ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗୁଣ୍ଡିଚା ମନ୍ଦିରକୁ କାହିଁକି କୁହାଯାଏ ‘ଆଡ଼ପ ମଣ୍ଡପ'; ଜାଣନ୍ତୁ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥରେ କ'ଣ ରହିଛି ଉଲ୍ଲେଖ

Published By : Anindita Ratha | July 1, 2025 11:02 AM

ପୁରୀ,୦୧/୦୭: ଶ୍ରୀନୀଳାଚଳ କ୍ଷେତ୍ରର ଅନ୍ୟତମ ପୁଣ୍ୟ ଅଧିଷ୍ଠାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଓ ଲୋକ ସାହିତ୍ୟରେ ଗୁଣ୍ଡିଚା ମନ୍ଦିରକୁ ମହାବେଦୀ, ଯଜ୍ଞବେଦୀ, ଗୁଣ୍ଡିଚା ମଣ୍ଡପ, ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର, ଆଟୋପ ମଣ୍ଡପ, ରାସମଣ୍ଡପ, ଆଡ଼ମ୍ବର ମଣ୍ଡପ ଆଦି ଭାବରେ ବର୍ଣ୍ଣନା କରାଯାଇଛି। ‘ସ୍କନ୍ଦ ପୁରାଣ’ର ଉଲ୍ଲେଖ ପ୍ରକାରେ, ଯଜ୍ଞବେଦୀ ଓ ତା’ର ସନ୍ନିକଟ ସ୍ଥାନ ନୃସିଂହ କ୍ଷେତ୍ର ରୂପେ ବିଦିତ। ଆଡ଼ପ ମଣ୍ଡପ ନୃସିଂହ କ୍ଷେତ୍ରର ପରିସରଭୁକ୍ତ। ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଚତୁର୍ଦ୍ଧା ବିଗ୍ରହଙ୍କର ପ୍ରଥମ ଅଧିଷ୍ଠାନ ସ୍ଥଳ। 

ତେବେ ଗୁଣ୍ଡିଚା ମନ୍ଦିରକୁ କାହିଁକି ‘ଆଡ଼ପ ମଣ୍ଡପ କୁହାଯାଏ, ତାହାର ରହିଛି ଭିନ୍ନ ଭିନ୍ନ ମତ ରହିଛି । ଗୋଟିଏ ମତ ହେଉଛି, ‘ଗୁଣ୍ଡ୍‌’ ଧାତୁର ଅର୍ଥ ଲୁଚାଇବା। ସେଇଥିରୁ ଆସିଛି ‘ଗୁଣ୍ଡିଚା’ ନାମ। ସେଠାର ଯଜ୍ଞ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବିର୍ଭାବ ବା ଜନ୍ମକାଳରେ, ସେମାନଙ୍କୁ ପଟ୍ଟବସ୍ତ୍ରରେ ଆଚ୍ଛାଦିତ ବା ଲୁକ୍‌କାୟିତ କରି ରଖା ଯାଇଥିଲା। ତେଣୁ ଆବରଣ ବା ଅନ୍ତରାଳ ଯୁକ୍ତ ମଣ୍ଡପରୁ ଆଡ଼ପ ମଣ୍ଡପ ନାମ ଆସିଛି। ଅନ୍ୟ ଏକ ମତ ହେଉଛି- ଆଡ଼ପର ଅର୍ଥ ଅନ୍ତୁଡ଼ିଶାଳ। ଏହା ଚତୁର୍ଦ୍ଧାବିଗ୍ରହଙ୍କର ଅନ୍ତୁଡ଼ିଶାଳ ହୋଇଥିବାରୁ ଏହା ଆଡ଼ପ ମଣ୍ଡପ।

ସେହିପରି  ଆଉ ଗୋଟିଏ ମତରେ, ‘ଆଟୁ’ର ଅର୍ଥ ପଟା ଭାଡ଼ି। ‘ମାଦଳା ପାଞ୍ଜି’ରେ ଏ ସଂପର୍କରେ ଥିବା ସୂଚନା ଅନୁସାରେ, ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ଘରଟି କାଠ ମଣ୍ଡପ ଗୃହରେ ସୀମିତ ଥିଲା। ସେଥିରେ ଉଲ୍ଲେଖ ଅଛି- “ରାଜା ବାଙ୍କୀ ମୁହାଣ ପୋତାଇଲେ। ଛଅରଥ ହେଉଥିଲା, ନଈ ପୋତାଇ ତିନି ରଥ କରାଇଲେ। ଗୁଣ୍ଡିଚାଘର ଦେଉଳ କାଠ ମଣ୍ଡପ ହୋଇଥିଲା। ତାହା ପଥର ମଣ୍ଡପ କଲେ।” ଏଣୁ ଆଟୁ ବା କାଠମଣ୍ଡପରୁ ଆଡ଼ପମଣ୍ଡପ ହୋଇଥିବା ସମ୍ଭବ।ଏହି ମଣ୍ଡପର ମାହାତ୍ମ୍ୟ ଓ ପବିତ୍ରତା ସଂପର୍କରେ ‘ସ୍କନ୍ଦପୁରାଣ-ଉତ୍କଳ ଖଣ୍ଡ’ ଅନ୍ତର୍ଗତ ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୨୯ ଅଧ୍ୟାୟରେ ବର୍ଣ୍ଣନା ରହିଛି। ଏପରିକି ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ ପ୍ରଭୁଙ୍କ ପାଇଁ ପୃଥିବୀର ସବୁଠାରୁ ପ୍ରୀତିପ୍ରଦ ସ୍ଥାନ ବୋଲି ସେଥିରେ ଉଲ୍ଲେଖ ଅଛି।

୩୪-୩୫ ଶ୍ଳୋକରେ ମହାପ୍ରଭୁ ନିଜେ କହିଛନ୍ତି-“ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାହମଜନଂ ପୁରା … ତସ୍ୟାଃ ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ।” ଅର୍ଥାତ୍‌, ଗୁଣ୍ଡିଚା ମଣ୍ଡପ ହେଉଛି ସେହି ସ୍ଥାନ, ଯେଉଁଠାରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି। ପୃଥିବୀରେ ସେହି ସ୍ଥାନ ଅପେକ୍ଷା ପବିତ୍ରତମ ସ୍ଥାନ ଆଉ ନାହିଁ।” ଗବେଷକମାନଙ୍କ ମତାନୁଯାୟୀ କାଳକ୍ରମେ କାଷ୍ଠ ମଣ୍ଡପର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନିମନ୍ତେ ସେଠାରେ ଏକ କାଷ୍ଠ ନିର୍ମିତ କୁଟୀର ନିର୍ମିତ ହୋଇଥିଲା। ତାହାକୁ ଗୁଣ୍ଡିଚା ଘର କୁହାଗଲା। ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ଯେଉଁ ପରିଦୃଶ୍ୟମାନ ପୀଢ଼ ଶୈଳୀର ମନ୍ଦିର ନିର୍ମିତ ହୋଇଛି ତାହା ଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚା ମଣ୍ଡପ ନାମରେ ଅଭିହିତ ହୋଇଛି। ତେଣୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର ବା ଗୁଣ୍ଡିଚା ମନ୍ଦିର ଏକ ସ୍ଥାନ ଓ ଏକ ଅର୍ଥବୋଧକ।

ତେବେ ପବିତ୍ର ଘୋଷଯାତ୍ରା ଅବସରରେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହବ୍ୟାପୀ ଅବସ୍ଥାନ କରିଥାନ୍ତି, ତାହା ‘ଆଡ଼ପ ମଣ୍ଡପ’ ନାମରେ ଅଭିହିତ। କିନ୍ତୁ ‘ନୀଳାଦ୍ରି ମହୋଦୟ’ରେ ଏହି ସ୍ଥାନକୁ ‘ଯଜ୍ଞବେଦୀ’ ଏବଂ ସ୍କନ୍ଦପୁରାଣରେ ‘ମହାବେଦୀ’ ବୋଲି ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପ ଅର୍ଥାତ୍ ଆଡ଼ମ୍ବରପୂର୍ଣ୍ଣ ସ୍ଥିତି ଦେଖି, ଏହି ମଣ୍ଡପକୁ ‘ଆଡ଼ପ ମଣ୍ଡପ’କୁହାଯାଇଛି। 

କବି ଦୀନକୃଷ୍ଣ ଦାସ ମଧ୍ୟ ତାଙ୍କ ‘ଜଗମୋହନ ଛାନ୍ଦ’ରେ ଗୁଣ୍ଡିଚା ମନ୍ଦିରକୁ ‘ଆଡ଼ମ୍ବର ମଣ୍ଡପ’ ଭାବେ ବର୍ଣ୍ଣନା କରିଛନ୍ତି। ଅପରପକ୍ଷରେ ଆଡ଼ପ ମଣ୍ଡପ ମାହାତ୍ମ୍ୟ ସଂପର୍କରେ କୃଷ୍ଣ ଦାସଙ୍କ ‘ଦେଉଳ ତୋଳା’ ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ “ସ୍ୱପ୍ନାନ୍ତେ ରାଜା ସୁନାର ଶଗଡ଼ ଧରି ସମୁଦ୍ରକୂଳସ୍ଥ ଚକ୍ରତୀର୍ଥଠାରେ ଆବିର୍ଭୂତ ଦାରୁ ନିକଟକୁ ଗଲେ। ବସୁ ଶବରକୁ ମଧ୍ୟ ନିମନ୍ତ୍ରଣ କରି ଆଣିଥିଲେ। ସ୍ୱପ୍ନରେ ପ୍ରଭୁଙ୍କର ଆଜ୍ଞାମତେ ରାଜା ନିଜେ ମୁଣ୍ଡରେ ପାଟ ମୁଚୁଳା ବାନ୍ଧି ଠିଆହେଲେ। ଶକଟ ବା ଶଗଡ଼ ଉପରେ ବିଜେ କଲେ ଦାରୁ। ଏ ଦାରୁଙ୍କୁ ଧରି ରାଜା ଆଡ଼ପମଣ୍ଡପଠାରେ ନିଜେ ଉପସ୍ଥିତ ରହି ଯାଗ କରାଇଲେ। ଯାଗ ବେଦୀକୁ ମାଡ଼ି ନୃସିଂହ ରହିଲେ। ଏହି ଆଡ଼ପ ମଣ୍ଡପଠାରେ ଜଗନ୍ନାଥ ମୂର୍ତ୍ତିକୁ ଗଢ଼ିବାପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀଙ୍କୁ ଜଣାଇଲେ- ତୁମ ନାମରେ ଗୁଣ୍ଡିଚା ଯାତ୍ରା ହେବ। ଜଗନ୍ନାଥ ଏହି ଆଡ଼ପ ମଣ୍ଡପରେ କିଛି ଦିନ ଅବସ୍ଥାନ କରିବେ।” 

ନୀଳାଦ୍ରିମହୋଦୟ’ର ବର୍ଣ୍ଣନା ପ୍ରକାରେ, ନୀଳାଚଳରେ ଦଶବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ଯଜ୍ଞବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ। ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହିପରି ଜନସାଧାରଣରେ ବହୁଳ ପ୍ରଚାରିତ ‘ନୀଳାଦ୍ରୌ ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ’ଉକ୍ତିକୁ ସ୍ମରଣ କରି ସନ୍ଧ୍ୟାଦର୍ଶନ ଦିନ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା ସହିତ ଦୀପଦାନ ଆଦି କରିଥାନ୍ତି। ‘ସ୍କନ୍ଦପୁରାଣ ଉତ୍କଳଖଣ୍ଡ’ର ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଆଦେଶ ଦେଇଛନ୍ତି ଯେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ଆମ୍ଭଙ୍କୁ ରଥାରୂଢ଼ ପୂର୍ବକ ମହୋତ୍ସବ କରାଇ, ଯେଉଁ ସ୍ଥାନରେ ମୁଁ ପୂର୍ବେ ଆବିର୍ଭୂତ ହୋଇଥିଲି ଏବଂ ଯେଉଁଠାରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ଯଜ୍ଞବେଦୀ, ସେହି ଗୁଣ୍ଡିଚା ମଣ୍ଡପକୁ ଆମ୍ଭମାନଙ୍କୁ ନେଇଯିବ। ଉକ୍ତ ସ୍ଥାନଟି ମୋର ଜନ୍ମସ୍ଥାନ ହେତୁ ଅଖଣ୍ଡ ପ୍ରୀତିଜନକ। ମୁଁ ସେଠାକୁ ବା ଆଡ଼ପମଣ୍ଡପକୁ ନବଦିନ ଗମନ କରିବି ଏବଂ ସେଠାରୁ ପୁନରାୟ ଏହି ସ୍ଥାନକୁ ବା ଶ୍ରୀମନ୍ଦିରକୁ ଆଗମନ କରିବି। 

ସେଠାରେ ଅବସ୍ଥିତି କାଳରେ ଯେଉଁ ସମସ୍ତ ମାନବ ମୋତେ ଦର୍ଶନ କରିବେ, ସେମାନେ ମୋର ଆଳୟ ବୈକୁଣ୍ଠ ଧାମକୁ ଗମନ କରିବେ। ଏହି ନବଦିନ ଯାତ୍ରାରେ ଶ୍ରୀବିଗ୍ରହମାନେ ସେଠାରେ ସାତଦିନ ଅବସ୍ଥାନ କରିଥାନ୍ତି। ତାହା ‘ମହାବେଦୀ ମହୋତ୍ସବ’ ଭାବରେ ଖ୍ୟାତ। ପୁରାଣର ବର୍ଣ୍ଣନା ଅନୁଯାୟୀ, ଏହି ‘ମହାବେଦୀ ମହୋତ୍ସବ’କୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ, ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ‘ସ୍କନ୍ଦପୁରାଣ’ର ୨୯ ଅଧ୍ୟାୟରେ କୁହାଯାଇଛି, “ରାଜାଙ୍କ ପ୍ରତିଷ୍ଠିତ ଶ୍ରୀମନ୍ଦିର ତାଙ୍କର ଯେପରି ପ୍ରୀତିପ୍ରଦ, ଅଶ୍ୱମେଧ ଯଜ୍ଞର ମହାବେଦୀ ନୃସିଂହ କ୍ଷେତ୍ର ମଧ୍ୟ ତଦନୁରୂପ ପ୍ରୀତିପ୍ରଦ। ସେହିଠାରେ ସେ ସାତ ଦିନ ରହିବା ଲାଗି ରଥଯାତ୍ରାର ବିଧାନ କରାଇଛନ୍ତି।ସେଠାରେ ନବମୀ ଦିନ ଭକ୍ତମାନଙ୍କୁ ‘ସନ୍ଧ୍ୟାଦର୍ଶନ ଦେଇ, ଦଶମୀ ଦିନ ଶ୍ରୀବିଗ୍ରହମାନେ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.