ଭୁବନେଶ୍ଵର, ୦୮/୦୨ : ଆରମ୍ଭ ହୋଇଗଲାଣି ପ୍ରେମଋତୁ। ସପ୍ତାହ ସାରା ପ୍ରେମ ରଙ୍ଗରେ ଉବୁଟୁବୁ ହେବେ ପ୍ରେମ ପକ୍ଷୀ। ପ୍ରେମୀ ଯୁଗଳଙ୍କ ଭିତରେ ନୂଆ ଉତ୍ସାହ ଭରିଦେବ ୭ ଦିନର ଏହି ଯାତ୍ରା। ସମ୍ପର୍କର ମିଠାପଣରେ ଯୋଡ଼ି ହେବ ଆଉ ଏକ ବର୍ଷ। ଗୋଲାପ ଦେଇ କରିବେ ପ୍ୟାର୍ ଇଜହାର... ଆଉ ସହମତି ମିଳିଲେ ଚାଲିବ ଚିଠି ଦିଆନିଆ। ମନର କଥା କହିବ ଫର୍ଦ୍ଦେ କାଗଜରେ ଲେଖାଥିବା ସେଇ କେଇପଦ କଥା। ଆଉ ସେହି ଚିଠି ପଢି ପ୍ରେମିକ ମନର ଅକୁହା କଥା ବୁଝିଯିବ ପ୍ରେମିକା। ତେବେ ଆପଣ ଜାଣିଛନ୍ତି କି ? କିଏ ଲେଖିଥିଲେ ପ୍ରଥମ ଲଭ୍ ଲେଟର ?
ପ୍ରାୟ ୨୦୦୦ ବର୍ଷ ତଳେ ଲେଖା ହୋଇଥିଲା ପ୍ରଥମ ପ୍ରେମପତ୍ର। ପୁରାଣରୁ ମିଳିଛି ଏହାର ପ୍ରମାଣ। ପ୍ରଥମେ ପ୍ରେମପତ୍ର ଲେଖିଥିଲେ ବିଦର୍ଭ ରାଜକୁମାରୀ। ସକ୍ଷୀ ସୁନନ୍ଦାଙ୍କ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଏହି ପ୍ରେମପତ୍ର ଦେଇ ପଠାଇଥିଲେ ରୁକ୍ମିଣୀ। ଯାହାପରେ ଦୁହିଁଙ୍କର ମିଳନ ହୋଇଥିଲା। ମହର୍ଷି ବେଦବ୍ୟାସଙ୍କ ଦ୍ଵାରା ଲିଖିତ ଶ୍ରୀମଦ୍ ଭାଗବତର ୫୨ତମ ଅଧ୍ୟାୟ ସର୍ଗ ୧୦ରେ ଏହି ବିଷୟରେ କରାଯାଇଛି ଉଲ୍ଲେଖ। ୭ଟି ଶ୍ଳୋକରେ ଏହି ପ୍ରେମପତ୍ର ବିଷୟରେ କରାଯାଇଛି ବର୍ଣ୍ଣନା।
ତେବେ ଆପଣ ଜାଣିଛନ୍ତି କି ? କେବେ ଲେଖା ହୋଇଥିଲା ଦୁନିଆର ପ୍ରଥମ ଚିଠି। ପ୍ରାଚୀନ ଐତିହାସିକ ହେଲେନିକସଙ୍କ ଅନୁଯାୟୀ, ଖ୍ରୀଷ୍ଟପୂର୍ବ ୫୦୦ ମସିହାରେ ଲେଖାଯାଇଥିଲା ବିଶ୍ୱର ପ୍ରଥମ ଚିଠି। ଯାହାକୁ ପଠାଇଥିଲେ ପାରସ୍ୟ ରାଣୀ ଆଟୋନିସା। ସେ ମାତ୍ର ୨୮ ବର୍ଷ ବୟସରେ ରାଣୀ ହୋଇଥିଲେ। ପ୍ରଥମ ଥର ପାଇଁ ସେ ଚିଠି ପଠାଇବା ପରେ, ବାର୍ତ୍ତା ପଠାଇବାର ଏହି ପଦ୍ଧତିକୁ ଲୋକପ୍ରିୟତା ମିଳିଥିଲା। ଏହାପରେ, ଲୋକମାନେ ରାଣୀଙ୍କୁ ଅନୁସରଣ କରି ବାର୍ତ୍ତା ପଠାଇବା ପାଇଁ ସାକ୍ଷର ହେବାକୁ ଚାହିଁଥିଲେ।
ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ, ଚିଠିର ଧାରା ପ୍ରାୟ ଅବହେଳିତ ହୋଇପଡିଛି। ପୂର୍ବ ସମୟରେ ଲୋକମାନେ ଚିଠି ମାଧ୍ୟମରେ ପରସ୍ପରଙ୍କ ଦୁଖଦୁଖ ବିଷୟରେ ଜାଣିପାରୁଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଚିଠିର ସ୍ଥାନ ନେଇଯାଇଛି । ଆଜିକାଲି ଚିଠି ଲେଖା ବହୁତ ମାତ୍ରାରେ କମିଗଲାଣି। ତଥାପି ହାତ ଲେଖା ଚିଠି ସବୁବେଳେ ହୃଦୟର ନିକଟବର୍ତ୍ତୀ ହୋଇ ରହିବ।