ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନବସର ଦ୍ୱିତୀୟ ଦିବସ: ଶ୍ରୀବିଗ୍ରହଙ୍କ ଚାଲିଛି ସ୍ୱତନ୍ତ୍ର ଉପଚାର, ବଡ଼ଦେଉଳରେ ନିରବତା, ଉଚ୍ଚ ଶବ୍ଦ ବାରଣ

Published By : Prameya | June 13, 2025 10:41 AM

ପୁରୀ,୧୩/୦୬: ସ୍ନାନ ପୂର୍ଣ୍ଣିମା ନିଶାର୍ଦ୍ଧରୁ ଦାରୁବ୍ରହ୍ମ ଅଣସରେ । ୧୦୮ ଗରା ସୁନା କୂଅ ଜଳ ସ୍ନାନ କରି ଜ୍ୱରରେ  ମହାପ୍ରଭୁ । ଉପଚାର ପାଇଁ ଆରମ୍ଭ ହୋଇଛି ଶ୍ରୀବିଗ୍ରହଙ୍କ ଅନବସର ଗୁପ୍ତ ପୂଜା । ଦଇତାପତି ସେବକମାନେ କରୁଛନ୍ତି ସ୍ୱତନ୍ତ୍ର ସେବାର୍ଚ୍ଚନା । ଅନ୍ୟ କାହାରିକୁ ସେଠାକୁ ପ୍ରବେଶ  ଅନୁମତି ନାହିଁ । ଠାକୁରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରୁଛନ୍ତି । ଏହି ସମୟରେ ତୁଳସୀ ଲାଗି ହେଉ ନାହିଁ ।  ଚାଲିଛି ପ୍ରତୀକାତ୍ମକ ପୂଜା । ଶୂନ୍ୟକୁ ପଣା ଭୋଗ ସମର୍ପଣ  କରାଯାଉଛି । ଠାକୁରେ ନିରାକାର ଓ ସର୍ବତ୍ର ବିଦ୍ୟମାନ ।  ଏଣୁ ପତିମହାପାତ୍ରେ ଶୂନ୍ୟକୁ ଚାହିଁ ପଣା ଭୋଗ ସମର୍ପଣ କରୁଛନ୍ତି । ଠାକୁରେ ଅସୁସ୍ଥ ହେତୁ ବଡ଼ଦେଉଳରେ ଉଚ୍ଚ ଶବ୍ଦକୁ ବାରଣ । ଶୁଭୁନି ଛାମୁ ଖୁଣ୍ଟିଆଙ୍କ ମଣିମା ଡ଼ାକ । ଏପରିକି ଘଣ୍ଟ ଓ ଘଣ୍ଟି ମଧ୍ୟ ବାଜୁନି ।  

ସ୍ନାନ ମଣ୍ଡପରୁ ଆସି ଠାକୁରେ ଅଣସର ପିଣ୍ଡିରେ ବିଜେ ହେଲା  ବେଳକୁ ବୁଧବାର ବିଳମ୍ବିତ ରାତି ୪ଟା୩୫ । ଶ୍ରୀମସ୍ତକରୁ ଚିତା ଉଲାଗି ପରେ ଦଇତାପତିମାନେ ଠାକୁରଙ୍କ ଠାରେ ବାରଲାଗି  ଖଣ୍ଡୁଆ ଶ୍ରୀମୁଖ ଲାଗି କଲେ । ପରେ କୋଠ ସୁଆଁସିଆ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବାନ୍ଧିଥିଲେ । ଦଇତାପତିଙ୍କ  ଅଣସରକୁ ପ୍ରବେଶ ପାଇଁ ଧୁକୁଡ଼ି ଦ୍ୱାର ଖୋଲାଗଲା । ଅନବସରର ଦ୍ୱିତୀୟ ଦିବସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି ।  ‘ଯଥା ଦେହେ ତଥା ଦେବେ’ ହେଉଛି ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା । ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳ । ଜଣେ ବ୍ୟକ୍ତି ଜ୍ୱର ରୋଗରେ ପୀଡ଼ିତ ହେଲେ ଯେପରି ପଥି, ପାଚନ ଓ  ଔଷଧର ଆବଶ୍ୟକତା ପଡ଼ିଥାଏ, ସେହିଭଳି ଚାଲିଛି ଠାକୁରଙ୍କ  ସେବା ପୂଜା । ଦଇତା ପତି ଠାକୁରଙ୍କ ଆତ୍ମୀୟ ଭାବେ ଏକବସ୍ତ୍ର ହୋଇ ଅତି ନିଷ୍ଠା ଓ ଶୁଦ୍ଧପୂତଭାବେ ସେବା କରୁଛନ୍ତି । ଏହା  ସେମାନଙ୍କ ସାମୁହିକ ସେବା । 

ଅଣସର ଗୃହ ଅନ୍ଧାର ରହିଥାଏ । ସେବା ସମୟରେ କେବଳ ତେଲ ଦୀପ ଜଳେ । ପୁନଃ ସୁସ୍ଥ ହେଲା ପରେ ଠାକୁରଙ୍କୁ ତୁଳସୀ ଲାଗି କରାଯିବ । ଏହି ସମୟରେ ପଣା ଓ ଚକଟା ଭୋଗ ହେଉଛି । ସ୍ୱତନ୍ତ୍ର ପଣା "ପାଚନ ପାଣି'  ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଭୋଗରେ ଠାକୁରମାନଙ୍କୁ କେବଳ ଫଳମୂଳ ଲାଗି କରାଯାଉଛି ।  ପତିମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା  କରୁଛନ୍ତି । ଦଶଅବତାରଙ୍କ ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କ  ପଣା ଭୋଗ ହୁଏ । ଅଣସର ଘରେ ଲାଗିଥିବା ଭୋଗ କିମ୍ବା  ଫୁଲ ବା ଅନ୍ୟ କିଛି ସାମଗ୍ରୀ ତାଟି ଫିଟିବା ପର୍ଯ୍ୟନ୍ତ ବାହାରକୁ  ଯାଏନି । ପଣା ଭୋଗ ରାଜା ଓ ସେବକଙ୍କ ଭିତରେ ବଣ୍ଟା  ହୁଏ । ଦଶାବତାର ଠାକୁରଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ  ତଥା ପହୁଡ଼ ପୂର୍ବରୁ ଅଣସର ଠାକୁରଙ୍କ ଚକଟା ଭୋଗ ହୁଏ ।  ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଠାକୁରଙ୍କ ଅଣସର ସମୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.