ଦାରିଙ୍ଗବାଡି,୧୩/୧(ଆପ୍ର): ଦାରିଙ୍ଗବାଡି ଶୀତ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ସଭାପତିତ୍ବ କ୍ରମେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, କୋଟଗଡ଼ ବ୍ଲକ ଅଧ୍ୟକ୍ଷ ପିଙ୍କି ପ୍ରଧାନ,ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଯୋଗ ଦେଇଥିଲେ ।
କନ୍ଧମାଳ ଜିଲ୍ଲାରେ ଯେଭଳି ଭାବେ ପର୍ଯ୍ୟଟନ ସ୍ଥଳୀ ସହ ଜଙ୍ଗଲଜାତ ଦ୍ରବ୍ୟ ରହିଛି ତାକୁ ନେଇ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାକୁ ଏକ ନମ୍ୱର ଜିଲ୍ଲା ଭାବେ ଗଢିବା ବୋଲି ମୁଖ୍ୟ ଅତିଥି କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଣ୍ଟୁ ଛୁରିଆ ଙ୍କ ରଙ୍ଗାରଙ୍ଗ ସମ୍ବଲପୁରୀ ସଙ୍ଗୀତରେ ନୃତ୍ୟ କରିଥିଲେ ଦର୍ଶକ । ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଯୋଗାଣ ଅଧିକାରି ନିହାର ରଞ୍ଜନ ବେହେରା, ମଙ୍ଗଳ ଅଧିକାରୀ ବିଶ୍ଵଜିତ ଜାଲି, ଓଏଲଏମ ବିପିଏମ ପିଣ୍ଟୁ ନାୟକ, ବିଜେପି ମଣ୍ଡଳ ସଭାପତି ମିଟୁ ସାହୁ, ହରେନ ସାହୁ, ପ୍ରଭଞ୍ଜନ ନାୟକ, ଭାଲୁ ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।
ଦାରିଙ୍ଗବାଡି ଜଳେଶ୍ଵର ବୋଲବମ୍ ସଂଘ ପକ୍ଷରୁ ଲୋକଙ୍କୁ ମୁକ୍ତ ଭାବେ ହର୍ବାଲ ଟି ପ୍ରଦାନ କରାଯାଇଥିଲା । ଫଳରେ ଲୋକେ ହାଡ଼ ଭଙ୍ଗା ଶୀତରୁ କିଛି ମାତ୍ରାରେ ରକ୍ଷା ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ଙ୍କ ଭିଡ ଜମିଥିଲା । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରରୂପେ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ବିଡ଼ିଓ ପ୍ରୀତି ରଞ୍ଜନ ରଥ ସମସ୍ତ କର୍ମକର୍ତ୍ତା ସହ ଅଞ୍ଚଳବାସୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।