ନୂଆଦିଲ୍ଲୀ, ୨୦/୦୬: ଇରାନର ଅଭେଦ୍ୟ ପରମାଣୁ ଦୁର୍ଗ। ପାତାଳରେ ଅଛି ସିକ୍ରେଟ୍ ନ୍ୟୁକ୍ଲିଅର ପ୍ଲାଣ୍ଟ। ଇରାନର ସବୁଠୁ ଗୁପ୍ତ ଆଟମିକ୍ ଠିକଣା। ଏହାକୁ ଭେଦ କରିପାରିବନି ଇସ୍ରାଏଲ୍ ବମ୍। ଦୁନିଆରେ କେବଳ ଗୋଟିଏ ଦେଶ ପାଖରେ ଅଛି ଦମ୍। ଭୌଗୋଳିକ ଉପସ୍ଥିତି ଯୋଗୁଁ ଏହାକୁ ସୁରକ୍ଷା ଦେଉଛି ପ୍ରକୃତି। ଏହାକୁ ଜଗିଛନ୍ତି ଋଷର ଏସ୍-୩୦୦ ମିସାଇଲ। ଏହାର ନାମ ହେଉଛି ଫୋର୍ଡୋ ଫୁଏଲ୍ ଏନରିଚ୍ମେଣ୍ଟ ପ୍ଲାଣ୍ଟ। ତେବେ ଫୋର୍ଡୋର ବିଶେଷତ୍ତ୍ଵ କ'ଣ ? ଏହି ଅଭେଦ୍ୟ କିଲ୍ଲାର କ'ଣ ରହିଛି ରାଜ୍ ? କାହିଁକି ଏହାକୁ ଭେଦ କରିପାରିବେନି କେହି ?
ଫୋର୍ଡୋ ଇରାନର ସବୁଠୁ ଗୁପ୍ତ ଏବଂ ସୁରକ୍ଷିତ ପରମାଣୁ ବେସ୍। ରାଜଧାନୀ ତେହେରାନ୍ଠୁ ପ୍ରାୟ ୧୬୦ କିମି ଦୂର କୋମ୍ ସହର ନିକଟରେ ପାହାଡ଼କୁ ଖୋଦି ଏହାର ନିର୍ମାଣ କରାଯାଇଛି। ମାଟିରୁ ପ୍ରାୟ ୨୯୫ ଫୁଟ୍ ତଳେ ଏହି ପରମାଣୁ ସାଇଟ୍ ରହିଛି। ପୂର୍ବରୁ ଏହା ଇରାନର ସବୁଠୁ ଶକ୍ତିଶାଳୀ ଫୋର୍ସ ଆଇଆରଜିସିର ମିସାଇଲ୍ ବେସ୍ ଥିଲା। ଏହା ଇରାନର ସବୁଠୁ ସିକ୍ରେଟ୍ ପ୍ଲାନ୍ ଥିଲା। ସାରା ଦୁନିଆଠୁ, ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଗୁଡ଼ିକ ନଜରରୁ ଇରାନ ଏହାକୁ ଲୁଚାଇ ରଖିଥିଲା। ପରମାଣୁ ଅସ୍ତ୍ର ତିଆରି କରିବା ଏହାର ଲକ୍ଷ୍ୟ ଥିଲା। କିନ୍ତୁ ୨୦୦୯ରେ ପଶ୍ଚିମ ଦେଶଗୁଡ଼ିକର ଗୁଇନ୍ଦା ଏଜେନ୍ସି ଇରାନ୍ର ଏହି ରାଜ୍ ସାରା ଦୁନିଆ ଆଗରେ ଖୋଲିଦେଲା। ସିକ୍ରେଟ୍ ଡକ୍ୟୁମେଣ୍ଟରୁ ଏହି ଆଣବିକ ପ୍ଲାଣ୍ଟ ବାବଦରେ ଜଣାପଡ଼ିଥିଲା।
ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଏବେ ସଭିଁଙ୍କ ନଜର ଇରାନର ଫୋର୍ଡୋ ଫୁଏଲ ଏନ୍ରିଚମେଣ୍ଟ ପ୍ଲାଣ୍ଟ ଉପରେ। ଏହି ଆଣବିକ କେନ୍ଦ୍ରକୁ ନଷ୍ଟ କରିବାକୁ ଶତ ଚେଷ୍ଟା କରିବି ସଫଳ ହୋଇନି ଇସ୍ରାଏଲ୍। ଫୋର୍ଡୋ ପାଖରେ ପହଞ୍ଚିପାରିନି ଇସ୍ରାଏଲୀ ଯୁଦ୍ଧାସ୍ତ୍ର। ବେଶ୍ ଚତୁରତାର ସହ ଏହି ପ୍ଲାଣ୍ଟକୁ ନିର୍ମାଣ କରିଛି ଇରାନ୍। ପାହାଡ଼ ତଳେ ପ୍ରାୟ ୯୦ ମିଟର ଗଭୀରତାରେ ଥିବା ଏହି ପ୍ଲାଣ୍ଟ ପ୍ରାୟ ୫୪ ହଜାର ବର୍ଗଫୁଟରେ ବିସ୍ତାରିତ ରହିଛି। ସେଠାରେ ଦୁଇଟି ଏନ୍ରିଚମେଣ୍ଟ ହଲ୍ ରହିଛି । ପ୍ଲାଣ୍ଟରେ ପ୍ରାୟ ୩ ହଜାର ଆଇଆର୍-୧ ସେଣ୍ଟ୍ରିଫ୍ୟୁଜ୍ ରହିଛି, ସେଥିରୁ ୧,୦୪୪ ଜେସିପିଓଏ ଆଇସୋଟପ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ । ୨୦୨୪ ସୁଦ୍ଧା ଇରାନ ଆଇଆର୍-୬ ସେଣ୍ଟ୍ରିଫ୍ୟୁଜ୍ ସଂଖ୍ୟା ବଢ଼ାଇଛି। ବିଶେଷଜ୍ଞଙ୍କ ଅନୁସାରେ, ଫୋର୍ଡୋରେ ଉନ୍ନତ ସେଣ୍ଟ୍ରିଫ୍ୟୁଜ୍ ମେସିନ୍ ରହିଛି। ଯାହା ୬୦ ପ୍ରତିଶତ ସୁଦ୍ଧତା ସହ ୟୁରାନିୟମ ଉତ୍ପାଦନ କରିପାରିବ। ତେବେ ପରମାଣୁ ଅସ୍ତ୍ର ତିଆରି ପାଇଁ ୯୦ ପ୍ରତିଶତ ଶୁଦ୍ଧତା ରହିବା ଆବଶ୍ୟକ। ଫୋର୍ଡୋ ଏବେ ୬୦ ପ୍ରତିଶତ କ୍ଷମତା ହାସଲ କରିଛି। ଯଦି ଫୋର୍ଡୋ ଏହାର କ୍ଷମତା ଆହୁରି ବଢାଏ ତେବେ ଏହା ପରମାଣୁ ଅସ୍ତ୍ର ତିଆରି କରିବାରେ ସକ୍ଷମ ହେବ। ୨୦୧୮ରେ ଇସ୍ରାଏଲ ଇରାନର ପରମାଣୁ ଦସ୍ତାବିଜ୍ ଚୋରି କରିନେବା ପରେ ଏ ବାବଦରେ ବାସ୍ତବ ତଥ୍ୟ ସାମ୍ନାକୁ ଆସିଥିଲା।
ଆକାଶମାର୍ଗରୁ ଆକ୍ରମଣରୁ ବର୍ତ୍ତିବା ପାଇଁ ଇରାନ ସ୍ୱତନ୍ତ୍ର ଭାବେ ଏହାକୁ ଡିଜାଇନ୍ କରିଛି। ଫୋର୍ଡୋ ପ୍ଲାଣ୍ଟର ନିୟନ୍ତ୍ରଣ ପରମାଣୁ ଶକ୍ତି ସଙ୍ଗଠନ ପାଖରେ ରହିଛି। ଏହା ନତାଞ୍ଜ ପରେ ଇରାନର ଦ୍ୱିତୀୟ ୟୁରାନିୟମ ପ୍ୟୁରିଫିକେସନ ପ୍ଲାଣ୍ଟ । ଇସ୍ରାଏଲ ଦୀର୍ଘ ସମୟରୁ ଏହାକୁ ନଷ୍ଟ କରିବାକୁ ଚାହୁଁଛି। ହେଲେ ଏହାକୁ ନଷ୍ଟ କରିବାକୁ ଇସ୍ରାଏଲ୍ ପାଖରେ ସେମିତି ଯୁଦ୍ଧାସ୍ତ୍ର ନାହିଁ। ଏୟାରଷ୍ଟ୍ରାଇକ୍ କରି ଏହାକୁ ଧ୍ଵଂସ କରିହେବ ନାହିଁ। ଏହାକୁ କେବଳ ଆମେରିକୀୟ ବିମାନ, ବୋମାରେ ନଷ୍ଟ କରିବା ସମ୍ଭବ। ଆମେରିକାର ଜିବିୟୁ-୫୭ ମାସିଭ୍ ପେନିଟ୍ରେଟର ବଙ୍କର ବଷ୍ଟର ବୋମା ଏବଂ ବି-୨ ଷ୍ଟେଲ୍ଥ ବିମାନ ହିଁ ନଷ୍ଟ କରିବାରେ ସକ୍ଷମ । କିନ୍ତୁ ତାହା ବି ସହଜ ନୁହେଁ । ଇରାନ ଏହାକୁ ମଜବୁତ ଷ୍ଟିଲ୍ ଏବଂ କଂକ୍ରିଟ୍ର ବହୁ ପରସ୍ତରେ ଢାଙ୍କିଛି। ଏହା ଲଗାତର ବମ୍ ବର୍ଷାକୁ ବି ସହ୍ୟ କରିପାରିବ। ଫୋର୍ଡୋକୁ ନଷ୍ଟ କରିବା ଲାଗି ଗୋଟିଏ ସ୍ଥାନରେ ବହୁବାର ବୋମା ପକାଇବାକୁ ପଡ଼ିବ।