ବୌଦ୍ଧ,୧୩/୧୧: ବାଇକ୍ ଡିକିରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ମାଡ଼ି ବସିଲା କଣ୍ଟାମାଳ ଅବକାରୀ ବିଭାଗ । ଗାଡିରୁ ୨୨ କେଜି ଗଞ୍ଜେଇ ସହ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକ ଜଣକ ଗୁଣ୍ଡୁଚିତରା ଗ୍ରାମର ନିଶାବ ରଣା (୧୯) ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ରୀଙ୍ଗାପଡ଼ା ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଘଣ୍ଟାପଡା ଅଞ୍ଚଳରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କଣ୍ଟାମାଳ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ରୀଙ୍ଗାପଡ଼ା ଛକ ନିକଟରେ ଛପି ରହିଥିଲା । ଏହି ସମୟରେ ଉକ୍ତ ବାଇକ୍ଟି ଦୃତ ଗତିରେ ଯାଉଥିବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲା ଅବକାରୀ ବିଭାଗର ଟିମ୍ । ଯାଞ୍ଚ କରିବାରୁ ଗାଡ଼ି ଡିକିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିବା ବେଳେ ନଗଦ ଟଙ୍କା ଥିବା ମଧ୍ୟ ଦେଖିବାକୁ ପାଇଥିଲା । ତେବେ ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୨୨ କେଜି ଥିବା ବେଳେ ନଗଦ ୪୦ ହଜାର ଟଙ୍କା ଥିବା ଜଣାପଡିଥିଲା । ଉକ୍ତ ଗଞ୍ଜେଇ ଏବଂ ନଗଦ ଟଙ୍କାକୁ ଜବତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି କଣ୍ଟାମାଳ ଅବକାରୀ ବିଭାଗ ।