ବାଗଲକୋଟ୍,୨୧।୧୧: କର୍ଣ୍ଣାଟକର ବାଗଲକୋଟ୍ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ତାହା ହେଲା ହେୟାର ଡ୍ରାୟରୁ ହୋଇଛି ହଠାତ ବିସ୍ଫୋରଣ। ଏହାଦ୍ବାରା ସ୍ଥାନୀୟ ମହିଳା ଜଣେ ଗୁରୁତର ଭାବରେ ହୋଇଛନ୍ତି ଆହତ। ଘଟଣା ପଛର ସତ୍ୟତା ସାମନାକୁ ଆଣିବ ସହ ମାମଲାର ଯାଞ୍ଚ କରୁଛି। ବାଗଲକୋଟ୍ ଜିଲ୍ଲାର ଇଲକଲ୍ରେ ଘଟିଥିବା ଏହି ଅଘଟଣରେ ଜଣେ ମହିଳାରଙ୍କ ଦୁଇ ହାତ କଟି ଯାଇଛି। ଏହି ଘଟଣା ବୁଧବାର ସେତେବେଳେ ଘଟିଥିଲା ଯେତେବେଳେ ବାସମ୍ମା ୟାରାନଲ୍ ନାମକ ମହିଳା ହେୟାର ଡ୍ରାଏର ଟେଷ୍ଟ କରୁଥିଲେ। ହେୟାର ଡ୍ରାଏର ଫାଟିବା କାରଣରୁ ବାସମ୍ମାଙ୍କ ଦୁଇ ହାତର ପାପୁଲି ଓ ଅଙ୍ଗୁଳି ସମ୍ପୂର୍ଣ୍ଣ ଭାବରେ କ୍ଷତାକ୍ତ ହୋଇଛି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଘର ଭିତର ସାରା ପଡିଥିଲା ରକ୍ତ ଛିଟା।
ଏହି ସବୁ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଜଣେ ଯୁବକ ବାଗଲକୋଟରେ ଶଶିକଳା ନାମକ ଜଣେ ମହିଳାଙ୍କ ଘରକୁ ଏକ କୋରିଅର ପ୍ୟାକେଜ୍ ନେଇ ପହଁଞ୍ଚିଥିଲେ। ଏଥିରେ ଥିଲା ହେୟାର ଡ୍ରାୟର। ଶଶିକଳା ସେତେବେଳେ ଘରେ ନଥିଲେ। ତାଙ୍କ ପଡୋଶୀ ବାସମ୍ମା ୟାନାନଲଙ୍କୁ ତାଙ୍କର ଡେଲିଭରି ପାର୍ସଲ ନେବାକୁ କହିଥିଲେ। ଏହା ସହ ବାସମ୍ମାଙ୍କୁ ପ୍ୟାକେଟ୍ ଖୋଲିବାକୁ ମଧ୍ୟ ଅନୁରୋଧ କରିଥିଲେ। ପାର୍ସଲ ଡିଟିଡିସି କୋରିଅର ସର୍ଭିସ ମାଧ୍ୟମରେ ଆସିଥିଲି। ଏଥିରେ ‘ଚାଇନା ମେଡ୍’ କେମେଇ ବ୍ରାଣ୍ଡର ହେୟାର ଡ୍ରାୟର ଥିଲା।
କୋରିୟର ବୟଙ୍କ ଉପସ୍ଥିତିରେ ବାସମ୍ମା ପ୍ୟାକେଟ ଖୋଲିଥିଲେ। ତା ପରେ ବାସମ୍ମାଙ୍କୁ ଟ୍ରାଏ କରିବାକୁ କହିଥିଲେ ଶଶିକଳା। ଯେତେବେଳେ ବାସମ୍ମା ଏହାକୁ ଚାଲୁ କରିଥିଲେ, ହେୟାର ଡ୍ରାଏରରେ ହୋଇଥିଲା ବଡ଼ ଏକ ବିସ୍ଫୋରଣ। ବାସମ୍ମା ଗୁରୁତର ଆହତ ହୋଇଥିବା ବେଳେ ନିଜର ସବୁ ଅଙ୍ଗୁଳିକୁ ହରାଇ ଦେଇଛନ୍ତି। ବାଗଲକୋଟ୍ ଏସପି ଅମରନାଥ ରେଡ୍ଡୀ କହିଛନ୍ତି, ଏହି ମାମଲାର ଯାଞ୍ଚ ଚାଲିଛି। ଉଲ୍ଲେଖନୀୟ ଯେ, ୩୭ ବର୍ଷୀୟ ବାସମ୍ମା ହେଉଛନ୍ତି ପୂର୍ବତନ ସୈନିକ ପପନ୍ନା ୟରନଲଙ୍କ ବିଧବା ପତ୍ନୀ। ୟରନଲଙ୍କ ୨୦୧୭ ରେ ଜମ୍ମୁ-କଶ୍ମୀରରେ ବିଜୁଳି ଆଘାତରେ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ପତ୍ନୀଙ୍କ ସହ ଏଭଳି ଘଟଣା କିଛି ରହସ୍ୟଜନକ ରହିଥିବାର ସନ୍ଦେହ କରାଯାଉଛି। ଶଶିକଳା ଏହି ଡ୍ରାଏର ମଗାଇ ଥିବା କଥା ପ୍ରଥମେ ସ୍ବୀକାର କରିଥିଲେ, ତେବେ ମାମଲା ରୁଜୁ ପରେ ସେ କିଣିନଥିବା ମନା କରିଛନ୍ତି।