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଶନିବାର ୱାର୍ଡ ସଭ୍ୟା କିଛି ବ୍ୟକ୍ତିଙ୍କୁ ନେଇ ମରାମତି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଠେଙ୍ଗା ଓ ମାରଣାସ୍ତ୍ରରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ ।