ମୋହନା, ୦୧/୦୮: ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା । RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା । ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼ । ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍ରେ ଛାଡିଲା ପୁଲିସ । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଆର. ଉଦୟଗିରି SDPO ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ଆର. ଉଦୟଗିରି ଆର୍ଡବ୍ଲୁଏସ୍ଏସ୍ କାର୍ଯ୍ୟାଳୟରେ ସଚିନ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି । ୨୩ ତାରିଖ ରାତି ପ୍ରାୟ ୧୦ଟାରେ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ କାର୍ଯ୍ୟାଳୟରେ ଖଲାସି ଭାବେ କାର୍ଯ୍ୟ କରୁଥିବା ଶିବନାରାୟଣ ନାୟକ ଖାଇବାକୁ ଦେଇଥିଲେ । ପରେ ବୋତଲରେ ପାଣି ଆଣି ଯନ୍ତ୍ରୀଙ୍କୁ ଦେଇଥିଲେ । ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ ହେବାରୁ ଲାବ୍ ଟେଷ୍ଟ ପାଇଁ ଆର୍. ଉଦୟଗିରି ଓ ପାରଳାଖେମୁଣ୍ଡି ଆର୍ଡବ୍ଲୁଏସ୍ଏସ୍ କାର୍ଯ୍ୟାଳୟକୁ ଦେଇଥିଲେ । ପରେ ତାହା ପରିସ୍ରା ବୋଲି ଜାଣିବାକୁ ପାଇଥିଲେ । ଏନେଇ ତଦନ୍ତ ପାଇଁ ଯନ୍ତ୍ରୀ ପ୍ରଥମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । କୌଣସି ପଦକ୍ଷେପ ନ ନେବା ପରେ ବୁଧବାର ସେ ଆର୍.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି । କର୍ମଚାରୀ ଶିବ କହିଛନ୍ତି, କ୍ୱାର୍ଟର୍ସରେ ଥିବା ଆକ୍ୱାଗାର୍ଡରୁ ବୋତଲରେ ପାଣି କାଢ଼ି ଦେଇଥିଲେ । ତାହା ପରିସ୍ରା ବୋଲି ସେ ଜାଣିନଥିବା କହିଛନ୍ତି । ଏନେଇ ଆର.ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ମାମଲା ରୁଜୁ ହୋଇନି । ଅନୁଧ୍ୟାନ କରାଯିବା ସହ ଉଭୟ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି ଆର୍. ଉଦୟଗିରି ଏସ୍ଡିପିଓ ସୁରେଶ ତ୍ରିପାଠୀ । ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଗଜପତି ଏସ୍ପି ଯତୀନ୍ଦ୍ର ପଣ୍ଡା କହିଛନ୍ତି ।