ସମ୍ବଲପୁର, ୧୮/୦୩: ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ହାଜତ ମୃତ୍ୟୁ ! ଚୋରି ଅଭିଯୋଗରେ ଥାନାରେ ଅଟକ ବ୍ୟକ୍ତିଙ୍କୁ ପୁଲିସ୍ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସୋମବାର ସନ୍ଧ୍ୟାରେ ଥାନା ଘେରିଛନ୍ତି ଉତ୍ତ୍ୟକ୍ତ ଲୋକେ । ପୁଲିସ୍ ସେମାନଙ୍କୁ ଧମକ ଚମକ ଦେଇ ହଟାଇବାକୁ ଚେଷ୍ଟା କରୁଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ।
ଅଭିଯୋଗ ଅନୁଯାୟୀ, ଗତ ରବିବାର ହୀରାକୁଦ ଝାଙ୍କରପଡ଼ାସ୍ଥିତ ଗୋଦାମରୁ ଚୋରି କରୁଥିବାବେଳେ ଧରାପଡ଼ିଥିଲେ ଖ୍ରୀଷ୍ଟିଆନ୍ପଡ଼ାର ମହମ୍ମଦ କାଦିର ଶେଖ (୨୭) । ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସ୍ ଜିମା ଦେଇଥିଲେ । ଗିରଫ ପରେ ତାକୁ ପୁଲିସ୍ କୋର୍ଟ ଚାଲାଣ କରୁଥିଲା । ହେଲେ କୋର୍ଟ ନେବା ବାଟରେ ମହମ୍ମଦଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ହେପାଜତରେ ଥିବା ବେଳେ ଏଭଳି ଘଟଣା ଘଟିଥିବା ଏସଡିପିଓ ବାଲେଶ୍ୱର ଗିଦ୍ଧି ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଲିସ୍ ହେପାଜତରେ ମହମ୍ମଦ କାଦିରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା । ଏହା ହାଜତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ପ୍ରବଳ ମାଡ଼ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସେମାନେ କହୁଛନ୍ତି । ଥାନାର ସିସିଟିଭି ଯାଞ୍ଚ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।