ପ୍ରୟାଗରାଜ, ୩୦/୦୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଦିବ୍ୟ ଓ ଭବ୍ୟ ମହାକୁମ୍ଭ ମେଳାରେ ହୃଦୟବିଦାରକ ଅଘଟଣ ଘଟିଯାଇଛି । ସଙ୍ଗମ ତଟରେ ଅଚାନକ ଦଳାଚକଟା ହେବା ଯୋଗୁ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧ଟାରେ ଏହି ଅଘଟଣ ଘଟିଛି । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ କମିଟି ଦ୍ୱାରା ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ।
ଦଳାଚକଟା ଘଟଣାକୁ ହୃଦୟବିଦାରକ ଦର୍ଶାଇ ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୌନୀ ଅମାବାସ୍ୟା ପାଇଁ ଆଜି ଅମୃତ ସ୍ନାନର ଦିନ ଥିଲା । ବୃହତ୍ ସଂଖ୍ୟାରେ ଲୋକେ ବ୍ରାହ୍ମ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଦୁର୍ଭାଗ୍ୟବଶତଃ ଆଖଡ଼ା ମାର୍ଗରେ ଅଚାନକ ଅଘଟଣ ଘଟିଗଲା । ଜଷ୍ଟିସ ହର୍ଷ କୁମାର, ପୂର୍ବତନ ଡିଜି ଭି କେ ଗୁପ୍ତା ଓ ପୂର୍ବତନ ଆଇଏଏସ୍ ଡି କେ ସିଂହଙ୍କ ୩ ଜଣିଆ କମିଟି ଘଟଣାର ତଦନ୍ତ କରିବ । ଏହାଛଡ଼ା ପୁଲିସ ଦ୍ୱାରା ପୃଥକ୍ ତଦନ୍ତ ହେବ ।
ମେଳା ଅଧିକାରୀ ବିଜୟ କିରଣ ଆନନ୍ଦ ଏବଂ ଡିଆଇଜି ବୈଭବ କ୍ରିଷ୍ଣା ୩ ମିନିଟ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଆଇଜିଙ୍କ ମୁତାବକ ୨୫ ଜଣଙ୍କ ପରିଚୟ ମିଳିଛି । ଏମାନଙ୍କ ମଧ୍ୟରେ ୟୁପିର ସର୍ବାଧିକ ୧୯, କର୍ଣ୍ଣାଟକର ୪, ଗୁଜରାଟ ଓ ଆସାମର ଜଣେ ଲେଖାଏଁ ରହିଛନ୍ତି । ଡିଆଇଜି କହିଛନ୍ତି, ବୁଡ଼ ପକାଇବା ଲାଗି ରାତି ୧ରୁ ୨ଟା ପର୍ଯ୍ୟନ୍ତ ବ୍ରାହ୍ମ୍ୟ ମୁହୂର୍ତ୍ତକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ । ଅନ୍ୟପଟେ ବ୍ୟାରିକେଡ୍ ଭାଙ୍ଗିଯାଇଥିବାରୁ ଆଖଡ଼ା ରୁଟ୍ରେ ଭକ୍ତମାନେ ଅଧିକ ସଂଖ୍ୟାରେ ଭିଡ଼ ଜମାଇଥିଲେ । ବ୍ରାହ୍ମ ମୁହୂର୍ତ୍ତକୁ ଅପେକ୍ଷା କରିଥିବା ଭକ୍ତଙ୍କ ଉପରେ କିଛି ଲୋକ ଚଢ଼ିଯାଇଥିଲେ । ଏହାପରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ଗ୍ରୀନ କରିଡର ବନାଯାଇ ୯୦ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ଆହତଙ୍କ ମଧ୍ୟରୁ ୩୦ ଜଣ ପ୍ରାଣ ହରାଇଥିଲେ । ମେଳାରେ କୌଣସି ଭିଆଇପି ପ୍ରୋଟୋକଲ ହୋଇ ନ ଥିଲା । ମେଳା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ‘୧୯୨୦’ ଜାରି ହୋଇଛି ।
ସୂଚନାଥାଉ କି ବୁଧବାର ପବିତ୍ର ମୌନୀ ଅମାବାସ୍ୟା ଥିଲା । ତେଣୁ ମଙ୍ଗଳବାରଠାରୁ ତ୍ରିବେଣୀ ସଙ୍ଗମରେ ଭକ୍ତଙ୍କ ଅସ୍ୱାଭାବିକ ସୁଅ ଛୁଟିଥିଲା । କୋଟି କୋଟି ଭକ୍ତ ସଙ୍ଗମ ତଟରେ ପହଞ୍ଚି ବୁଡ଼ ପକାଇବା ଆରମ୍ଭ କରିଦେଇଥିଲେ । ଆହୁରି ଅନେକ ଭକ୍ତ ପବିତ୍ର ସ୍ନାନ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଅଚାନକ ଦଳାଚକଟା ସ୍ଥିତି ଉପୁଜିଥିଲା । ସଙ୍ଗମ ତଟ ଭକ୍ତଙ୍କ ଚିତ୍କାରରେ ଫାଟି ପଡ଼ିଥିଲା । ଏହାପରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଓ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କିଛି ସମୟ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଏବେ ବି ସଙ୍ଗମ ସ୍ଥଳରେ ପ୍ରାୟ ୧୦ କୋଟି ଭକ୍ତ ଥିବା ଆକଳନ କରାଯାଇଛି ।
ଏ ପର୍ଯ୍ୟନ୍ତ ପ୍ରାୟ ୨୫ ମୃତ ଶ୍ରଦ୍ଧାଳୁଙ୍କୁ ଚିହ୍ନଟ କରାଯିବା ପରେ ୨୦ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟମାନଙ୍କ ପରିଚୟ ଜାଣିବା ଲାଗି ଉଦ୍ୟମ ଚାଲିଛି । ଏହା ପୂର୍ବରୁ ସଙ୍ଗମ ସ୍ଥଳରେ ଅଗ୍ନିକାଣ୍ଡ ଘଟି ୨୦୦ ତମ୍ବୁ ଜଳିଯାଇଥିଲା । ଏଥିରେ କାହାର ଜୀବନ ଯାଇ ନ ଥିଲା ।
ସାଙ୍ଘାତିକ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜକୁ ସମସ୍ତ ପ୍ରବେଶ ପଥ ବନ୍ଦ କରି ଦିଆଯାଇଛି । ପ୍ରମୁଖ ୮ଟି ମାର୍ଗ ଯଥା ଭଦୋହୀ, ଚିତ୍ରକୂଟ, କୌଶାମ୍ବୀ, ଫତେହପୁର, ପ୍ରତାପଗଡ଼, ଜୌନପୁର, ମିର୍ଜାପୁର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି । ତମାମ ମେଳା ଅଞ୍ଚଳକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି । ସମସ୍ତ ଭେଇକିଲ୍ ପାସ୍ ରଦ୍ଦ କରାଯାଇଛି । ଅର୍ଥାତ ମେଳାରେ ଗୋଟିଏ ଗାଡ଼ି ବି ଚଳାଚଳ କରିପାରିବ ନାହିଁ ।
ରାସ୍ତାଗୁଡ଼ିକୁ ୱାନ୍-ୱେ କରି ଦିଆଯାଇଛି । ଗୋଟିଏ ରାସ୍ତାରେ ଭକ୍ତମାନେ ଆସି ପବିତ୍ର ସ୍ନାନ କରିବେ ଏବଂ ଆଉ ଏକ ରାସ୍ତା ଦେଇ ପ୍ରସ୍ଥାନ କରିବେ । ସହରରେ ଚାରିଚକିଆ ଗାଡ଼ିର ପ୍ରବେଶ ଉପରେ ରୋକ ଲଗାଯାଇଛି । ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ।
ୟୁପି କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ କହିଛନ୍ତି, ଶ୍ରଦ୍ଧାଳୁ ଯେଉଁଠି ଜାଗା ମିଳୁଛି ସେଠାରେ ସ୍ନାନ କରନ୍ତୁ । ତେବେ ଯେଉଁ ସ୍ଥାନରେ ଏତେ ସଂଖ୍ୟାରେ ଭିଡ଼ ହୁଏ ଏବଂ ଏତେ ବିରାଟ ବ୍ୟବସ୍ଥା କରାଯାଏ ସେଠାରେ ଏଭଳି ଛୋଟମୋଟ ଘଟଣା ଘଟିଥାଏ । ପ୍ରଶାସନ ମୁତାବକ, ସଙ୍ଗମ ସମେତ ୪୪ ଘାଟରେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ୮ରୁ ୧୦ କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇବା ନେଇ ଅନୁମାନ କରାଯାଉଛି । ଏହାକୁ ଦେଖି ସମଗ୍ର ପ୍ରୟାଗରାଜରେ ସୁରକ୍ଷା ସକାଶେ ୬୦ ହଜାରରୁ ଅଧିକ ଯବାନ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇ ପ୍ରୟାଗରାଜକୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ କହିଥିଲେ । ଏହାପରେ ୧୯୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳପଥ ଯୋଜନା କରିଥିବା ଜଣାପଡ଼ିଛି ।
ଏକ ସୂତ୍ର ମୁତାବକ, ଅମୃତ ସ୍ନାନ ପାଇଁ ଅଧିକାଂଶ ପଣ୍ଟୁନ୍ ପୁଲ୍ ବନ୍ଦ ଥିଲା । ଏହି କାରଣରୁ ସଙ୍ଗମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ସମୟରେ ବ୍ୟାରିକେଡରେ ଫସି କିଛି ଲୋକ ପଡ଼ିଯାଇଥିଲେ । ଏହାକୁ ଦେଖିବା ପରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହାଛଡ଼ା ସଙ୍ଗମ ନୋଜ୍ରେ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ପୃଥକ୍ ନ ଥିଲା । ଲୋକମାନେ ଯେଉଁ ରାସ୍ତା ଦେଇ ଆସୁଥିଲେ ସେହି ବାଟ ଦେଇ ଫେରୁଥିଲେ । ଏଭଳି ସ୍ଥିତିରେ ଦଳାଚକଟା ହେବା ପରେ ପଳାୟନ ପାଇଁ ସୁଯୋଗ ମିଳି ନ ଥିଲା । ସେମାନେ ପରସ୍ପର ଉପରେ ଚଢ଼ି ଦୌଡ଼ିଥିଲେ ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭିଆଇପି ସଂସ୍କୃତି ଓ ସରକାରଙ୍କ ଅବ୍ୟବସ୍ଥା ଯୋଗୁ ଦଳାଚକଟା ଘଟଣା ଘଟିଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ମହାକୁମ୍ଭ ମେଳାସ୍ଥଳକୁ ସେନା ଦାୟିତ୍ୱରେ ରଖିବା ଆବଶ୍ୟକ । ଆମ୍ ଆଦ୍ମି ପାର୍ଟି (ଆପ୍) ନେତା ସଞ୍ଜୟ ସିଂହ ଘଟଣାକୁ ଭୟାବହ ଦର୍ଶାଇଛନ୍ତି । ବିଦେଶୀ ଏଜେନ୍ସିମାନେ ମଧ୍ୟ ଏହି ଘଟଣାକୁ ନେଇ ରିପୋର୍ଟ ଦେଇଛନ୍ତି । ସେମାନେ ମୃତ୍ୟୁ ସଂଖ୍ୟା ୧୭ରୁ ୪୦ ମଧ୍ୟରେ ରହିଥିବା ଦର୍ଶାଇଛନ୍ତି ।
ଏହା ପୂର୍ବରୁ ମଧ୍ୟ କୁମ୍ଭମେଳାରେ ଦଳାଚକଟା ସ୍ଥିତି ଉପୁଜି ଅନେକଙ୍କ ଜୀବନ ଯାଇଛି । ୧୯୫୪ ଫେବ୍ରୁଆରୀ ୩ରେ ପ୍ରୟାଗରାଜରେ ଏହିଭଳି ଏକ ଘଟଣାରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ୧୯୮୬ରେ ହରିଦ୍ୱାରରେ ଅନୁଷ୍ଠିତ କୁମ୍ଭମେଳା ବେଳେ ଦଳାଚକଟା ଯୋଗୁ ୨୦୦ରୁ ଊଦ୍ଧ୍ୱର୍ ପ୍ରାଣ ହରାଇଥିଲେ । ୨୦୧୩ରେ କୁମ୍ଭମେଳା ବେଳେ ଆହ୍ଲାବାଦ ରେଳଷ୍ଟେସନରେ ଦଳାଚକଟା ଯୋଗୁ ୪୨ ଜଣ ପ୍ରାଣ ହରାଇଥିଲା ବେଳେ ୪୫ ଆହତ ହୋଇଥିଲେ ।
ଅପରପକ୍ଷରେ ମୌନୀ ଅମାବାସ୍ୟା ପାଇଁ ବୁଧବାର ପ୍ରୟାଗରାଜ ମହାକୁମ୍ଭରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ପହଞ୍ଚିଥିଲେ । ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୭ କୋଟି ଭକ୍ତ ବୁଡ଼ ପକାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦ କୋଟି ପାର୍ କରିବା ନେଇ ଆକଳନ କରାଯାଇଛି । ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏ ପର୍ଯ୍ୟନ୍ତ ୨୫ କୋଟିରୁ ଅଧିକ ଭକ୍ତ ଅମୃତ ସ୍ନାନ କରିସାରିଲେଣି । ବୁଧବାର ତିନି ଶଙ୍କରାଚାର୍ଯ୍ୟ ଯଥା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ, ସ୍ୱାମୀ ସଦାନନ୍ଦ ସରସ୍ୱତୀ ଓ ସ୍ୱାମୀ ବିଦୁଶେଖର ଭାରତୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ସେହିଭଳି ତ୍ରିବେଣୀ ସଙ୍ଗମରେ ୧୩ଟି ଆଖଡ଼ାର ସନ୍ଥମାନେ ପବିତ୍ର ସ୍ନାନ କରିଛନ୍ତି ।