ଭୁବନେଶ୍ଵର : ପାଣିରେ ଖେଳିବାକୁ ସବୁ ପିଲା ପସନ୍ଦ କରିଥାନ୍ତି । ତେଣୁ ସୁଇମିଂ ସେମାନଙ୍କୁ ପସନ୍ଦ ହେବା ସ୍ୱାଭାବିକ୍ । ବିଶେଷକରି ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ପିଲାଙ୍କୁ ପହଁରା ଶିଖାଯାଇଥାଏ । ଫିଟ୍ ରହିବା ଦିଗରେ ପହଁରା ଏକ ଭଲ ବିକଳ୍ପ । କିନ୍ତୁ ଏହି ମୌଜମସ୍ତି ସମୟରେ ମଧ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସୁଇମିଂ ପୁଲରେ ଓ ଏହାର ଆଖପାଖରେ ପିଲାର ସୁରକ୍ଷା ପ୍ରତି ଧ୍ୟାନ ଦେବା ଅଭିଭାବକଙ୍କ ଦାୟିତ୍ୱ । ସୁଇମିଂ ପୁଲ୍ ଆଖପାଖରେ ଲାଇଫ୍ ଗାର୍ଡ ବ୍ୟବସ୍ଥା ରହିଥାଏ । ତଥାପି ନିଜେ ସତର୍କ ରହିବା ଜରୁରି । ପିଲା ପୁଲ୍ ଭିତରେ ଥିବା ବେଳେ ବାପାମା’ଙ୍କ ନଜର ପିଲା ଉପରେ ରହିବା ଦରକାର । ସାମାନ୍ୟ ଅବହେଳା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ପୁଲ୍ ଭିତରେ ପୁଲ୍ ଟଏଜ ଯେପରିକି ପ୍ଲୋଟ୍ସ, ରାଫ୍ଟସ୍ ଓ ପୁଲ୍ ନ୍ୟୁଡଲ୍ସ ଆଦିକୁ ସୁରକ୍ଷା ଡିଭାଇସ୍ ଭାବିବାର ଭୁଲ୍ କରନ୍ତୁନି । ଉଚ୍ଚମାନର ସେପ୍ଟି ଗିଅର୍ ଦିଅନ୍ତୁ । ଯଦି ପିଲା ନୂଆ ନୂଆ ପହଁରା ଶିଖୁଥାଏ, ଲାଇଫ୍ ଜ୍ୟାକେଟ୍ ଦେବାକୁ ଭୁଲନ୍ତୁନି ।
ଫାଷ୍ଟ ଏଡ୍ ବିଷୟରେ ଜାଣନ୍ତୁ
ପହଁରିବା ସମୟରେ ପିଲା ବୁଡିଗଲେ କଣ କରାଯିବା ଦରକାର, ଅଭିଭାବକଙ୍କର ସାମାନ୍ୟ ଜ୍ଞାନ ଥିବା ଦରକାର । ସିପିଆର୍ ଦେବାର ଉଚିତ୍ ଶୈଳୀ ଜାଣିବା ଆବଶ୍ୟକ । ପ୍ରତ୍ୟେକ ସୁଇମିଂ ସେସନ୍ରେ ଜଣେ ଏମିତି ବ୍ୟକ୍ତି ନିହାତି ରହିବା ଉଚିତ୍ ।
ବ୍ରେକ୍ ଜରୁରି
ପୁଲ୍ ଭିତରେ ରହି ପାଣିରେ ଖେଳିବାକୁ ସବୁ ପିଲା ପସନ୍ଦ କରିଥାନ୍ତି । କିନ୍ତୁ ପିଲା ଲଗାତାର ପହଁରିବା ଦ୍ୱାରା ପିଲା ଥକିଯାଇଥାଏ । ତେଣୁ ଥକିବା ପରେ ପିଲା ପୁଲ୍ରେ ରହିବା କ୍ଷତିକାରକ ହୋଇପାରେ । ତେଣୁ ପହଁରା ମଝିରେ ବ୍ରେକ୍ ନେବା ଜରୁରି । ବ୍ରେକ୍ ନେବା ଦ୍ୱାରା ଥକାପଣ ଦୂର ହୋଇଥାଏ ।
ପିଲାକୁ ହାଇଡ୍ରେଟ୍ ରଖନ୍ତୁ
ସୁଇମିଂ କରିବା ସମୟରେ ପ୍ରବଳ ଝାଳ ବାହାରିଥାଏ । ଶରୀରରେ ଜଳଶୁଷ୍କତା ଦେଖାଦେଇପାରେ । ତେଣୁ ବ୍ରେକ୍ ସମୟରେ ପିଲାକୁ ଆବଶ୍ୟକ ସ୍ୱାସ୍ଥ୍ୟକର ଖାଦ୍ୟ ଓ ପାଣି ପିଇବାକୁ ଦେବା ଉଚିତ୍ । ଏହା ସହିତ ବାହାରେ ପରିସ୍ରା କରିବାକୁ କୁହନ୍ତୁ । କିଛି ପିଲା ସୁଇମିଂ ପୁଲ୍ରେ ହିଁ ପରିସ୍ରା କରି ଦେଇଥାନ୍ତି ।
ସନ୍ସ୍କ୍ରିନ୍ ଲଗାନ୍ତୁ
ସୁଇମିଂ ପୁଲ୍ ଯିବାର ଅଧା ଘଣ୍ଟା ପୂର୍ବରୁ ପିଲାକୁ ୩୦ ଏସ୍ପିଏଫ୍ ଯୁକ୍ତ ୱାଟର୍ ରେଜିଷ୍ଟାନ୍ସ ସନ୍ସ୍କ୍ରିନ୍ ଲଗାଇବାକୁ ଭୁଲନ୍ତୁ ନାହିଁ ।
ଯଦି ଘରେ ପୁଲ୍ ରହିଥାଏ
ପୁଲ୍ର ଡ୍ରେନ୍କୁ ବନ୍ଦ କରନ୍ତୁ । ନଚେତ୍ ପିଲାର ଡ୍ରେସ୍ କିମ୍ବା କେଶ ଫସିଯାଇପାରେ । ଯଦି ପିଲା ଘରେ ସାଙ୍ଗ ସହ ସୁଇମିଂ କରୁଥାଏ, ତେବେ ସତର୍କ ଦୃଷ୍ଟି ରଖନ୍ତୁ ।