ନୂଆଦିଲ୍ଲୀ,୨୧।୧୧: ଡିଜିଟାଲ ଆରେଷ୍ଟ ଓ ସାଇବର ଠକେଇ ମାମଲାରେ କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ ଆକ୍ସନ। ଗୃହ ମନ୍ତ୍ରଣାଳୟର i4c ଓ୍ବିଙ୍ଗ ନିର୍ଦେଶରେ ବ୍ଲକ ହୋଇଛି ୧୭୦୦୦ ହ୍ବାଟସଆପ୍ ଆକାଉଣ୍ଟ। ଯେଉଁ ସବୁ ଆକାଉଣ୍ଟକୁ ବ୍ଲକ କରାଯାଇଛି ତାହା ଭିତରେ ଅଧିକାଂଶ ନମ୍ବର କମ୍ବୋଡିଆ,ମିଆଁମାର, ଲାଓସ୍ ଏବଂ ଥାଇଲାଣ୍ଡରେ ଆକ୍ଟିଭ ଥିଲା।
ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଡିଜିଟାଲ ଆରେଷ୍ଟ ଓ ସାଇବର ଠକେଇ ମାମଲା। ସାଇବର ଫ୍ରଡମାନେ ଲୋକଙ୍କୁ ଫସାଇ ଖାଲି କରିଦେଉନ୍ତି ଆକାଉଣ୍ଟ। ଏବେ ଉପରେ ଏବେ ଲାଗିବ ବ୍ରେକ୍। ଡିଜିଟାଲ ଆରେଷ୍ଟ ଓ ସାଇବର୍ ଠକେଇ ମାମଲାରେ କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୭ ହଜାର ହ୍ୱାଟସ୍ ଆପ୍ ଆକାଉଣ୍ଟକୁ କରିଛନ୍ତି ବ୍ଲକ୍ । ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ସହିତ ଜଡିତ ଥିବାର ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟର i4c ବା ଇଣ୍ଡିଆନ୍ ସାଇବର କ୍ରାଇମ୍ କୋ-ଅର୍ଡିନେସନ୍ ସେଣ୍ଟର ଓ୍ବିଙ୍ଗ ଏହି ଆକ୍ସନ ନେଇଛି। ଠକାମୀର ଶିକାର ହୋଇଥିବା ଲୋକ ଅନଲାଇନ୍ ଅଭିଯୋଗ କରିବା ପରେ ଗ୍ରହଣ କରାଯାଇଛି ପଦକ୍ଷେପ।
ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ ଗୃହ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିଛନ୍ତି। ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ ୭୦୯ଟି ମୋବାଇଲ୍ ଆପ୍କୁ ମଧ୍ୟ ବ୍ଲକ୍ କରିଦେଇଛି। ଗୃହମନ୍ତ୍ରଣାଳୟର ସାଇବର ଓ୍ବିଙ୍ଗର ସୂଚନା ଅନୁସାରେ, ଡିଜିଟାଲ ଆରେଷ୍ଟ କରି ଦିନକୁ ୬ କୋଟି ଟଙ୍କା ଲୁଟୁଛନ୍ତି ସ୍କାମର। ସେମାନେ ଏଭଳି ୧୦ ମାସ ଭିତରେ ୨୧୪୦ କୋଟି ଟଙ୍କା ନେଇସାରିଣେଲି। ଡିଜିଟାଲ ଆରେଷ୍ଟ ଘଟଣାରେ ସାଇବର ଓ୍ବିଙ୍ଗ ଏପର୍ଯ୍ୟନ୍ତ ୯୨,୩୩୪ ମାମଲା ରୁଜୁ କରିଛି। ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ଜଣାପଡିଛି। ଏପରି ଅପରାଧକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆଗକୁ ଆହୁରି ଅଧିକ କଠୋର ପଦକ୍ଷେପ ନେଇପାରେ।