ନୀଳଗିରି, ୧୯/୯ : ବାଲେଶ୍ଵର ଜିଲ୍ଲା ସୋର ରେଞ୍ଜ କୂଳଡ଼ିହା ଅଭୟାରଣ୍ୟ ବେତେଇ ବିଟ୍ରେ କିଛି ମାସ ପୂର୍ବରୁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଲୁଚାଇବାକୁ ପାଇଁ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ରଙ୍କ ନିର୍ଦ୍ଦେଶରେ ୪ ଜଣ ସବୁଜ ବାହିନୀ ହାତୀର ଶବକୁ ଫିଙ୍ଗି ଦେଇଥିଲେ। ୬ ମାସ ପରେ ଏହି ଘଟଣା ଜଣାପଡ଼ିଥିଲା। ବେତେଇ ଅଞ୍ଚଳର ସବୁଜ ବାହିନୀ ପରମା ବେହେରା, ମହେଶ୍ୱର ବେହେରା, ପ୍ରଫୁଲ୍ଲ ଦେହୁରୀ, ବୁଲୁ ଦେହୁରୀ ସମେତ ଗାର୍ଡ ପଦ୍ମଲୋଚନ ପାତ୍ରଙ୍କୁ କୋର୍ଟ ଚାଲାଣ ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଚି। ସବୁଜ ବାହିନୀଙ୍କ ସମ୍ପର୍କୀୟମାନେ କୂଳଡ଼ିହା ଅଫିସରେ ତାଲା ପକାଇବା ସହ ବନ ବିଭାଗ ଗାଡିକୁ ଅଟକାଇଥିଲେ। ନୀଳଗିରି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସବୁଜ ବାହିନୀଙ୍କ ସମ୍ପର୍କୀୟ ସେମାନଙ୍କୁ ନିର୍ଦ୍ଦୋଷ ବୋଲି କହୁଥିବା ବେଳେ ଫରେଷ୍ଟର ଏଭଳି କିଛି ହୋଇନଥିବା କହିଛନ୍ତି।
ସୂଚନାନୁଯାୟୀ, ଗତ ଜୁଲାଇ ମାସରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦେଢ ବର୍ଷ ଭିତରେ କୂଳଡ଼ିହା ଅଭୟାରଣ୍ୟରେ ୧୨ରୁ ଅଧିକ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାହାକି ଡିଏଫଓଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।