ଛେଣ୍ଡିପଦା/ଅନୁଗୁଳ,୦୭/୦୮: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ତଥା ବାଗେଡ଼ିଆ ଥାନା ଇଲାକାରେ ଗତ ରବିବାର ଏକ ଲଜ୍ଜାଜନକ ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ପାଳଲହଡ଼ା ଅଞ୍ଚଳରୁ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ ଟ୍ରାକ୍ଟରରେ କାମ କରୁଥିବା ୩ ଜଣ ଶ୍ରମିକ ଗଣଦୁଷ୍କର୍ମ କରିଛନ୍ତି । ଗତକାଲି ଏ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡ଼ିଛି । ପୁଲିସ ଏହାକୁ ‘ସ୍ପେଶାଲ ରିପୋର୍ଟ୍’ ଓ ‘ରେଡ଼୍ ଫ୍ଲାଗ କେସ୍’ ଭାବେ ଗୁରୁତ୍ୱ ଦେଇ ମାସକ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ବୋଲି ଏସ୍ପି ରାହୁଲ ଜୈନ୍ ସୂଚନା ଦେଇଛନ୍ତି । ଏସ୍ପି ଶ୍ରୀ ଜୈନ୍ଙ୍କ ତତ୍ତ୍ୱାବଧାନରେ ଆଇୟୁସିଏଡବ୍ଲୁ (ଇନ୍ଭେଷ୍ଟିଗେଟିଭ୍ ୟୁନିଟ୍ ଫର୍ କ୍ରାଇମ୍ ଏଗନେଷ୍ଟ ୱିମେନ୍) ଡିଏସ୍ପି ଯୋଗେଶ୍ୱରୀ ବେହେରାଙ୍କ ଉପରେ ମାମଲାର ତଦନ୍ତ ଭାର ନ୍ୟସ୍ତ ହୋଇଛି ।
ପ୍ରକାଶ ଯେ, ପୀଡ଼ିତାଙ୍କ ଘର ପାଳଲହଡ଼ା ଅଞ୍ଚଳରେ । ସେ ଗତ ୩ ତାରିଖରେ ତାଙ୍କର ଜଣେ ସମ୍ପର୍କୟଙ୍କ ଘରକୁ ଛେଣ୍ଡିପଦା ଆସିଥିଲେ । ସେହିଦିନ ଅପରାହ୍ଣ ୩ଟା ବେଳେ ସମ୍ପର୍କୀୟ ଭଣଜା ସହ ସେ ବାଇକ୍ରେ ଘରକୁ ଫେରୁଥିଲେ । ବାଟରେ ହୋଟେଲ୍ରେ ଖାଇବା ସହ ଚାରବାଟିଆଠାରେ ବାଇକ୍ରେ ପେଟ୍ରୋଲ ଭରିଥାନ୍ତେ । ହେଲେ ଅଧାରାସ୍ତାରେ ମହିଳା ଜଣକ ଶୌଚ ପାଇଁ ଯାଇଥିବାବେଳେ ଟ୍ରାକ୍ଟର୍ରେ ଆସୁଥିବା ବାରମଞ୍ଚା ଗ୍ରାମର ରଞ୍ଜନ କୁମାର ମୁଖୀ (୨୮) ସମେତ ଦୁଇ ନାବାଳକ ତାଙ୍କୁ ଦେଖିଥିଲେ । ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ବିରୋଧ କରିବାରୁ ତାଙ୍କର ସମ୍ପର୍କୀୟ ଭଣଜାକୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରି ଭଗାଇ ଦେଇଥିଲେ । ରଞ୍ଜନ ସମେତ ଦୁଇ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ ମୋବାଇଲ୍ରେ ଭିଡ଼ିଓ ରେକର୍ଡ଼୍ କରିଥିବା ଗତକାଲି ବାଗେଡ଼ିଆ ଥାନାରେ ଅଭିଯୋଗ ହୋଇଥିଲା ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ବୁଧବାର ପୁଲିସ ଡଗ୍ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲା । ବିଏନ୍ଏସ୍ ଦଫା ୭୦(୧), ୩୫୧(୩) ଏବଂ ସେକ୍ସନ୍ ୬୬ (ଇ) ଆଇଟି ଆକ୍ଟରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏସ୍ପିଙ୍କ ତତ୍ତ୍ୱାବଧାନରେ ପୁଲିସ୍ ପକ୍ଷରୁ ୩ଟି ସ୍କ୍ୱାଡ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଠାବ କରାଯିବା ସହ କାବୁ କରାଯାଇଥିଲା । ଶ୍ରମିକ ନିୟୋଜିତ ଥିବା ଟ୍ରାକ୍ଟର ସାଙ୍ଗକୁ ସେମାନଙ୍କ ଦ୍ୱାରା ବ୍ୟବହୃତ ଦୁଇଟି ମୋବାଇଲ୍ ଫୋନ୍, ପୋଷାକପତ୍ର ପୁଲିସ ଜବତ କରିଛି । ପୀଡ଼ିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।