ଫିରିଙ୍ଗିଆ, ୨୦/୭ : ଚାଷ କରୁଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ାରେ ଯୁବ ଚାଷୀଙ୍କ ମୃତ୍ୟୁ । ମୃତକ ହେଲେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପକାରୀ ଗାଁ ର ଲଚ୍ଛମନ ନାୟକ(୨୨) । ବାପା ଅବ୍ରହାମ ନାୟକଙ୍କ ସହ ଲଚ୍ଛମନ ବିଲକୁ ଚାଷ କରିବା ପାଇଁ ଯାଇଥିଲେ I ଚାଷ କରିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା I ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ I କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡ଼ାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବାବେଳେ ଫିରିଙ୍ଗିଆ ନିକଟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା I ସଙ୍ଗେସଙ୍ଗେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଫିରିଙ୍ଗିଆ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ I
ତେବେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଡାକ୍ତରଖନା କର୍ତ୍ତୃପକ୍ଷ ଫିରିଙ୍ଗିଆ ଥାନାକୁ ଜଣାଇଥିଲେ I ଫିରିଙ୍ଗିଆ ଥାନା ପକ୍ଷରୁ ଯୁବାଚାଷୀଙ୍କ ମୃତ୍ୟୁକୁ ନେଇ କୋଟଗଡ଼ ଥାନାକୁ ଖବର ଦିଆଯାଇଥିଲା I ତେଣେ ଯୁବକଙ୍କ ମୃତ୍ୟୁକୁ ୮ ଘଣ୍ଟା ପରେ ମଧ୍ୟ କୌଣସି ପୋଲିସ ଅଧିକାରୀ ମେଡିକାଲରେ ପହଂଚି ନ ଥିଲେ I ଏହି ଘଟଣାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ହସ୍ତକ୍ଷେପ ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଦୀର୍ଘ ୮ ଘଣ୍ଟା ଧରି ପଡିରହିଥିବା ଯୁବ ଚାଷୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇପାରିଥିଲା I ତେବେ ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ହସ୍ତକ୍ଷେପ ଓ ସାମ୍ବାଦିକମାନଙ୍କ ପ୍ରଚେଷ୍ଟାରେ ମେଡିକାଲରୁ ମୃତ ଯୁବ ଚାଷୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିଥିବାରୁ ମୃତ ଚାଷୀଙ୍କ ପରିବାର ଓ ଅଂଚଳର ଜନସାଧାରଣ ମାନେ ସାଧୁବାଦ ଜ୍ଞାପନ କରିଛନ୍ତି I