ନୂଆଦିଲ୍ଲୀ,୨୦/୦୬: ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧକୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର ଆମେରିକା ଉପରେ ଲାଖି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ଭାବେ ଇରାନ୍କୁ ଧମକ ଦେଇସାରିଲେଣି । କେବଳ ଯୁଦ୍ଧକୁ ଆମେରିକା ଡେଇଁବା ବାକି ରହିଛି । ଆଉ ଦୁଇ ସପ୍ତାହ ମଧ୍ୟରେ ଟ୍ରମ୍ପ୍ ନିଷ୍ପତ୍ତି ନେବେ ବୋଲି ହ୍ୱାଇଟ୍ହାଉସ୍ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିରଙ୍କୁ ହ୍ୱାଇଟ୍ହାଉସ୍ର ନିମନ୍ତ୍ରଣକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ମୁନିରଙ୍କ ସହ ହ୍ୱାଇଟ୍ହାଉସ୍ରେ ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟାହ୍ନଭୋଜନ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ବି ହୋଇଥିଲା ।
ଜେନେରାଲ ମୁନିରଙ୍କୁ ଟ୍ରମ୍ପ୍ ଅଚାନକ କାହିଁକି ଡାକିଥିଲେ ଏବଂ ତାଙ୍କ ସହ ସେ କି ଆଲୋଚନା କଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍)ର ପୂର୍ବତନ ଅଧିକାରୀ ତଥା ଆମେରିକାନ୍ ଏଣ୍ଟରପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍ର ବରିଷ୍ଠ ବିଶ୍ଳେଷକ ମାଇକେଲ ରୁବିନ୍ଙ୍କ ତରଫରୁ ବଡ଼ ବୟାନ ସାମ୍ନାକୁ ଆସିଛି । ରୁବିନ୍ କହିଛନ୍ତି, ଏକ ବଡ଼ କାରଣରୁ ଟ୍ରମ୍ପ୍ ପାକ୍ ସେନା ମୁଖ୍ୟ ମୁନିରଙ୍କୁ ଡକାଇଥାଇ ପାରନ୍ତି । ଇରାନ୍ ଉପରେ ସମ୍ଭାବ୍ୟ ସେନା କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ସେଠାରୁ ପରମାଣୁ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ ସରଞ୍ଜାମକୁ ଆଣି ପାକିସ୍ତାନରେ ରଖିବାକୁ ଚାହୁଁଛି ।
ରୁବିନ୍ଙ୍କ ମୁତାବକ, ରାଷ୍ଟ୍ରପତି ଟ୍ରମ୍ପ୍ ଓ ଆମେରିକୀୟ ସେନାଗୁଡ଼ିକର କେନ୍ଦ୍ରୀୟ କମାଣ ‘ସେଣ୍ଟମ୍’ର ଅଧିକାରୀମାନେ ବର୍ତ୍ତମାନ ପାକିସ୍ତାନକୁ ମିଠା ମିଠା କଥା କହୁଛନ୍ତି । ଏହାର କାରଣ ହେଉଛି ସେମାନେ ଇରାନ୍ ବିରୋଧରେ ପାକିସ୍ତାନକୁ ରଣନୀତିକ ମୋହରା ବନାଇବାକୁ ଚାହୁଁଛନ୍ତି । ପାକିସ୍ତାନକୁ ଡୋନାଲ୍ଡ ଟ୍ରମ୍ପ୍ ମିତ୍ର କହିବାର କାରଣ ହେଉଛି ଏଥିରୁ ସେ କିଛି ହାସଲ କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଶେଷ କରାଯାଉ । ଯଦି ଏଭଳି ହୁଏ, ତେବେ ଆମେରିକା ଇରାନ୍ର ପରମାଣୁ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେବ । ପାକିସ୍ତାନ ହିଁ ଏଥିପାଇଁ ଉପଯୁକ୍ତ ଠିକଣା ସାଜିବ ।
ମାଇକେଲ୍ ରୁବିନ ଆହୁରି କହିଛନ୍ତି, ପାକିସ୍ତାନ ଏବେ ସ୍ୱତନ୍ତ୍ର ଦେଶ ଭାବେ ରହିନାହିଁ । ତାହା ଏବେ ଚୀନ୍ର ‘ପ୍ରକ୍ସି’ ବନିଯାଇଛି । ଏଭଳି ସ୍ଥିତିରେ ଜେନେରାଲ ମୁନିରଙ୍କ ଜରିଆରେ ଚୀନ୍ ବାବଦରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଟ୍ରମ୍ପ୍ ଚାହୁଁଥାଇ ପାରନ୍ତି । ଚୀନ୍ର ସବୁଠୁ ବଡ଼ ଚିନ୍ତା ହେଉଛି ତେଲ, ଯାହା ହୋର୍ମୁଜ ଉପସାଗର ଦେଇ ଆସିଛି । ଯଦି ଇସ୍ରାଏଲ୍-ଇରାନ୍ ଯୁଦ୍ଧ ଦୀର୍ଘଦିନ ଧରି ଜାରି ରୁହେ, ତେବେ ସବୁଠୁ ବଡ଼ କ୍ଷତି ଚୀନ୍ର ହୋଇପାରେ ।
ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ ଟ୍ରମ୍ପ୍ଙ୍କ କଥାରେ ସହଜରେ ରାଜି ହୋଇଯିବ ନା ଏହା ଉପରେ ଆମେରିକା ଚାପ ପକାଇବ । ଟ୍ରମ୍ପ୍ ନିକଟରେ ପାକିସ୍ତାନକୁ ମିତ୍ର ଦେଶ କହିଥିଲେ । ଏହାକୁ ଏବେ କୂଟନୈତିକ ଭାବେ ବ୍ୟବହାର କରାଯାଇପାରେ । ମାଇକେଲ୍ ରୁବିନ୍ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ସେନା ମୁଖ୍ୟଙ୍କ ପାଖରେ ଅଧିକ କ୍ଷମତା ରହିଛି । ତେଣୁ ଟ୍ରମ୍ପ୍ ତାଙ୍କୁ ହିଁ ଆମେରିକା ଗସ୍ତ ଲାଗି ନିମନ୍ତ୍ରଣ କରିଥିଲେ । ପାକିସ୍ତାନରେ ଇରାନ୍ର ପରମାଣୁ ସରଞ୍ଜାମକୁ ଆମେରିକା ରଖିବାକୁ ଚାହୁଁଛି । ଏହା ପଛରେ ଅନେକ କାରଣ ରହିଥିବା ରୁବିନ୍ ଯୁକ୍ତି ବାଢ଼ିଛନ୍ତି ।
ପାକିସ୍ତାନ-ଇରାନ୍ ସୀମା ୯୦୦ କିଲୋମିଟର ଯାଏ ଲାଗିଛି । ଏଭଳି ସ୍ଥିତିରେ ଯୁଦ୍ଧରେ ପାକିସ୍ତାନ ବେଶ୍ ନିର୍ଣ୍ଣାୟକ ହୋଇପାରେ । ପାକ୍ର ସେନା ଘାଟିକୁ ବ୍ୟବହାର କରି ଆମେରିକା ଇରାନ୍ର ପୂର୍ବସୀମା ଉପରେ ଟାର୍ଗେଟ୍ କରିପାରିବ । ଏଠାରେ ସ୍ଥଳଭାଗରୁ ଇରାନ୍କୁ ଜୋରଦାର ଆକ୍ରମଣ କରାଯାଇ ପାରିବ। ଆଫଗାନିସ୍ତାନ ଯୁଦ୍ଧ ବେଳେ ବି ପାକିସ୍ତାନ ଆମେରିକାକୁ ସାମରିକ ସମର୍ଥନ ପ୍ରଦାନ କରିଥିଲା ।
ଏହାବ୍ୟତୀତ ପାକିସ୍ତାନର ବାୟୁସେନା ଘାଟି ଇରାନ୍ ଉପରେ ଆକ୍ରମଣ ଲାଗି ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏଭଳି ସ୍ଥିତିରେ ଆମେରିକା ତରଫରୁ ଇରାନ୍ ଉପରେ ଆକ୍ରମଣ ଲାଗି ପାକିସ୍ତାନର ବାୟୁସେନା ଘାଟି ଲୋଡ଼ାଯାଇପାରେ । ଆଫଗାନିସ୍ତାନରେ ଆମେରିକାର ସାମରିକ ଅଭିଯାନ ବେଳେ ପାକିସ୍ତାନ ନିଜ ବାୟୁସୀମା ପେଣ୍ଟାଗନ୍ ପାଇଁ ଖୋଲି ଦେଇଥିଲା । ଏବେ ଏହାକୁ ଇରାନ୍ ପାଇଁ ପୁଣି ବ୍ୟବହାର କରାଯାଇପାରେ । ପାକିସ୍ତାନର ଏହି ସହଯୋଗରେ ମଧ୍ୟପ୍ରାଚ୍ୟରେ ଆମେରିକା ନିଜ ଉପସ୍ଥିତିକୁ ସୁଦୃଢ଼ କରିପାରିବ ।