ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ବିକ୍ରି ହୋଇଥିବା ଗାଁ ଡାକ୍ତରବାଞ୍ଜାରୀରେ ‘ପ୍ରମେୟ’: ମାଗଣା ନୁହେଁ, ଟଙ୍କା ଦେଇ ଜାଗା ରଖିଥିଲୁ...

Published By : Manoj | July 11, 2025 10:36 AM

ମୋହନା/ଗୋଷାଣି,୧୧/୦୭: ଗଜପତି  ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରୁ  ମାତ୍ର ଦୁଇ କିଲୋମିଟର ଦୂରରେ ଚର୍ଚ୍ଚିତ ଡାକ୍ତରବାଞ୍ଜାରୀ ଗାଁ । ଏଇଥିପାଇଁ ଚର୍ଚ୍ଚିତ ଯେ  ନିକଟରେ ପୂରା ଗାଁ ବିକ୍ରି ହୋଇଯାଇଛି । ଏନେଇ  ଗ୍ରାମର ସ୍ଥିତି ଓ ଗ୍ରାମବାସୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଗାଁରେ ପହଞ୍ଚିଥିଲା ‘ପ୍ରମେୟ’ ଟିମ୍‌ ।  ଗାଁର ଚାରି ସାହିରେ ୯୩ ଘର । ଅଧିକାଂଶ  ଘର ଆବାସ ଯୋଜନାରେ । ଗାଁର ଆରମ୍ଭରୁ  ଶେଷ ସିମେଣ୍ଟ୍‌ କଙ୍କ୍ରିଟ୍‌ ରାସ୍ତା । ଷ୍ଟ୍ରିଟ୍‌ ଲାଇଟ୍‌ ଅଛି  ଓ ବସୁଧା ଯୋଜନାରେ ସବୁ ଘରକୁ ପାଇପ୍‌  ଲାଇନ୍‌ । ପୁଣି ଗାଁ ମଝିରେ ରହିଛି ବିରାଟ ପଥର  କୂଅ ଓ ୩ଟି ନଳକୂଅ । ଅଛି ପ୍ରାଥମିକ ବିଦ୍ୟାଳୟ  ଓ ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ଏହି ଗାଁ ବିକ୍ରି  ହୋଇଯାଇଛି । ଏବେ ଆଶଙ୍କାରେ ଗ୍ରାମବାସୀ । 

ଡାକ୍ତରବାଞ୍ଜାରୀ ଗ୍ରାମର ପ୍ରାୟ ବାସିନ୍ଦା  ସୌରା ଆଦିବାସୀ ସମ୍ପ୍ରଦାୟର । ସେମାନଙ୍କ  ପୂର୍ବପୁରୁଷ ନିକଟବର୍ତ୍ତୀ ରାଜସ୍ୱ ଗ୍ରାମ ପାହାଡ଼ ଉପରେ ଏକ ଗାଁ ପର୍ଶୁରାମପୁରର ମୂଳନିବାସୀ ।  ପ୍ରାୟ ୬୦ ବର୍ଷ ପୂର୍ବେ ପାହାଡ଼ ତଳେ ଜଣେ  ବୈଦ୍ୟ ଏମ୍‌. ବୁଚି ଆନ୍ନାଙ୍କ କିଛି ଜମି ଥିଲା ।  ତେଣୁ ତାଙ୍କର ଜାଗାକୁ ଡାକ୍ତର ବାଞ୍ଜାରୀ  (ତେଲୁଗୁରେ ବାଞ୍ଜାରୀ ଶବ୍ଦର ଅର୍ଥ ପଦର)  କୁହାଯାଉଛି । ସେ ସ୍ଥାନୀୟ ଆଦିବାସୀଙ୍କୁ ତାଙ୍କ  ଜମିରେ ବସବାସ କରିବାକୁ ଦେଇଥିଲେ ।  ପ୍ରଥମେ ୨୪ ପରିବାର ଆସି ରହିଥିଲେ ।  ବଂଶ ବିସ୍ତାର ହୋଇ ଏବେ ୯୩ ପରିବାର  ହେଲେଣି । ଏହାସହ ସେତେବେଳର ଖାଲି  ଜମି ଏବେ ସମସ୍ତ ମୌଳିକ ସୁବିଧା ଉପଲବ୍‌ଧ  ଥିବା ସୁନ୍ଦର ଗାଁଟିଏ ହୋଇଯାଇଛି । ଏବେ ବୁଚି  ଆନ୍ନାଙ୍କ ଉତ୍ତରାଧିକାରୀ ଏମ୍‌. ଚନ୍ଦ୍ରଶେଖର ରାଓ  ଆଉ ଜଣକୁ ବିକ୍ରି କରିଦେଇଛନ୍ତି ।  

ବୈଦ୍ୟ ବୁଚି ଆନ୍ନା ମାଗଣାରେ ଜମି  ଦେଇଥିବା କଥାକୁ ଗ୍ରାମବାସୀ ସ୍ୱୀକାର  କରୁନାହାନ୍ତି । ଜଣେ ଗ୍ରାମବାସୀଙ୍କ କହିବା କଥା  ହେଲା, ବୈଦ୍ୟ ଅସୁସ୍ଥ ହେବାରୁ ଆସି କହିଥିଲେ  ଯେ ଏଇଟା ମୋ ଜମି । ତମେମାନେ ପାହାଡ଼  ଉପରେ ନ ରହି ଏହି ଗାଁରେ ରୁହ । ଏନେଇ ସେତେବେଳ କେହି କେହି ହଜାରେ, ଦୁଇ  ହଜାରେ ସୁନା, ରୁପା ବନ୍ଧା ପକାଇ ଦେଇଥିଲେ ।  ସେ ଏଠାରେ ରହିବାକୁ ଲେଖା ମଧ୍ୟ ଦେଇଥିଲେ ।  ଆମେ ରହିବା ପରେ ପ୍ରଶାସନ ଆମ ପାଇଁ ସ୍କୁଲ,  ରାସ୍ତା, ପାନୀୟ ଜଳ ସୁବିଧା ଯୋଗାଇ ଦେଇଛି ।  ଆମେ ଏଠାରେ ଚାଷବାସ କରି ଚଳୁଛୁ । ଆମ  ପିଲାମାନେ ଏଠାରେ ପଢ଼ୁଛନ୍ତି । ଆମର ଘର  ରହିଛି, ଭିଟାମାଟି ଛାଡ଼ିବୁ ନାହିଁ ବୋଲି କହିଛନ୍ତି ।  ଆମ ପାଖକୁ କିଣିବା ଲୋକ ଆସି ନାହାନ୍ତି କି  ବିକିବା ଲୋକ ଆସିନାହାନ୍ତି ବୋଲି ସେ କହିଛନ୍ତି । 

ଅନ୍ୟ ଜଣେ ଗ୍ରାମବାସୀଙ୍କ କହିବା  ପ୍ରକାରେ ଗାଁରେ ୧୯୮୮ରେ ବିଦ୍ୟାଳୟ ପ୍ରତିଷ୍ଠା  ହୋଇଥିଲା । ୨୦୧୭ ପର୍ଯ୍ୟନ୍ତ ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା । ଆଶାନୁରୂପ  ବିଦ୍ୟାର୍ଥୀ ନ ଥିବାରୁ ଏବେ କେବଳ ପଞ୍ଚମ  ପର୍ଯ୍ୟନ୍ତ ପଢ଼ାଯାଉଛି । ୨୦୧୧ରେ ଶେଷ ଥର ପାଇଁ ସର୍ବଶିକ୍ଷା ଅଭିଯାନରୁ କୋଠା ନିର୍ମାଣ ପାଇଁ  ଅନୁଦାନ ଆସିଥିଲା ଏବଂ କୋଠା ନିର୍ମାଣ ବି  ହୋଇଛି । ସେହି କୋଠାକୁ ତତ୍କାଳୀନ ବିଧାୟକ  କେ. ନାରାୟଣ ରାଓ, ଡିପିସି ସୁଧାକର ଶବର,  ଗୋଷାଣୀ ବିଡିଓ ଲଳିତ କୁମାର କଅଁର  ଉଦ୍‌ଘାଟନ କରିଥିଲେ । ପ୍ରତିବର୍ଷ ସରକାରୀ  ଅଧିକାରୀମାନେ ଆସୁଥିଲେ ଏବଂ ବିଭିନ୍ନ  କାର୍ଯ୍ୟକ୍ରମ ବି କରାଯାଉଥିଲା ।  

କେବଳ ବିଦ୍ୟାଳୟ ନୁହେଁ, ଗାଁରେ ପ୍ରଶାସନ  ଉନ୍ନୟନ କାମରେ ଖର୍ଚ୍ଚ କରଛି କୋଟିକୋଟି  ଟଙ୍କାର ସରକାରୀ ଅନୁଦାନ । ସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ରାସ୍ତା ଓ ଡ୍ରେନ୍‌ ନିର୍ମାଣ  ହୋଇଛି । କିନ୍ତୁ ଏକ ଘରୋଇ ଜାଗାରେ କିଭଳି  ଖର୍ଚ୍ଚ ହେଉଥିଲା ତାହା ତଦନ୍ତ ପରିସରଭୁକ୍ତ ହେବା  ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।  

ସେପଟେ ଜମି ବିକ୍ରି ପରେ ନୂଆ ମାଲିକ  ସେଠାରେ ଉଚ୍ଛେଦ କରିବାକୁ ଚେତାବନୀ  ଦେଇସାରିଲେଣି । ଆଦିବାସୀଙ୍କ ଭିଟାମାଟି  ରକ୍ଷା ପାଇଁ ଆଦିବାସୀ ମହାସଂଘ ଅଣ୍ଟା ଭିଡ଼ିଛି ।  ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ  ସମସ୍ତେ ଚିନ୍ତିତ ଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ସାଧାରଣ ପ୍ରସଙ୍ଗ ଭାବେ  ନେଇଥିବା ଅନୁମାନ ହେଉଛି । ଗତକାଲି ଏ  ପ୍ରସଙ୍ଗରେ ଜିଲ୍ଲାପାଳ ବିଜୟ ଦାସ କହିଥିଲେ, ଜମି କିଣିଥିବା ବ୍ୟକ୍ତି ପଟ୍ଟା ପାଇଁ ଆବେଦନ  କରିବାବେଳେ ମାପଚୁପ ହେବ ଏବଂ  ସରକାରଙ୍କ ଆଇନ ଅନୁଯାୟୀ କାର୍ଯ୍ୟ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.