ପୁରୀ,୧୫/୦୬: ଚାହୁଁ ଚାହୁଁ ବଡ଼ଦାଣ୍ଡରେ ଠିଆ ହେଲେଣି ରଥତ୍ରୟ । ଶନିବାର ରଥରେ ବଡ଼ ପୋଟଳ ଉଠାଯାଇଛି । ତୃତୀୟ ଭୂଇଁ ଟୁଙ୍ଗୁରା ପରେ ବଡ଼ ପୋଟଳ ଉଠାଗଲା । ପୂର୍ବରୁ ରଥରେ ଧମକ ଲଗା ଯାଇ ପ୍ରଥମ, ଦ୍ୱିତୀୟ ଭୂଇଁ ଉଠିଥିଲା । ପରେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ ପାରେଣୀ କାମ ସରିଲା । ଏହା ପରେ ବଡ଼ ପୋଟଳ ରଖାଗଲା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ । ବଡ଼ ପୋଟଳ ଉଠାଇ ସାରି ରଥ ଶୀର୍ଷରେ ଠିଆ ହୋଇ ଭୋଇ ସେବକମାନେ ହରିବୋଲ ଡାକ ଦେଇଥିଲେ । ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ରଥ ନିର୍ମାଣରେ ଏହା ହେଉଛି ପଞ୍ଚମ ହରିବୋଲ ଡାକ। ଏଥିସହ ରଥରେ ଚାରପରିଛା ଫିଟିଂ ହୋଇ ତାଗ ବାଡ଼ିଆ ଆରମ୍ଭ ହୋଇଛି ।
ବଡ଼ପୋଟଳ ଉପରକୁ ରହିବ ଆହୁରି ୧୨ ପରସ୍ତ ପୋଟଳ । ରଥରେ ଲାଗେ ମୋଟ ୧୩ ପରସ୍ତ ପୋଟଳ । ରଥଖଳାରେ ଆଉ ୬ ପରସ୍ତ ପୋଟଳ ତିଆରି ସରି ପାରାଭାଡ଼ି ତିଆରିକୁ ଅପେକ୍ଷା । ପୋଟଳ ସବୁ ନିମ୍ନ ଅଂଶରୁ ଉପରକୁ କ୍ରମଶଃ ଛୋଟ । ୬ ଓ ୭ନମ୍ବର ପୋଟଳ ହେଉଛି ‘ପାରାଭାଡ଼ି’ । ରଥ ଉପର ଅଂଶରେ ଆକର୍ଷଣୀୟ ହେଉଛି ରଥର ପାରାଭାଡ଼ି । ଦୁଇ ସ୍ତର ପୋଟଳ ମଝିରେ ପଟା ଦିଆଯାଇ ବକ୍ସ ଭଳି ‘ପାରାଭାଡ଼ି’ ତିଆରି କରାଯାଏ । ଏଥିରେ ଚିତ୍ରକରମାନେ ପାରା ଚିତ୍ର ଅଙ୍କନ କରିଥାନ୍ତି । ଏହାପରେ ପାରାଭାଡ଼ି ରଥରେ ସ୍ଥାପନ ହୋଇଥାଏ । ରଥ ଖଳାରେ କଳସ ତିଆରି ଆରମ୍ଭ କରିଛନ୍ତି ।
ବିଶ୍ୱକର୍ମାମାନେ ରଥରେ ତାଗ(ବରଗା ଭଳି ଲମ୍ବ କାଠ) ବାଡ଼ଉଛନ୍ତି। ଗୟଳ ଉପରେ ତାଗ ବାଡ଼ିଆ ଯାଉଛି । ଏହା ଉପରେ ପଟା ବାଡ଼ିଆ ଯାଇ ରଥର ପୃଷ୍ଠ ତିଆରି ହେବ । ରୂପକାର ସେବକ ରଥର ନାଟଗୋଡ଼ ଓ ଧୂଳିଦଣ୍ଡାରେ ଖୋଦେଇ କାର୍ଯ୍ୟ ସାରୁଛନ୍ତି । ଆଗକୁ ପଟା ଗୁଜରେ ନର ବିରାଳ, ଗଜ ବିରାଳ ଓ ସିଂହ ବିରାଳ କାର୍ଯ୍ୟ କରାଯିବ । ଏହାପରେ ଠାକୁରଙ୍କ ପ୍ରଭା କାମ ହେବ । ଚିତ୍ରକାର ଓ ଦରଜି ସେବକ ଯଥାକ୍ରମେ ରଥ ଚିତ୍ର ଓ କନାମଣ୍ଡଣି କାର୍ଯ୍ୟରେ ନିମଗ୍ନ ରହିଛନ୍ତି । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ ଦ୍ୱାର କଣ୍ଟା, କଇଁଚି କଣ୍ଟା ଆଦି ଲୁହା ସାମଗ୍ରୀ ତିଆରୁଛନ୍ତି ।
ବ୍ରେକ୍ ଚକ ମଜଭୁତି ପାଇଁ ଲାଗିଲା ଲୁହା ପ୍ଲେଟ
ବ୍ରେକ୍ ଚକ ମଜଭୁତି ପାଇଁ ଲାଗିଲା ଲୁହା ପ୍ଲେଟ୍ ରଥର ମଜଭୁତି ତଥା ସୁରକ୍ଷା ପାଇଁ ବ୍ରେକ୍ ଚକରେ ଲୁହା ପ୍ଲେଟ୍ ଲଗାଯାଇଥିବା କହିଛନ୍ତି ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣା । ନଟ୍ବୋଲ୍ଟ ସାହାଯ୍ୟରେ ପ୍ରତି ଚକରେ ୪ଟି ଲୁହା ପାତ ଲାଗୁଛି । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥ ଚକରେ ଲୁହା ପ୍ଲେଟ ଲାଗୁଛି । ରଥକୁ ଜଗ୍ ଲଗାଇ ଟେକିବା ପରେ ପହି ପ୍ଲେଟ୍ ଲଗାଯାଉଛି । ଏବେ କିଛି ବର୍ଷ ହେବ ଏହି ସତର୍କତା ଅବଲମ୍ବନ କରାଯାଉଛି । ରଥ ଚାଳନା ସମୟରେ ବାରମ୍ବାର ରଥ ରହିବାରେ ବ୍ରେକ୍ ଚକା ଉପରେ ମାଡ଼ ପଡ଼େ। ପହି ପ୍ଲେଟ୍ ଲାଗିଲେ ରଥ ମଜଭୁତି ହେବା ସହ ବ୍ରେକ୍ ଚକକୁ ଅଧିକ କ୍ଷତି ପହଞ୍ଚିବ ନାହିଁ ।