ମାଲକାନଗିରି/ଏମଭି୭୯, ୨୧/୧୧ : ଛତିଶଗଡ଼ ରାଜ୍ୟରେ ମାଓ ଅପରେସନ ଜୋରଦାର ହେବାରୁ ସୀମାନ୍ତ ସାବେରୀ ନଦୀ ପାର ହୋଇ କିଛି ମାଓବାଦୀ ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ସ୍ଥ ଜିନେଲଗୁଡା ଜଙ୍ଗଲରେ ଗୁପ୍ତ କ୍ୟାମ୍ପ କରିବା ଖବର ପାଇ ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ସେମାନଙ୍କୁ ଠାବ କରିବା ପାଇଁ ସୀମାନ୍ତ ଜଙ୍ଗଲ ରେ ୟୁ ଏ ଭି ଅତ୍ୟାଧୁନିକ ଡ୍ରନ କ୍ୟାମେରା ଉଡାଇଛନ୍ତି । ଗତକାଲି ମଧ୍ୟରାତ୍ରରେ ସେହି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଡିଭିଏଫ ଯବାନ ଡମ୍ବରୁ ବଡ଼ ନାୟକଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଏମଭି ୭୯ଥାନା ସ୍ଥ ମେଟାଗୁଡା ଓ କାଟାନପାଲି ଜଙ୍ଗଲ ମଧ୍ୟରେ ସାବେରୀ ନଦୀର ଅବବାହିକାରେ ଓଡ଼ିଶାର କେଲେମାଡ଼ଗୁ ନଦୀଘାଟରେ କୁମ୍ବିଂ ଅପରେସନ ସହ ଡ୍ରୋନ କ୍ୟାମେରା ଉଡୁଛି। ସାବେରୀ ନଦୀର ଆର ପଟେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଓଡିମଗୁଡା ଓ ଏରାବର ଆଦିବାସୀ ଗାଁ ରହିଛି । ସେହି ସାବେରୀ ନଦୀ ପାର ହୋଇ ମାଓବାଦୀ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି । ତେଣୁ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲଙ୍ଗନା ୩ ରାଜ୍ୟ ସୀମାନ୍ତ ସିଲ କରାଯାଇ ଜିନେଲଗୁଡା ଓ ଟଙ୍କେଲଗୁଡା ରାସ୍ତାରେ ବିଏସଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ କଡାକଡି ଭାବେ ଚେକିଂ ଚାଲିଛି । ସମସ୍ତ ଗାଡି ଯାଞ୍ଚ ସହ ଆଧାରକାର୍ଡ ଚେକିଂ ଚାଲିଛି। କୁମ୍ବିଂ ଅପରେସନକୁ କଡାକଡି କରାଯାଇଛି।
ମାଓବାଦୀଙ୍କୁ ଖୋଜିବା ପାଇଁ ଆକାଶ ମାର୍ଗରେ ଉଡୁଛି UAV( Unmanned Aerial Vehicle) ଏହା ଦ୍ବାରା ଲୁଚିଥିବା ମାଓବାଦୀଙ୍କୁ ସହଜରେ ଚିହ୍ନଟ କରି ହେବ । UAV ୧୫ କିଲୋମିଟର ପର୍ଯ୍ୟନ୍ତ ଉଡି ମାଓବାଦୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇପାରିବ । ଏବେ ପର୍ଯ୍ୟନ୍ତ ମେଟାଗୁଡା ଓ କାଟାନପାଲି ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଛି ରହିଥିବା ସୂଚନାପାଇ ପୁଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ କଡାକଡି କରାଯାଇଛି । ଏନକାଉଣ୍ଟର ଘଟଣାସ୍ଥଳରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ସର୍ଚ୍ଚ ଅରେସନ ଚଲାଇଛି । ଗତକାଲି ସେ ଅଞ୍ଚଳକୁ ଯାଇଥିବା ଯବାନ ମାନେ ଆଜି ସନ୍ଧ୍ୟା ସୁଦ୍ଧା ଫେରି ନ ଥିବାରୁ ସଠିକ ବିବରଣୀ ହସ୍ତଗତ ହୋଇପାରିନାହିଁ । ଆହତ ଯବାନ ଡମ୍ବରୁଙ୍କ ଜଙ୍ଘରେ ଗୁଳି ବାଜି ପଛ ବାଟେ ଫୁଟାଇ ବାହାରି ଯାଇଛି । ଭିତରେ କିଛି ହାଡ଼ ଭାଙ୍ଗି ଥିବାରୁ ଉଚ୍ଚତର ଚିକିତ୍ସା ନିମନ୍ତେ ତାଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତ ରିତ କରାଯାଇ ଥିବା ଡାକ୍ତର କହିଛନ୍ତି।